ଇକୋସେଭର୍ସ– ୟୁଥ୍ ନେଟୱର୍କ ର ସଦସ୍ୟ ମାନଙ୍କ ପାଇଁ ପିକକ୍ ଦ୍ଵାରା ଇକୋ-ଭେଞ୍ଚର କ୍ୟାମ୍ପ ଆୟୋଜିତ

ଭୁବନେଶ୍ୱର,୦୮/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ୩୬ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି କାର୍ଯ୍ୟରତ  ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନପି ପୁଲସ କଲଚରାଲ୍‌ ସେଣ୍ଟର (ପିକକ୍) ପକ୍ଷରୁ ଆଡପ୍ସନ ସେଣ୍ଟ୍ରମ ସହଯୋଗରେ ଫେବୃଆରୀ ୫ତାରିଖରୁ ୮ତାରିଖ ୨୦୨୬ ପର୍ଯ୍ୟନ୍ତ କେଉଁଝର ଜିଲ୍ଲାର ସାହାରପଡ଼ା ବ୍ଲକ୍‌ ଅନ୍ତର୍ଗତ କାପୁଣ୍ଡିସ୍ଥିତ ରୁରାଲ୍‌ ଲାଇଭଲିହୁଡ୍‌ ଟ୍ରେନିଂ ସେଣ୍ଟର ରେ ଚାରିଦିନିଆ “ଇକୋ-ଭେଞ୍ଚର କ୍ୟାମ୍ପ” ଆୟୋଜିତ ହୋଇଥିଲା।

ଏହି କ୍ୟାମ୍ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଇକୋ ସେଭର୍ସ ୟୁଥ୍ ନେଟୱାର୍କ ର ୬୦ଜଣ ଯୁବକ ଯୁବତୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। କ୍ୟାମ୍ପର ପ୍ରଧାନ ଉଦ୍ଦେଶ୍ୟ ଥିଲା ଯୁବ ସଦସ୍ୟ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସମ୍ପର୍କରେ ଜ୍ଞାନ ଓ ସଚେତନତା ବୃଦ୍ଧି କରିବା ସହିତ ସେମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ, ଦଳଗତ କାର୍ଯ୍ୟ ଓ ପ୍ରକୃତି ପ୍ରତି ଦାୟିତ୍ୱବୋଧ କୁ ସୁଦୃଢ଼ କରିବା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ପ୍ରକୃତି ସହିତ ସେମାନଙ୍କର ସମ୍ପର୍କକୁ ଆହୁରି ନିବିଡ କରିବା ସହିତ ସେମାନଙ୍କୁ ଗ୍ରାମ ସ୍ତରରେ ପରିବେଶ ଅନୁକୂଳ ପଦକ୍ଷେପ ନେବା ଏବଂ ଚିରସ୍ଥାୟୀ ଅଭ୍ୟାସ ପାଇଁ ସମୁଦାୟଗୁଡ଼ିକୁ ସଂଗଠିତ କରିବା।

ଏହି କ୍ୟାମ୍ପ ରେ ଯୋଗଦେଇ ପାଟଣା ବ୍ଲକର ତହସିଲଦାର ଶ୍ରୀ ଅଶ୍ୱିନୀ କୁମାର ନାୟକ କହିଥିଲେ ଯେ ଯୁବଗୋଷ୍ଠୀ ମାନଙ୍କ ନେତୃତ୍ୱରେ ଆୟୋଜିତ ଇକୋ-ଭେଞ୍ଚର କ୍ୟାମ୍ପ ପରି ପଦକ୍ଷେପ ଗୁଡ଼ିକ ପରିବେଶ ପ୍ରତି ଦାୟିତ୍ୱବୋଧ ସମ୍ପନ୍ନ ନାଗରିକ ଗଢ଼ି ତୋଳିବାରେ ଅତ୍ୟନ୍ତ ଆବଶ୍ୟକ। ସେ ପିକକ୍ କୁ ଯୁବଗୋଷ୍ଠୀ ମାନଙ୍କୁ ପରିବେଶ ସୁରକ୍ଷା ଓ ଚିରସ୍ଥାୟୀ ଜୀବନ ଶୈଳୀ ପ୍ରତି ଗଭୀର ଓ ଦୃଢ଼ ପ୍ରତିବଦ୍ଧତା ଗଢ଼ିତୋଳିବା ପାଇଁ ଏପରି ଏକ ଉପଯୁକ୍ତ ମଞ୍ଚ ସୃଷ୍ଟି କରିଥିବାରୁ ପ୍ରଶଂସା କରିଥିଲେ। ପିକକ୍ ର ସମ୍ପାଦକ ଶ୍ରୀ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଏହି କ୍ୟାମ୍ପର ଲକ୍ଷ୍ୟ ଜୈବ ବିବିଧତା ଓ ପରିବେଶ ତନ୍ତ୍ର ସହିତ ବ୍ୟବହାରିକ ସମ୍ପର୍କ ମାଧ୍ୟମରେ ଯୁବଗୋଷ୍ଠୀ ମାନଙ୍କର ପରିବେଶ ସମସ୍ୟା ବିଷୟରେ ଗଭୀର ବୁଝାମଣା ସୃଷ୍ଟି କରିବା ତଥା ଯୁବପିଢ଼ିଙ୍କୁ ପରିବେଶ ଅନୁକୂଳ ପଦକ୍ଷେପର ନେତୃତ୍ୱ ନେବା ପାଇଁ ସଶକ୍ତ କରିବା ଓ  ଦୀର୍ଘକାଳୀନ ସ୍ଥାୟୀତ୍ୱ ପାଇଁ ଯୋଗଦାନ ଦେବା।

ପାଟଣା ବ୍ଲକର  ବନ ଅଧିକାରୀ ଶ୍ରୀ ବଣବିହାରୀ ସର୍ଦ୍ଦାର,ଯୁବଗୋଷ୍ଠୀ ମାନଙ୍କର ସଂରକ୍ଷଣ କ୍ଷେତ୍ରରେ ଭୂମିକାକୁ ଗୁରୁତ୍ୱ ଦେଇ କହିଥିଲେ ଯେ ଯୁବଶକ୍ତି ଜଙ୍ଗଲ ସୁରକ୍ଷା, ଜୈବ ବିବିଧତା ସଂରକ୍ଷଣ ଓ ଜଳବାୟୁ ପ୍ରତିରୋଧ କ୍ଷମତା ବୃଦ୍ଧିରେ ତୃଣମୂଳ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ। ଏହି ଅବସରରେ ପାଟଣାର ବନପାଳ ଶ୍ରୀ ନିରଞ୍ଜନ ସେଠୀ,କହିଲେ ଯେ ଯୁବମାନଙ୍କୁ ପ୍ରକୃତି ସହିତ ସିଧାସଳଖ ଭାବେ ଯୋଡ଼ିଲେ ଜଙ୍ଗଲ ଓ ବନ୍ୟଜନ୍ତୁ ପ୍ରତିଭା ବନାତ୍ମକ ଅନୁବନ୍ଧନ ଏବଂ ଦାୟିତ୍ୱବୋଧ ସୃଷ୍ଟି କରିବାରେ ସାହାଯ୍ୟ କରେ । ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି କହିଲେ ଯେ ଚିରସ୍ଥାୟୀ ବିକାଶ ପାଇଁ ଯୁବନେତୃତ୍ୱ ଅତ୍ୟନ୍ତ ଜରୁରୀ। ଇକୋ-ଭେଞ୍ଚର କ୍ୟାମ୍ପ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ଆଗ୍ରହୀ ଓ ସକ୍ରିୟ ନେତା ତିଆରି କରିବାର ଏକ ପ୍ରୟାସ, ଯେଉଁମାନେ ସମୁଦାୟର ସହଯୋଗରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ। ପିକକ୍ ର କୋଷଧକ୍ଷା ରତ୍ନା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଯୁବଗୋଷ୍ଠୀ ମାନଙ୍କ ନେତୃତ୍ୱରେ ଆୟୋଜିତ ଇକୋ-ଭେଞ୍ଚର କ୍ୟାମ୍ପରେ ଅଂଶ ଗ୍ରହଣକାରୀମାନେ ବିଭିନ୍ନ ପ୍ରକାର ଶିକ୍ଷାମୂଳକ ଓ ଅଭିଜ୍ଞତା ମୂଳକ କାର୍ଯ୍ୟକଳାପ ରେ ସାମିଲ ହୋଇଥିଲେ। କ୍ୟାମ୍ପ ସମୟରେ ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନ, ପରିବେଶ ସଂରକ୍ଷଣ ରଣନୀତି, ନେତୃତ୍ୱ ବିକାଶ ଓ ପରିବେଶ ସୁରକ୍ଷାରେ ଯୁବମାନଙ୍କ ଭୂମିକା ସମ୍ପର୍କରେ ଜ୍ଞାନ ବିନିମୟ ଅଧିବେଶନ ଏବଂ ଆଲୋଚନା ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ଯୁବ ପ୍ରତିନିଧୀ ମାନେ ପିଛୁଳାବେଡ଼ା ଗ୍ରାମକୁ ଭ୍ରମଣ କରି ସେଠାରେ ଜଳ, ମାଟି ଓ ପରିବେଶର ସଂରକ୍ଷଣ ପାଇଁ ଏକ ଝରଣା ଉପରେ ପଥରବନ୍ଧ ନିର୍ମାଣ କାର୍ଯ୍ୟରେ ସକ୍ରିୟଭାବେ ଅଂଶଗ୍ରହଣ କରିଥିଲେ। ଏଥିସହ ଜଙ୍ଗଲୀ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ପକ୍ଷୀ ବସା ତିଆରି କରିଥିଲେ।“ଏହା ଆମପାଇଁ ଏକ ଅତ୍ୟନ୍ତ ମୂଲ୍ୟବାନ ଅବସର ଥିଲା।

ଜଳ ଓ ମାଟି ସଂରକ୍ଷଣ ପାଇଁ ପଥର ବନ୍ଧ ନିର୍ମାଣ, ପକ୍ଷୀବସା ତିଆରି, ଏବଂ ଜଙ୍ଗଲ ଭ୍ରମଣ ମାଧ୍ୟମରେ ଗଛ ଚିହ୍ନଟ ଓ ଜଙ୍ଗଲ ପରିବେଶ ତନ୍ତ୍ରକୁ ବୁଝିବା ଭଳି କାର୍ଯ୍ୟକଳାପ ଦ୍ୱାରା ପରିବେଶ ସମ୍ପର୍କିତ ଆମର ଜ୍ଞାନର ସ୍ତର ଅଧିକ ସୁଦୃଢ଼ ହୋଇଛି। ଏହା ସହିତ ଭିନ୍ନଭିନ୍ନ ଜିଲ୍ଲାର ଯୁବ ପ୍ରତିନିଧି ମାନଙ୍କ ସହିତ ଜ୍ଞାନ ଓ ଅନୁଭବ ବିନିମୟ କରିବାର ସୁଯୋଗ ମଧ୍ୟ ଆମେ ପାଇଛୁ,” ବୋଲି କେନ୍ଦ୍ରାପଡ଼ାର ପବିତ୍ର ସାହୁ, ଜାଜପୁରର ଅନିତା ମହାନ୍ତ, ଖୋର୍ଦ୍ଧାର ମିକି ମଲ୍ଲିକ୍‌, କେଉଁଝର ର ଶମ୍ଭୁ ମୁଣ୍ଡା, ବାଲେଶ୍ୱର ର ମଧୁସୁଦନ ଗିରି ଏବଂ କଟକ ର ତପସ୍ୱିନୀ ସାହୁ କହିଥିଲେ।

କ୍ୟାମ୍ପରେ ଜଙ୍ଗଲ ଭ୍ରମଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହାର ମାଧ୍ୟମରେ ଯୁବପ୍ରତିନିଧି ମାନେ ବିଭିନ୍ନ ପ୍ରଜାତିର ଗଛଲତା ଓ ପଶୁପକ୍ଷୀ କୁ ଚିହ୍ନଟ କରିବା ସହିତ ଔଷଧୀୟ ଉଦ୍ଭିଦ ଓ ସେ ଗୁଡ଼ିକର ବ୍ୟବହାର ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ।ଏହା ସହିତ ଅଂଶଗ୍ରହଣକାରୀମାନେ ସ୍ଥାନୀୟ ଅଧିବାସୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ପର୍ବପରାଣ, ଖାଦ୍ୟ, ପାରମ୍ପରିକ ଔଷଧ ପ୍ରଣାଳୀ ଓ ଜୀବନ ଶୈଳୀ ସମ୍ପର୍କରେ ଜ୍ଞାନ ଲାଭ କରିଥିଲେ। ସାଂସ୍କୃତିକ କାର୍ଯ୍ୟକଳାପ ଗୁଡ଼ିକ ଯୁବମାନଙ୍କୁ ସ୍ଥାନୀୟ ସଂସ୍କୃତି ଓ ଐତିହ୍ୟକୁ ଆହୁରି ଭଲ ଭାବେ ବୁଝିବାରେ ସାହାଯ୍ୟ କରିଥିଲା। ପିକକ୍ ର ସତ୍ୟନାରାୟଣ ମହନ୍ତ, ପୂଜା ପଣ୍ଡା, ରଶ୍ମିରେଖା ସାହୁ, ଅନୀତା ବାରିକ୍‌, ଉପମା ମହାନ୍ତି, ବିଷ୍ଣୁପ୍ରିୟା ମହାପାତ୍ର, ବାମଦେବ ଜେନା, ଦ୍ରୌପଦୀ ବେଜ, ଶୁଭଲକ୍ଷ୍ମୀ ପଣ୍ଡା ଏବଂ ନାରାୟଣ ଦାସ ଏହି କ୍ୟାମ୍ପର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *