ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉ ସାଂସ୍କୃତିକ ପରିଷଦ ପକ୍ଷରୁ ରସାବଳୀ ଦିବସ

କେନ୍ଦ୍ରାପଡ଼ା, ୦୯/୦୮/୨୦୨୫(ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପବିତ୍ର ଗହ୍ମାପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ ଦିବସ ଅବସରରେ ଶ୍ରୀଜୀଉଙ୍କ ମନ୍ଦିର ପରିସରରେ ଥିବା ରୋହିଣୀ ମଣ୍ଡପରେ ଶନିବାର ରସାବଳୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପରିଷଦର ସମ୍ପାଦକ ଉମାଶଙ୍କର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଡ. ଚୈତନ୍ୟ ଚରଣ ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପଣ୍ଡିତ କୈଳାସ ଚନ୍ଦ୍ର ଦାଶ ବେଦପାଠ କରିଥିଲେ । ସହସମ୍ପାଦକ ଆଶିଷ ମେକାପ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ଗୋଲଖ ଚନ୍ଦ୍ର ପଢିଆରୀ ବିବରଣୀ ପାଠ କରିଥିଲେ ।

ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂହ, ଭାଗିରଥୀ ଜେନା, ଚିତରଞ୍ଜନ ଦାସ, ସସ୍ମିତା ପଣ୍ଡା, ମମତାମୟୀ ସାମଲ, ଭକ୍ତପ୍ରିୟ ଦାଶ, ଅରବିନ୍ଦ ସାହୁ, ରବିନାରାୟଣ ପତି, ପ୍ରଦୀପ ମହାନ୍ତି, ପ୍ରଫୁଲ୍ଲ ଦାସ, ଧିରେନ ସାହୁ, ମଣିଭଦ୍ର ମେକାପ ପ୍ରମୁଖ ଶ୍ରୀଜୀଉଙ୍କ ଭୋଗ ରସାବଳୀର ପ୍ରସ୍ତୁତି, ପରମ୍ପରା, ପ୍ରଚାର ପ୍ରସାର ଓ ରସାବଳୀ ଟ୍ୟାଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ଦୁହୁରିଆରେ ରସାବଳୀ ହବ୍ ପ୍ରତିଷ୍ଠା କରାଯିବା ନେଇ ପୂର୍ବତନ ଜିଲାପାଳଙ୍କ ପ୍ରତିଶୃତିକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ପାଇଁ ଦାବି କରାଯାଇଥିଲା ।

ଏହି ଅବସରରେ ଶ୍ରୀଜୀଉଙ୍କ ପରମଭକ୍ତ ତଥା ରାଜ୍ୟର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଦିବାକର ମହାନ୍ତି, ରସାବଳୀ ଉପରେ ପୁସ୍ତକ ରଚନା କରିଥିବା ଗବେଷକ ନିରଞ୍ଜନ ମେକାପ, ରସାବଳୀର ଜିଆଇ ଟ୍ୟାଗ ପାଇଁ ଆବେଦନ କରିଥିବା ‘ରାଇଡ’ ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦକ କିଶୋର କୁମାର ସାହୁ ଓ ରସାବଳୀ ପ୍ରସ୍ତୁତକାରୀ ସୁନାମଣୀ ସୁଆର, ଅଞ୍ଜନା ସୁଆର, ସୌମେନ୍ଦ୍ର ସାହୁ, ଖଗେଶ୍ୱର ପ୍ରଧାନ, କେଶବ ସାହୁ ଓ କିଶୋର ସାହୁ ପ୍ରମୁଖଙ୍କୁ ଉତରୀୟ,ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାଇଡର ସମ୍ପାଦକ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଶ୍ରୀଜୀଉଙ୍କ ମନ୍ଦିର ପରିସରରେ ଥିବା ଭକ୍ତମାନଙ୍କୁ ପରିଷଦ ପକ୍ଷରୁ ରସାବଳୀ ବଂଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *