ଭୁବନେଶ୍ୱର,୦୩/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆନ୍ଧ୍ର ପ୍ରଦେଶର ବପଟ୍ଲା ଜିଲା ଅନ୍ତର୍ଗତ ବଲିକୁରଭା ନିକଟସ୍ଥ ସତ୍ୟକୃଷ୍ଣା ଗ୍ରାନାଇଟ୍ ଖଣିରେ ଆଜି ରବିବାର ସକାଳେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗଞ୍ଜାମ ଜିଲାର ଦଣ୍ଡ ବଡ଼ତ୍ୟା, ବନମାଳ ଚେହ୍ରା, ଭାସ୍କର ବିଶୋଇ, ସନ୍ତୋଷ ଗୌଡ଼ ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ ଓ ମୁସା ଜାନ। ଏହି ଘଟଣାରେ ଅନ୍ୟ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ମାଧ୍ୟମରେ ପ୍ରତି ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ସାମାଜିକ ଗଣମାଧ୍ୟମ ଏକ୍ସରେ ସିଏମ୍ଓ ପକ୍ଷରୁ କହୁଯାଇଛି :
ଆନ୍ଧ୍ରପ୍ରଦେଶଠାରେ ଏକ ଦୁଃଖଦ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ଦଣ୍ଡ ବଡ଼ତ୍ୟା (ପିତା- ଅଭିମନ୍ୟୁ ବଡ଼ତ୍ୟା), ବନମାଳ ଚେହ୍ରା (ପିତା- ଭଗବାନ ଚେହ୍ରା), ଭାସ୍କର ବିଶୋଇ (ପିତା-ମାଗତା ବିଶୋଇ), ସନ୍ତୋଷ ଗୌଡ଼ (ପିତା- ପୂଜ୍ୟ ଗୌଡ଼) ଏବଂ ଗଜପତି ଜିଲ୍ଲାର ଟକୁନ ଦଳାଇ (ପିତା- କାର୍ତ୍ତିକ ଦଳାଇ) ଓ ମୁସା ଜାନ (ପିତା- ନର୍ଷୁ ଜାନ) ଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

