ଓଡ଼ିଆ ପକ୍ଷର ନବମ ଦିବସରେ “ଆସ ବହିଟିଏ କିଣିବା” ଅଭିଯାନ ଆୟୋଜିତ

ସାହିତ୍ୟ ଜଗତର ସାରସ୍ୱତ ସାଧାକମାନଙ୍କ ପାଇଁ ସମର୍ପିତ ଆଜିର “ଆସ ବହିଟିଏ କିଣିବା” ଅଭିଯାନ

ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟରେ ପୁସ୍ତକ ପ୍ରଦର୍ଶନୀର ଆୟୋଜନ, ସମସ୍ତଙ୍କ ମଧ୍ୟରେ ବହି କିଣିବା ପାଇଁ ଉତ୍ସାହ ପରିଲକ୍ଷିତ

ବହି କିଣିବା ପାଇଁ ଆଜି ବହି ଦୋକାନରେ ଜମିଲା ପାଠକଙ୍କ ଭିଡ଼, ବହି କିଣିବା ସହ ନିୟମିତ ଭାବେ ପୁସ୍ତକ ପଠନକୁ ନିଜର ଦିନଚର୍ଯ୍ୟାରେ ସଂଶ୍ଳିଷ୍ଟ କରିବା ପାଇଁ ଆହ୍ୱାନ

ଭୁବନେଶ୍ୱର,୦୯/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ପ୍ରଥମଥର ପାଇଁ ଏପ୍ରିଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କ ପାଇଁ ସମର୍ପିତ ଥିଲା ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନ। ସାହିତ୍ୟ ଜଗତର ସାଧାକମାନଙ୍କ ଦ୍ୱାରା ଲିଖିତ ପୁସ୍ତକକୁ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ଲକ୍ଷ୍ୟରେ ସାରା ରାଜ୍ୟରେ ଆଜି “ଆସ ବହିଟିଏ କିଣିବା” ଅଭିଯାନକୁ ପାଳନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପୁସ୍ତକ ବିକ୍ରୟ କେନ୍ଦ୍ର ତଥା ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀମାନେ ପୁସ୍ତକ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିବା ସହିତ ବହି ମଧ୍ୟ କିଣିଥିଲେ। ଏଥିସହିତ ମହାବିଦ୍ୟାଳୟ ମାନଙ୍କରେ ଓଡ଼ିଆ ସାହିତ୍ୟ ଏବଂ ପୁସ୍ତକ ପଠନ ସମ୍ବନ୍ଧୀୟ ଆଲୋଚନା ଚକ୍ରର ଆୟୋଜନ କରାଯିବା ସହିତ ବହି କିଣିବା ଓ ପୁସ୍ତକ ପଠନକୁ ନିୟମିତ ଭାବରେ ନିଜର ଦିନଚର୍ଯ୍ୟାରେ ସଂଶ୍ଳିଷ୍ଟ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ରହିଥିବା ବହି ଦୋକାନମାନଙ୍କରେ ମଧ୍ୟ “ଆସ ବହିଟିଏ କିଣିବା” ଅଭିଯାନକୁ ପାଳନ କରାଯାଇଥିଲା। ଆଜିର ଦିନରେ ବହି ଦୋକାନଗୁଡ଼ିକରେ ପାଠକ ଏବଂ ବିଦ୍ୟାର୍ଥୀମାନଙ୍କର ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା। ସମସ୍ତେ ଆନନ୍ଦର ସହିତ ନିଜ ପାଇଁ ବହି କିଣିବା ସହିତ ନିଜ ବନ୍ଧୁ ପରିଜନମାନଙ୍କୁ ମଧ୍ୟ ବହିଟିଏ ଉପହାର ଭାବେ ପ୍ରଦାନ କରିଥିଲେ। ଏଥିସହିତ ବହି କିଣିବା ଓ ପଢ଼ିବାର ସେଲ୍ଫି ଉଠାଇ ଏହାକୁ ଅତି ଉତ୍ସାହର ସହିତ ଓଡ଼ିଆ ପକ୍ଷ ପାଇଁ ନିର୍ମିତ ୱେବସାଇଟ (www.odiapakhya.com)ରେ ମଧ୍ୟ ଅପଲୋଡ଼ କରିଥିଲେ।

ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନ ସମ୍ବନ୍ଧରେ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ସାହିତ୍ୟ ସର୍ଜନାକୁ ପ୍ରୋତ୍ସାହନ ଦେବା ଦିଗରେ ସାରା ରାଜ୍ୟରେ ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନକୁ ସଫଳତାର ସହ ପାଳନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନରେ ସମସ୍ତ ଓଡ଼ିଶାବାସୀଙ୍କୁ ସାମିଲ ହେବା ପାଇଁ ଅପିଲ୍ କରିବା ସହିତ ଓଡ଼ିଆ ସାହିତ୍ୟ ଜଗତକୁ ପରିପୁଷ୍ଟ କରିବା ନିମନ୍ତେ ସମସ୍ତଙ୍କୁ ପ୍ରେରିତ କରିଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *