ମାହାଙ୍ଗା, ୧୭/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗାର କଳା, ସାହିତ୍ୟ, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟ, ପରମ୍ପରା ଏବଂ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ସେବା ଓ ସହାୟତାର ସମ୍ପର୍କକୁ ଅଧିକରୁ ଅଧିକ ଦୃଢିଭୂତ କରାଯିବାର ଆଭିମୁଖ୍ୟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆମ ମାହାଙ୍ଗାର ଅଧ୍ୟକ୍ଷ ଯୁବ ଇଞ୍ଜିନିଅର ତଥା ସମାଜସେବୀ ଡକ୍ଟର ଅମରେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, ବୈଜ୍ଞାନିକ, ଇଞ୍ଜିନିଅର ଏବଂ ସମାଜସେବୀ ସାମିଲ ହୋଇଥିଲେ ।
ଭୁବନେଶ୍ୱର ଠାରେ “ମାହାଙ୍ଗା ଭବନ” ନିର୍ମାଣ ପାଇଁ ଏହି ବୈଠକରେ ସର୍ବସମ୍ମତ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିପାଇଁ ସ୍ଥାନ ନିରୂପଣ ଏବଂ ଗୃହ ନିର୍ମାଣ ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା । ମାହାଙ୍ଗା ଅଂଚଳରୁ ଆସି ଭୁବନେଶ୍ୱର ରେ ରହୁଥିବା ବିଭିନ୍ନ ବର୍ଗର ପ୍ରବାସୀ ମାନଙ୍କୁ ଏକତ୍ରିତ କରାଯିବା ସହିତ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ବହୁ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିବା ମାହାଙ୍ଗା ଅଂଚଳର ସାଧାରଣ ବ୍ୟକ୍ତି ମାନଙ୍କୁ “ମାହାଙ୍ଗା ଭବନ” ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଥିଲା ।
ମାହାଙ୍ଗା ଭଳି ଏକ ସାହିତ୍ୟ ସଂସ୍କୃତି- ସମ୍ପନ୍ନ ମାଟିରେ ବିଭିନ୍ନ ସେବା ଓ ସାରସ୍ୱତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା ।
ମାହାଙ୍ଗା ମାଟିର ବହୁ ଯୋଗଜନ୍ମା ବରପୁତ୍ର ମାନେ ଜନ୍ମ ଗ୍ରହଣ କରିବା ସହିତ ସେମାନେ ସାରା ରାଜ୍ୟ ଓ ଦେଶ ବିଦେଶରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜ୍ଜନ କରିଥିବାରୁ, ସେମାନଙ୍କ କୀର୍ତ୍ତି ଓ କୃତୀର ନିର୍ଣ୍ଣାୟକ ମୂଲ୍ୟାୟନ ସହିତ ଏହାକୁ ନୂଆ ପିଢୀଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବାକୁ ବୁଦ୍ଧିଜୀବୀ ମାନେ ମତ ରଖିଥିଲେ । ମାହାଙ୍ଗାର ଅସ୍ମିତାକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର ପାଇଁ ସମ୍ମିଳିତ ଉଦ୍ୟମ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା ।
ଏହି ବୈଠକରେ ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ନେସନାଲ ହାଇଡ୍ରୋ ଇଲେକ୍ଟ୍ରିସିଟି ପାୱାର କର୍ପୋରେସନ- ଇଞ୍ଜିନିୟର ସହଦେଵ ଖଟୁଆ, ପ୍ରଫେସର ଓଏୟୁଟି ମହେନ୍ଦ୍ର କୁମାର ମହାନ୍ତି, ସମାଜସେବୀ କୈଳାଶ ଚନ୍ଦ୍ର ସ୍ୱାଇଁ,ଓଡିଶା ଜନସେବା ମଞ୍ଚ ସଭାପତି ଡକ୍ଟର ଭାବଗ୍ରାହୀ ରାଉତ,ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ସମାଜସେବୀ ଶରତ ରାଉତ, ଇଞ୍ଜିନିଅର ଜିତେନ୍ ରାଉତରାୟ, ମାହାଙ୍ଗା ସେବା ସମବାୟ ସମିତି ସଭାପତି ରଜନୀକାନ୍ତ ପରିଡା,ଅଜୟ କୁମାର ମହାନ୍ତି,ସାମ୍ବାଦିକ ଉମାଶଙ୍କର ସାହୁ, ସାମ୍ବାଦିକ ବିଜୟ କୁଅଁର, ଶୁଚିସ୍ମିତା ସାମଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
