ପାଟକୁରା,୦୪/୦୮/୨୦୨୫ (ଓଡ଼ିଶା ସମାଚାର)-ସ୍ଥାନୀୟ ପାଟକୁରା ଗ୍ରାମପଞ୍ଚାୟତ ଜଗଦଳପୁର ଗ୍ରାମର ଅଜୟ ସେଠୀ (୪୬) ବିଗତ ତିନିବର୍ଷ ହେଲା ଏକାଧିକ ଦୁରାରୋଗ ରେ ପିଡିତ ହୋଇ ଶେଷରେ ଭଗବାନକୁ ଆଶ୍ରାକରି ନିଜ କୁଡିଆ ମଧ୍ୟରେ ପଡିରହି ଯନ୍ତ୍ରଣାରେ ଛଟପଟ ହୋଇ ମୃତୁ୍ୟ ଅପେକ୍ଷାରେ ରହିଛନ୍ତି । ଶ୍ରୀ ସେଠୀ ହୃଦଘାତ , କିଡିନି , ବହୁମୁତ୍ର ଓ ରକ୍ତଚାପ ରୋଗରେ ପିଡିତ ହୋଇ ଦୀର୍ଘ ୩ ବର୍ଷ ହେବ ଯନ୍ତ୍ରଣା ଭୋଗୁଛନ୍ତି । ପତ୍ନୀ ରଂଜିତା ଓ ଏକମାତ୍ର ୧୪ ବର୍ଷର ପୁଅ କୁ ନେଇ ତାଙ୍କର ସଂସାର । ଅଜୟ ମୁଲ ମଜୁରୀ ଲାଗି ପରିବାର ଚଳାଉଥିଲେ । ପୁଅ ପାଟକୁରା ହାଇସ୍କୁଲ ରେ ୧୦ ଶ୍ରେଣୀରେ ପାଠ ପଢୁଛି । ଅଜୟ ତିନିବର୍ଷ ହେବ ରୋଗାକାନ୍ତ୍ର ହୋଇଗଲା ପରେ ପତ୍ନୀ ରଂଜିତା ମୁଲମଜୁରୀ ଲାଗି ଘର ଚଳାଉଛନ୍ତି ।
ଅଜୟ ସ୍ଥାନୀୟ ପାଟକୁରା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚାରିମାସ ପୁର୍ବରୁ ଅଜୟ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ଚିକିତ୍ସାଳୟରେ ତାଙ୍କ ସ୍ତ୍ରୀ ରଂଜିତା ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ଆଇସିୟୁ ରେ ରଖି ୨୦ ଦିନ ଧରି ଚିକିତ୍ସା କରି ଛାଡିଦେଇଥିଲେ । ଅଜୟଙ୍କ ସ୍ୱାସ୍ଥ୍ୟ କାର୍ଡରୁ ୨ ଲକ୍ଷ ଟଙ୍କା ଚିକିତ୍ସା ବାବଦରେ ଘରୋଇ ଚିକିତ୍ସାଳୟ କର୍ମକର୍ତ୍ତା କାଟିନେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ରଂଜିତା ପ୍ରାୟ ୧୫ ହଜାର ଟଙ୍କାର ଔଷଧ ବାହାର ଦୋକାନରୁ କିଣିଥିଲେ । ଔଷଧ ସରିଯିବା ପରେ ଅଜୟ ଙ୍କର ପୁନର୍ବାର ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରେ ଅଜୟ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ନିରାମୟ କେନ୍ଦ୍ରରୁ େଔଷଧ ଆଣିଥିଲେ । କିନ୍ତୁ ଏହି ଔଷଧ କିଛି କାମଦେଉନାହିଁ ।ରଂଜିତା ପଡା ପଡୋଶୀ ଓ ଗ୍ରାମବାସୀ ମାନଙ୍କ ଠାରୁ ଭିକ୍ଷା କରି ଘରୋଇ ଔଷଧ ଦୋକାନରୁ ଔଷଧ କିଣୁଛନ୍ତି ।
କିନ୍ତୁ ରଂଜିତା କେତେଦିନ ଆଉ ଭିକ୍ଷା କରି ସ୍ୱାମୀ ପାଇଁ ଔଷଧ ଯୋଗାଡ କରିବା ସହିତ ପରିବାର ପ୍ରତିପୋଷଣ କରିବେ ବୋଲି ଆମ ପ୍ରତିନିଧିଙ୍କୁ କୋହଭରା କଣ୍ଠରେ ପ୍ରକାଶ କରିଥିଲେ । ଅଜୟଙ୍କୁ ମିଳିଥିବା ଏକ ଆବାସ ଗୃହ ଅର୍ଥାଭାବରୁ ଏବେ ଅଧାରେ ପଡିରହିଛି । ଏକ ନୁଆଁଣିଆ ଚାଳ ଛପର ଘରେ ଅଜୟ ପରିବାର କୁ ନେଇ ରହୁଛନ୍ତି । ସ୍ଥାନୀୟ ଗ୍ରାମର ନାରୀନେତ୍ରୀ ତଥା ପୁର୍ବତନ ସରପଞ୍ଚ ଅହଲ୍ୟା ଲେଙ୍କା ଙ୍କ ସମେତ ଗ୍ରାମବାସୀମାନେ ଏକାଧିକ ରୋଗରେ ପିଡିତ ଅଜୟ ଙ୍କୁ ସରକାର ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଏତଦ୍ ବ୍ୟତିତ କୌଣସି ବେସରକାରୀ ସ୍ୱେଛାସେବୀ ସଙ୍ଗଠନ ବା ବଦାନ୍ୟ ବ୍ୟକ୍ତି ବିଶେଷ ସହଯୋଗ କରିବା ପାଇଁ ପତ୍ନୀ ରଂଜିତା ଆକୁଳ ନିବେଦନ କରିଛନ୍ତି । ଏଥିପାଇଁ ଫୋନ ନଂ ୯୧୭୮୯୭୨୦୨୮ ରେ ଯୋଗା ଯୋଗ କରିବାକୁ ରଂଜିତା ଅନୁରୋଧ କରିଛନ୍ତି ।
