ଭୁବନେଶ୍ୱର,୦୫/୧୨/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଶ୍ରୀଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ବିତରଣ ଏବଂ କ୍ରୟ ସମ୍ବନ୍ଧୀୟପ୍ରସ୍ତୁତି ଓ ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ସୁଦର୍ଶନ ଚକ୍ରବର୍ତୀ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଶୁଭମ ସକ୍ସେନାଙ୍କ ସହ ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ଜନଜାତି ବିକାଶ ସମବାୟ ନିଗମ ଲିମିଟେଡ୍ ଏବଂ କୃଷି ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ବୈଠକରେ ଚଳିତ ବର୍ଷର ମାଣ୍ଡିଆ କ୍ରୟ କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ଏଥିରେ ଅଧିକରୁ ଅଧିକ ମାଣ୍ଡିଆ ଚାଷୀଙ୍କୁ ଯୋଡ଼ିବାର ଆଭିମୁଖ୍ୟ ଉପରେ ଆଲୋଚନା ହୋଇଥିଲା, ଯେଭଳି ଏହି ସହାୟତାର ଲାଭ ଅସାଧୁ ବେପାରୀମାନେ ନନିଅନ୍ତି ଏଥି ନିମନ୍ତେ ଜିଲାପାଳ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । କ୍ରୟ କରାଯାଉଥିବା ମାଣ୍ଡିଆର ବିଭିନ୍ନ ରାଜ୍ୟ ସରକାରଙ୍କ ଯୋଜନା ମାଧ୍ୟମରେ ବଂଟନ ସହ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଭଣ୍ଡାରକୁ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ ଯୋଗାଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବିଗତ ବର୍ଷ ୭,୫୮,୦୦୦ କୁଇଂଟାଲ୍ ମାଣ୍ଡିଆ ପ୍ରୋକୁ୍ୟରମେଂଟ କରାଯାଇଥିଲା ଏବଂ ପ୍ରଥମ ଥର ପାଇଁ ଏକ ଲକ୍ଷ କୁଇଂଟାଲ୍ ରୁ ଅଧିକ ମାଣ୍ଡିଆ ଆନ୍ଧ୍ରପ୍ରଦେଶ ଓ ଆଣ୍ଡାମାନ୍-ନିକୋବର୍ କୁ ଓଡ଼ିଶା ରପ୍ତାନୀ କରିଛି । ଜଳବାୟୁ ପରିବର୍ତନ କାଳରେ ମାଣ୍ଡିଆ ଭଳି ଶସ୍ୟର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ବଦ୍ଧପରିକର ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ପ୍ରକାଶ କରିଛନ୍ତି ।
