ଭୁବନେଶ୍ୱର,୨୮/୧୦/୨୦୨୫ (ଓଡ଼ିଶା ସମାଚାର)- ବାତ୍ୟା ମୋନ୍ଥାକୁ ନେଇ ବିଏମସି ପ୍ରସ୍ତୁତ ରହିଛି ବୋଲି ବିଏମସି କମିଶନର ଚଂଚଲ ରାଣା କହିଛନ୍ତି । ସେ କହିଛନ୍ତି ଖୋର୍ଦ୍ଧା ଜିଲା ୟେଲୋ ଜୋନରେ ରହିଛି । ଏଠାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ବର୍ଷା ପ୍ରଭାବରେ ଜଳବନ୍ଦୀ, ବନ୍ୟା, ଗଛ ପଡିବା, କରେଂଟ ତାର ଛିଣ୍ଡିବାର ସମ୍ଭାବନା ରହିଛି । ଏ ନେଇ ବିଏମସିରେ କଂଟ୍ରୋଲ ରୁମ ଖୋଲା ଯାଇଛି ।
ବିଏମସି, ଫାୟାର, ପୋଲିସ, ପିଡବ୍ଳୁଡି, ବିଡିଏ , ଇଡକୋ, ଜାତୀୟ ରାଜପଥ, ବନ ବିଭାଗ, ଟିିସିଓଡିଏଲ ସମେତ ଲାଇନ ଡିପାର୍ଟମେଂଟମାନଙ୍କ ସହିତ ଆଲୋଚନା ହେବା ସହିତ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । କିଭଳି ସଫେଇ ହେବ, ଡ୍ରେନେଜ ସମସ୍ୟା ନ ହେବ ସେ ନେଇ ଯୋଜନା ହୋଇଛି । ଡ୍ରେନ କିଭଳି ଚୋକ ନ ହେବ ସେଥିପାଇଁ ସଫା କରାଯାଇଛି ।
ଫାୟାର ଓ ଡ୍ରେନେଜ ଡିଭିଜନର ଟିମ୍ ମାନଙ୍କୁ ଯାନ ଓ ତେଲ ଦେଇ ସମ୍ବେଦନଶୀଳ ଜାଗାରେ ମୁତୟନ କରାଯାଇଛି । ଯେଉଁ ଜାଗାରେ ସମସ୍ୟା ଦେଖାଦେବ ସ୍ଥାନୀୟ କର୍ପୋରେଟରଙ୍କୁ ଜଣାଇବେ । ଏହା ସହିତ ହେଲ୍ପଲାଇନ ନମ୍ବର ୧୯୨୯ ନମ୍ବରରେ ଯୋଗାଯୋଗ କରିବା ନେଇ କମିଶନର ଅପିଲ କରିଛନ୍ତି । ବନ୍ୟା ଓ ଜଳବନ୍ଦୀକୁ ନଜରରେ ରଖି କଲ୍ୟାଣ ମଣ୍ଡପ ଓ ସ୍କୁଲ ଗୁଡିକରେ ରହିବା ପାଇଁ ପ୍ରସ୍ତୁତି କରାଯାଇଛି ।
