ଜଗତସିଂହପୁର, ୨୭/୦୬/୨୦୨୫ (ଓଡ଼ିଶା ସମାଚାର)- ଶ୍ରୀକୃଷ୍ଣ ଏକାଡେମି ବିଦ୍ୟାଳୟରେ ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ପାଳନ ହୋଇଯାଇଛି । ପ୍ରାଧିକରଣ ସଚିବଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରମାନେ ପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ସ୍ଵାଗତ ଭାଷଣ ଦେଇଥିଲେ ।
ପ୍ରାଧିକରଣ ସଚିବ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋଚନା କରିବା ସହ କହିଥିଲେ ଯେ ନିଶା ସେବନ କରିବାଦ୍ବାରା ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଏବଂ ସ୍ୱାସ୍ଥ୍ୟ ନଷ୍ଟ ହୋଇଥାଏ । ସାଧାରଣତଃ କୁସଙ୍ଗରୁ ନିଶା ସେବନର ଅଭ୍ୟାସ ଆରମ୍ଭ ହୋଇଥାଏ । ଧୀରେ ଧୀରେ ଏହା ଛାତ୍ର ଛାତ୍ରୀମାନଙ୍କର ଜୀବନର ଗତିପଥକୁ ବଦଳାଇଦେଇଥାଏ । ନିଶା ସେବନ କରିବା ଦ୍ଵାରା ମନରେ ଅପରାଧ ପ୍ରବଣତା ସୃଷ୍ଟି ହୋଇଥାଏ ଯାହାଦ୍ୱାରା ଯୁବକମାନେ ଅପରାଧ କରିଥାନ୍ତି ।
ଅତ୍ୟଧିକ ନିଶା ସେବନ ଦ୍ଵାରା କର୍କଟ ରୋଗ ହୋଇଥାଏ ଯାହାଫଳରେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାଏ । ନିଶା ସେବନ କରିବା ଦ୍ଵାରା ସାମାଜିକ କ୍ଷତି, ମାନସିକ ଅସ୍ଥିରତା, ଶାରୀରିକ ଅସୁସ୍ଥତା, ଧନହାନି ଓ ପାରିବାରିକ ହିଂସା ଘଟିଥାଏ । ତେଣୁ ମାଦକ ଦ୍ରବ୍ଯ ଓ ନିଶା ସେବନ ଠାରୁ ବହୁ ମାତ୍ରାରେ ଦୂରେଇ ରହିବା ଉଚିତ । ନିଶା ସେବନ କରିବା ଦ୍ୱାରା ହେଉଥିବା କୁପରିଣତି ବିଷୟରେ ‘ଅନୁତାପ’ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଚିବ ଛାତ୍ରଙ୍କୁ ସଚେତନ କରାଇଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଧନ୍ୟବାଦ ଦେଇଥିଲେ ।
