* ବିଭିନ୍ନ ବୈଷୟିକ କାର୍ଯ୍ୟ ତଦାରଖ ଓ ପରାମର୍ଶ
ଆନନ୍ଦପୁର/ଭୁବନେଶ୍ୱର,୧୩/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଗସ୍ତ କରି ନିର୍ମାଣାଧୀନ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ପରିଦର୍ଶନ ସମୟରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସାଗର ମହାନ୍ତି ଏବଂ ଓଡ଼ିଶା ନିର୍ମାଣ ନିଗମ (ଓସିସିଏଲ)ର ପରିଚାଳନା ନିର୍ଦ୍ଦେଶକ ଇଂ. ବିଘ୍ନରାଜ ପୁରୋହିତ ଉପସ୍ଥିତ ଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶର୍ମା ଆନନ୍ଦପୁର ବ୍ୟାରେଜ୍ ସ୍ଥଳ ଏବଂ କେନାଲ୍ ସାଇଟ୍ ପରିଦର୍ଶନ କରି ଚାଲୁ ରହିଥିବା ବିଭିନ୍ନ ବୈଷୟିକ କାର୍ଯ୍ୟର ତଦାରଖ କରିଥିଲେ ।

ପରିଦର୍ଶନ ସମୟରେ ପ୍ରମୁଖ ଶାସନ ସଚିବ ବୈତରଣୀ ବାମ ପାର୍ଶ୍ୱ ମୁଖ୍ୟ କେନାଲ,ବୈତରଣୀ ଦକ୍ଷିଣ ପାର୍ଶ୍ୱ ମୁଖ୍ୟ କେନାଲ , ଶାଳନ୍ଦୀ ବାମ ପାର୍ଶ୍ୱ ମୁଖ୍ୟ କେନାଲ ଏବଂ ଏହି କେନାଲଗୁଡ଼ିକର ବିତରଣ ପ୍ରଣାଳୀ (ଡିଷ୍ଟ୍ରିବ୍ୟୁସନ ସିଷ୍ଟମ) ର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଗସ୍ତ ପରିପ୍ରେକ୍ଷୀରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପକୁ ନେଇ ଶ୍ରୀମତୀ ଶର୍ମା ଏକ ସମୀକ୍ଷା ବୈଠକ କରିଥିଲେ । ସେଥିରେ ସେ ବିଭିନ୍ନ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି, ଯାହାଦ୍ୱାରା ସ୍ଥାନୀୟ ଚାଷୀମାନେ ଜଳସେଚନର ସୁବିଧା ଶୀଘ୍ର ପାଇପାରିବେ ।
ଏହି ଅବସରରେ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମାନସ ରଂଜନ ମଣ୍ଡଳ, ଆନନ୍ଦପୁର ବ୍ୟାରେଜ୍ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. କେ. ପ୍ରେମ କୁମାର, ଅଧୀକ୍ଷଣ ଯନ୍ତ୍ରୀ, ଆନନ୍ଦପୁର କେନାଲ ବିଭାଗ, ଶାଳପଦା ଇଂ ଅସିତ କୁମାର ମହାନ୍ତି , ମାର୍କୋଣା କେନାଲ ବିଭାଗ, ମାର୍କୋଣା ଇଂ ସ୍ନେହାଶିଷ ବେହେରା , ସୋର କେନାଲ ବିଭାଗ, ସୋର ଇଂ. ଦୀପକ ମହାନ୍ତି ଏବଂ ଅନ୍ୟାନ୍ୟ ବୈଷୟିକ ପଦାଧିକାରୀମାନେ ଉପସ୍ଥିତ ରହି ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିଥିଲେ।
-0-
ସାଗରିକା ପ୍ରିୟଦର୍ଶିନୀ, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
