ଭୁବନେଶ୍ୱର,୨୨/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କର୍ମଚାରୀ ରାଜ୍ୟ ବୀମା ଯୋଜନା ଏକ ବହୁମୁଖୀ ସ୍ୱାସ୍ଥ୍ୟ ବୀମା ଓ ସାମାଜିକ ସୁରକ୍ଷା ଯୋଜନା ଯେଉଁଥିରେ ସଂଗଠିତ କ୍ଷେତ୍ରରେ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଥାଏ | ବୀମାଭୁକ୍ତ କର୍ମଚାରୀ ତଥା ସେମାନଙ୍କ ନିର୍ଭରଶୀଳ ପରିବାର ସଦସ୍ୟମାନେ ମଧ୍ୟ ଏହି ବୀମା ସେବା ପାଇଥାନ୍ତି |
ଏହି ଯୋଜନା ଓଡ଼ିଶାରେ ୧୯୬୦ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି | ବର୍ତ୍ତମାନ ଏହି ଯୋଜନାରେ ଓଡ଼ିଶାରେ ୪ ଗୋଟି ହସ୍ପିଟାଲ ଓ ୫୩ ଟି ଡିସପେନ୍ସାରୀ ମାଧ୍ୟମରେ ପ୍ରାୟତଃ ୧୦ ଲକ୍ଷ ବୀମାଭୁକ୍ତ କର୍ମଚାରୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି | ଏତଦ୍ ବ୍ୟତୀତ ଆଉ ୫ ଟି ନୂତନ ଡାକ୍ତରଖାନା ଖୋଲାଯିବାର ପ୍ରସ୍ତାବ ରହିଛି| ହିତାଧିକାରୀମାନଙ୍କୁ ସମ୍ପୂର୍ଣ ଚିକିତ୍ସା ସେବା ଯୋଗାଇଦେବା କର୍ମଚାରୀ ରାଜ୍ୟ ବୀମା ଯୋଜନାର ମୂଳ ଲକ୍ଷ୍ୟ |
ସାଂପ୍ରତିକ ସ୍ଥିତି ଅନୁସାରେ କିଡନୀ, ହୃଦରୋଗ ଇତ୍ୟାଦି ବହୁମାତ୍ରାରେ ଦେଖାଯାଉଛି | ଏଥିନିମନ୍ତେ ହିତାଧିକାରୀମାନଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ୧୨ ଟି Secondary Care ଓ ୧୫ ଟି Tertiary Care ସହ ଚୁକ୍ତି କରାଯାଇଛି | ବୀମାଭୁକ୍ତ କର୍ମଚାରୀଙ୍କୁ ଅଧିକ ଚିକିତ୍ସା ସେବା ଯୋଗାଇବାପାଇଁ ପ୍ରତ୍ୟକ ଜିଲ୍ଲା ସ୍ତରରେ Secondary Care ସହ ଖୁବଶୀଘ୍ର ଚୁକ୍ତି କରାଯାଉଛି | ନିକଟରେ ପ୍ରଥମ କରି ଭୁବନେଶ୍ୱରରେ କର୍ମଚାରୀ ରାଜ୍ୟ ବୀମା ( ଇ .ଏସ. ଆଇ) ହସ୍ପିଟାଲରେ ଡ଼ାଏଲେସିସ ୟୁନିଟ (Dialysis Unit) ଖୋଲାଯାଇଛି |
ଏହି ବୀମାଭୁକ୍ତ କର୍ମଚାରୀମାନଙ୍କର ସୁବିଧାପାଇଁ ଇ .ଏସ. ଆଇ ହସ୍ପିଟାଲ, ଭୁବନେଶ୍ୱରରେ ଆଜି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଉଚ୍ଚ ବିଶେଷଜ୍ଞ ବହିବିଭାଗ (Super Specialty OPD) ଚିକିତ୍ସାର ଶୁଭ ଉଦଘାଟନ କରିଛନ୍ତି | ଏହି ସେବା ହାଇ-ଟେକ ମେଡ଼ିକାଲ କଲେଜ ଓ ହସପିଟାଲ, ଭୁବନେଶ୍ୱରଙ୍କ ସହଭାଗିତାରେ କାର୍ଯ୍ୟକାରୀ ହେବ | ଏଥିରେ ଉଚ୍ଚ ବିଶେଷଜ୍ଞ ଚିକିତ୍ସା ଯଥା –ଇଉରୋଲୋଜି (Urology), କାର୍ଡିଓଲୋଜି (Cardiology), ଅଙ୍କଲୋଜି (Oncology), ନ୍ୟୁରୋସର୍ଜରୀ (Neurosurgery), ନେଫ୍ରୋଲୋଜି (Nephrology),ନିଉରୋଲୋଜି (Neurology)ଏବଂ ଏଣ୍ଡୋକ୍ରାଇନୋଲୋଜି (Endocrinology) ର ସୁବିଧା ରହିଛି।
ଏହି ସେବା ମଧ୍ୟ ବୀମାଭୁକ୍ତ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟ ମାନଙ୍କ ନିମନ୍ତେ ବିନା ଦେୟରେ ଉପଲବ୍ଧ। ରାଜ୍ୟ ସରକାର ବୀମାଭୁକ୍ତ କର୍ମଚାରୀ ମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ବିନା ବାଧାରେ ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ।
-0-
ମାନସ ରଞ୍ଜନ ଖୁଣ୍ଟିଆ ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ