ମାଗଣାରେ ସ୍ମାର୍ଟ ମିଟର ନୁହଁ : ମାଗଣାରେ ୩୦୦ ୟୁନିଟ୍ ବିଜୁଳି

ଅତିରିକ୍ତ ସୁରକ୍ଷା ଜମା ସ୍ଥଗିତ ରଖ
ଟାଟା ପାୱାର ସହିତ ଚୁକ୍ତି ସମୀକ୍ଷା କର -ଉପଭୋକ୍ତା ମହାସଂଘ
ଭୁବନେଶ୍ୱର,୨୫/୧୨/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରୀୟ ଆଇନ୍ ଅନୁଯାୟୀ ଓଡ଼ିଶାରେ ସ୍ମାର୍ଟ ମିଟର ବସାଇବା ପାଇଁ ଟାଟା ପାୱାର ଅନ୍ଟା ଭିଡ଼ିଛି । ଯେତେବେଳେ ଅନ୍ୟ କୌଣସି ରାଜ୍ୟ ସ୍ମାର୍ଟ ମିଟର କାର୍ଯ୍ୟକାରୀ କରିବା ପାଇଁ ଏପର୍ଯ୍ୟନ୍ତ ପଦକ୍ଷେପ ନେଇନାହାଁନ୍ତି, ସେତେବେଳେ ଓଡ଼ିଶା ସରକାର ଟାଟା ପାୱାର ଦ୍ୱାରା ପ୍ରଭାବିତ ହୋଇ ସ୍ମାର୍ଟ ମିଟର ପାଇଁ ଟଙ୍କା ଭରଣା କରିବାକୁ ନିଷ୍ପତି ନେବା ଜନସ୍ୱାର୍ଥ ବିରୋଧି ବୋଲି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘ ପକ୍ଷରୁ କୁହାଯାଇଛି । ମାଗଣା ସ୍ମାର୍ଟ ମିଟର ନୁହେଁ, ମାଗଣାରେ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ମାଗଣାରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦେବାର ପ୍ରତିଶ୍ରୁତି ସରକାର ରକ୍ଷା କରିବାକୁ ଉପଭୋକ୍ତା ମହାସଂଘ ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ଜନସାଧାରଣଙ୍କ ଭିତରେ ଆତଙ୍କ ସୃଷ୍ଟି କରିଥିବା ଅତିରିକ୍ତ ସୁରକ୍ଷା ଜମା ରାଶି ଡିସେମ୍ବର ୩୧ ତାରିଖ ସୁଦ୍ଧା ଜମା ନ କଲେ ଟାଟା ପାୱାର ଲୋକଙ୍କ ଉପରେ ଫାଇନ୍ କରିବ କିମ୍ବା ବିଜୁଳି କାଟିଦେବ ଏହା ଏକ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାର ସ୍ଥଗିତ ରଖିବାକୁ ଉପଭୋକ୍ତା ମହାସଂଘ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି ।

ଟାଟା ପାୱାର ସହିତ ହୋଇଥିବା ଏକଚାଟିଆ ଚୁକ୍ତି ଯୋଗୁଁ ଆଜି ଟାଟା ମନମାନି କରି ସାଧାରଣ ଜନତାଙ୍କୁ ଶୋଷଣ କରିବାରେ ଲାଗିଛି । ତେଣୁ ଟାଟା ସହିତ ହୋଇଥିବା ଏମଓୟୁ ର ପୁନଃ ସମୀକ୍ଷା କରିବା ପାଇଁ ଉପଭୋକ୍ତା ମହାସଂଘ ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଂଚାନନ କାନୁନ୍ଗୋ ଓ ସମ୍ପାଦକ ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ୩୦ ବର୍ଷ ତଳେ ରାଜ୍ୟରେ ବିଦୁ୍ୟତ୍ ସଂସ୍କାର ଆରମ୍ଭ ହୋଇଥିଲା । ରାଜ୍ୟବାସୀଙ୍କୁ ସରକାର ପ୍ରତିଶ୍ରୁତି ଦେଇଥିଲେ ବିଜୁଳି ଶସ୍ତା ଓ ସୁଲଭ ମୂଲ୍ୟରେ ସାଧାରଣ ଖାଉଟିଙ୍କୁ ଯୋଗାଇ ଦିଆଯିବ । ବିଜୁଳି ସେବା ରାଜ୍ୟରେ ଗୁଣାତ୍ମକ ନିରବଚ୍ଛିନ୍ନ ହେବ ଏବଂ ସରବରାହ ଜନିତ କ୍ଷତିକୁ କମାଇ ଦିଆଯାଇ ବିଦୁ୍ୟତ୍ ଶୁଳ୍କ ବୃଦ୍ଧିକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ।

କିନ୍ତୁ ଦୁଃଖର କଥା ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ବିଜୁଳି ମହଙ୍ଗା ହେବାରେ ଲାଗିଛି । ବିଭିନ୍ନ ଆଳ ଦେଖାଇ ବିଜୁଳି କମ୍ପାନୀମାନେ ଓଡ଼ିଶାକୁ ଆସି ଲୁଟ୍ କରୁଛନ୍ତି । ଆମେରିକାନ୍ କମ୍ପାନୀ ଏ.ଇ.ଏସ୍. ୨ ହଜାର କୋଟି ଟଙ୍କା ଓଡ଼ିଶାବାସୀଙ୍କଠାରୁ ଲୁଟ୍ କରି ଫେରାର୍ ହୋଇଗଲା, ଆମ୍ଭେ ଟଙ୍କାଟିଏ ଆଦାୟ କରିପାରିଲୁନାହିଁ । ରିଲାଏନ୍ସ ପାୱାର ୬ହଜାର କୋଟି ଟଙ୍କା ଲୁଟ୍ କରି ଓଡ଼ିଶାବାସୀଙ୍କୁ ଧୋକା ଦେଲା, ତା’ଠାରୁ ମଧ୍ୟ ଟଙ୍କାଟିଏ ଆଦାୟ କରିବାରେ ଆମେ ଆଜିବି ସମର୍ଥ ହେଲୁନାହିଁ ।

କିନ୍ତୁ ‘ମାର ମାର ଭଣ୍ଡାରିଆକୁ ମାର’ ନୀତିରେ ରାଜ୍ୟର ସାଧାରଣ ଲୋକଙ୍କୁ ବିଜୁଳି କମ୍ପାନୀମାନେ ଲୁଟ୍ କରିବାରେ ଲାଗିଛନ୍ତି । ଆଜି ସମୟ ଆସିଛି ଟାଟା ସହିତ ପୂର୍ବ ରାଜ୍ୟ ସରକାର କରିଥିବା ଏମ୍.ଓ.ୟୁ.କୁ ସମୀକ୍ଷା କରି ପୁନର୍ବାର ଏହାକୁ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୁନଃଚୁକ୍ତି କରିବା ପାଇଁ ବା ଅନ୍ୟ କୌଣସି କମ୍ପାନୀ ସହିତ ଚୁକ୍ତି କରିବା କିମ୍ବା ସବୁଠାରୁ ଭଲ ହେବ ପୁନର୍ବାର ବିଜୁଳି ସେବାକୁ ସରକାର ହାତକୁ ନେବା । ରାଜ୍ୟର ୧ କୋଟି ବିଜୁଳି ଉପଭୋକ୍ତାଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ସରକାର ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ କାନୁନ୍ଗୋ ଓ ଶ୍ରୀ ବେହେରା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *