ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ହେଉଛି ଆମ ସରକାରଙ୍କ ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୦୭/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାଙ୍କୀ ସ୍ଥିତ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ପାଳନ ଉଦ୍ଯାପନ ସମାରୋହରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟରେ ଏକ ଅଡିଟୋରିଅମ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏକ କୋଟି ଟଙ୍କାର ଘୋଷଣା କରିଛନ୍ତି ଏବଂ ବିଦ୍ୟାଳୟର ସମସ୍ତ ଆନୁସଙ୍ଗିକ ନିର୍ମାଣ ପାଇଁ ଯାହା ପାଣ୍ଠି ଆବଶ୍ୟକ, ସେ ସବୁ ମଧ୍ୟ ଦିଆଯିବା ନିମନ୍ତେ ଘୋଷଣା କରିଛନ୍ତି।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଏହି ଏକ ଶତାବ୍ଦୀର ଯାତ୍ରା— କୌଣସି ସାଧାରଣ ସମୟ ସୀମା ନୁହେଁ, ବରଂ ଏକ ଆଲୋକମୟ ପରିଚୟ। ଏହା କେବଳ ଗୋଟିଏ ବିଦ୍ୟାଳୟ ନୁହେଁ, ବରଂ ଏକ ଆନ୍ଦୋଳନ, ଯାହା ବାଙ୍କୀ ଅଞ୍ଚଳର ସାଧାରଣ ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେଇଛି, ସ୍ୱାଭିମାନ ଓ ସ୍ୱୟଂ ସଚେତନତାର ପ୍ରେରଣା ଦେଇଛି।
ସ୍ଥାପନା ହେବା ଦିନରୁ ଆଜି ପର୍ଯ୍ୟନ୍ତ, ଏହି ବିଦ୍ୟାଳୟର ଯାତ୍ରା ସହଜ ହୋଇନଥିଲା। ସମୟର ପରିବର୍ତ୍ତନ, ସାମାଜିକ-ଆର୍ଥିକ ସଂକଟ, ଶିକ୍ଷା ପ୍ରଣାଳୀର ରୂପାନ୍ତରଣ—ସବୁକିଛିକୁ ଜୀବନ୍ତଭାବେ ଏହା ଦେଖିଛି। କିନ୍ତୁ ଗୋଟିଏ ଜିନିଷ କେବେ ବଦଳି ଯାଇନି— ତାହାହିଁ ହେଉଛି, ଏହାର ମୂଲ୍ୟବୋଧ। ଏହି ବିଦ୍ୟାଳୟ କେବଳ ବାଙ୍କୀ ନୁହେଁ, ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦ୍ୱାରା ଜ୍ଞାନର ଆଲୋକ ବିକିରଣ କରି ସମଗ୍ର ଓଡିଶାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ଶିକ୍ଷା ବ୍ୟବସ୍ଥା ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ।ଶିକ୍ଷାର ଦ୍ଵିତୀୟ ବିକଳ୍ପ ନାହିଁ। କାରଣ, ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଯାହା ଆମକୁ ଅଜ୍ଞାନର ଅନ୍ଧକାରରୁ ଜ୍ଞାନ ଓ ଚେତନା ଆଡକୁ ନେଇଥାଏ। ଆଜିର ପରିବର୍ତ୍ତନଶୀଳ ସମାଜ ସହ ତାଳ ଦେଇ ଆଗକୁ ବଢିବାକୁ ହେଲେ ନୂତନ ଶିକ୍ଷା ବ୍ୟବସ୍ଥା, ନୂତନ idea ସହ ଚାଲିବାକୁ ହେବ। ଏହାକୁ ହୃଦୟଙ୍ଗମ କରି ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା ପରେ ନୂତନ ଜାତୀୟ ଶିକ୍ଷାନୀତି, ୨୦୨୦ର ଶୁଭାରମ୍ଭ କରିଥିଲେ। କିନ୍ତୁ, ରାଜନୈତିକ କାରଣରୁ ଓଡିଶାରେ ଏହାକୁ ଲାଗୁ କରାଯାଇ ନ ଥିଲା। କିନ୍ତୁ, ଆମ ସରକାର ଆସିବା ପରେ ତୁରନ୍ତ ଆମେ ଏହାକୁ ଲାଗୁ କରି ସାରିଛୁ। ଓଡିଶାର ବିଦ୍ୟାର୍ଥୀମାନେ ବି ଦେଶର ଅନ୍ୟ ଛାତ୍ରଛାତ୍ରୀଙ୍କ ପରି ଗୁଣାତ୍ମକ ଶିକ୍ଷା ଲାଭ କରି ପାରିବେ। ନୂତନ ଶିକ୍ଷାନୀତି-୨୦୨୦ର ପ୍ରଣୟନ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଦଶା ଓ ଦିଶାକୁ ନୂତନ ଦିଗନ୍ତ ଦେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ପିଏମ୍ଶ୍ରୀ’ ଅଧୀନରେ ରାଜ୍ୟର ୭୬୨ ସ୍କୁଲକୁ ଆଦର୍ଶ ସ୍କୁଲ ଭାବରେ ବିକଶିତ କରାଯିବ । ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୨୦୦ ଟି ପଞ୍ଚାୟତରେ ପ୍ରାୟ ୧୨ ହଜାର କୋଟି ଟଙ୍କା ବ୍ୟୟରେ ଏହି ସ୍କୁଲ ନିର୍ମାଣ ହେବ। ଆସନ୍ତା ୩ ବର୍ଷ ମଧ୍ୟରେ ୪୪,୪୩୩ ଟି ଶିକ୍ଷକ ପଦବୀ ପୂରଣ କରାଯିବ । ଅର୍ଥାତ ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ କରାଯିବ । ପ୍ରତ୍ୟେକ ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଏବଂ ୧୦୦ ବର୍ଷରୁ ଅଧିକ ପୁରୁଣା ସମସ୍ତ ବିଦ୍ୟାଳୟକୁ ସଂରକ୍ଷଣ ଏବଂ ପୁନଃନିର୍ମାଣ କରିବା ଲକ୍ଷ୍ୟ ନେଇ ଐତିହ୍ୟ ବିଦ୍ୟାଳୟ ଯୋଜନା ଲାଗୁ କରାଯାଇଛି ବୋଲି ସେ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟରେ ପ୍ରାଥମିକ ଶିକ୍ଷା ବିକାଶ ପାଇଁ ସରକାର ପ୍ରତିବଦ୍ଧ। ଚଳିତ ବଜେଟରେ ପ୍ରାଥମିକ ଶିକ୍ଷା ପାଇଁ ରେକର୍ଡ ୩୧ ହଜାର କୋଟି ରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଶିକ୍ଷା କ୍ଷେତ୍ରରେ ହୋଇଥିବା ପ୍ରାବଧାନ ହେଉଛି ମୋଟ ବଜେଟର ୧୪.୨ ପ୍ରତିଶତ ଏବଂ ଜିଏସ୍ଡିପିର ୩.୯ ପ୍ରତିଶତ, ଯାହା ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି, ଯେଉଁମାନେ ୧୪ ପ୍ରତିଶତରୁ ଅଧିକ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି। ଏହା ହେଉଛି ଆମ ସରକାରଙ୍କ ଶିକ୍ଷା ପ୍ରତି ଆନ୍ତରିକତା।
ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ କେବଳ ପାଠପଢା ନୁହେଁ, କ୍ରୀଡା, ନୃତ୍ୟ, ସଙ୍ଗୀତ, କଳା ଆଦି କ୍ଷେତ୍ରରେ ବିଶାଳ ସୁଯୋଗ ଅଛି। କେବଳ ସରକାରୀ ଚାକିରିରେ ପିଲାମାନେ ନିଜକୁ ଆବଦ୍ଧ କରିବା ଉଚିତ ନୁହେଁ। ଆମ ସମୟରେ ସୀମିତ ସୁଯୋଗ ଥିଲା। କିନ୍ତୁ, ଆଜି ଏତେ ସୁଯୋଗ ଅଛି ଯେ ଚିନ୍ତା କରିବା ବି ମୁସ୍କିଲ। ତେଣୁ ଯିଏ ଯେଉଁ କ୍ଷେତ୍ରରେ ନିଜକୁ comfortable feel କରୁଛି, ତାକୁ ତାହା କରିବାକୁ ଦେବା ଉଚିତ। ଏହି ଦିଗରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ଏକ ବଡ ଭୂମିକା ଅଛି। ମୋର ସମସ୍ତ ଅଭିଭାବକଙ୍କୁ ଅନୁରୋଧ ଯେ, ଜୋର୍ ଜବରଦସ୍ତି ନିଜ ପିଲାଙ୍କୁ କେବଳ ଡାକ୍ତର ଇଞ୍ଜିନିୟର କରିବା ଘୋଡା ଦୌଡରେ ସାମିଲ କରନ୍ତୁ ନାହିଁ। ଡାକ୍ତର ଇଞ୍ଜିନିୟର ବାହାରେ ବି ଗୋଟିଏ ସଫଳ, ସୁନ୍ଦର career choice ଅଛି। ଆଜିକାଲି ସୁଯୋଗର କିଛି ସୀମା ନାହିଁ, ଏହା ଆସିମୀତ।

କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାପାଳଙ୍କୁ ବାଙ୍କୀ ଏନ. ଏ.ସି ଅଂଚଳକୁ ମ୍ୟୁନିସିପାଲିଟି ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଯେଉଁ ସବୁ ଆବଶ୍ୟକତା ଅଛି, ସେ ସବୁର ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କାର୍ଯ୍ୟକ୍ରମରେ କଟକ ସାଂସଦ ଶ୍ରୀ ଭତୃହରି ମହତାବ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିବାବେଳେ, ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ଶତବାର୍ଷିକୀ କମିଟିର ସଭାପତି, ଶ୍ରୀ ଭବାନୀ ପ୍ରସାଦ ପଣ୍ଡିତ, ଶତବାର୍ଷିକୀ କମିଟିର ସମ୍ପାଦକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ କମିଟିର ସଂଯୋଜକ ଶ୍ରୀ ନୀଳ ମୋହନ ତ୍ରିପାଠୀ ଓ ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ପ୍ରମୁଖ ମଂଚାସୀନ ଥିଲେ।
