ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡ଼ାରେ ହତ୍ୟାକାଣ୍ଡ

ରାୟଗଡ଼ା,୨୭/୦୮/୨୦୨୫ (ଓଡ଼ିଶା ସମାଚାର)- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡ଼ାରେ ହତ୍ୟାକାଣ୍ଡ ଘଟିଛି । ରାୟଗଡ଼ା ଅଗ୍ନିଶମ କାର୍ୟ୍ୟାଳୟ ପଛପଟ ପଡ଼ିଆରେ ତିନି ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ରାୟଗଡ଼ା ମହିଳା ମହାବିଦ୍ୟାଳୟ ପଛପଟେ ଥିବା ହରିଜନ ବସ୍ତିର ରୋହିତ ଥାପ୍ପା। ଅଗ୍ନିଶମ ବିଭାଗ କାର୍ୟ୍ୟାଳୟ ପଡ଼ିଆ ନିକଟରେ ପଡ଼ିଥିବା ତାଙ୍କ ମୃତଦେହ ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସିଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ୩ ଦିନ ତଳେ କିଛି ଯୁବକଙ୍କ ସହ ରୋହିତଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ଆପୋଷ ବୁଝାମଣା ହୋଇଥିଲା । ଆଜି ଅପରାହ୍ନରେ ରୋହିତ ଖେଳ ପଡ଼ିଆରେ ଠିଆ ହୋଇଥିଲା ବେଳେ ତିନି ଜଣ ଯୁବକ ଆସି ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଏନେଇ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି। ହତ୍ୟାକାଣ୍ଡ ପରେ ମହିଳା ମହାବିଦ୍ୟାଳୟ ପଛପଟେ ଥିବା ମୃତକଙ୍କ ବସ୍ତି ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *