କଟକ,୨୫/୦୩/୨୦୨୫(ଓଡ଼ିଶା ସମାଚାର)- କଟକ ବାଦାମବାଡ଼ି ଅଂଚଳରେ ଥିବା ଏକ ଫ୍ଲାଟରେ ଜଣେ ମାଲଗୋଦାମ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତମାନେ ୫ ଲକ୍ଷ ଟଙ୍କା ଲୁଟ୍ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଖବରପାଇ ବାଦାମବାଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି ।
ପ୍ରକାଶ ଯେ କଟକ ମାଲଗୋଦାମର ଜିରା,ଧନିଆ ଆଦି ବିଭିନ୍ନମସଲା ବ୍ୟବସାୟୀ ନିରଞ୍ଜନ ଗୋୟଙ୍କା (୭୨) ସୋମବାର ରାତି ପ୍ରାୟ ସାଢ଼େ ଆଠଟା ବେଳେ ମାଲଗୋଦାମରୁ ବାଦାମବାଡ଼ି କୌସ୍ତଭ ଟ୍ୱାୱାରସ୍ଥିତ ଘରକୁ ନିଜ କାରରେ ଡ୍ରାଇଭର ସହ ଆସିଥିଲେ । ସେ ଟାୱାରର ପାର୍କିଂସ୍ଥଳରେ କାର୍ ଥୋଇ ପ୍ରଥମ ମହଲାରେ ଥିବା ଫ୍ଲାଟକୁ ଯାଉଥିଲେ । ପୂର୍ବରୁ ଦୁଇଜଣ ଦୁର୍ବୃତ ଫ୍ଲାଟର ପାହାଚ ନିକଟରେ ଛିଡ଼ା ହୋଇଥିଲେ ।
ନିରଞ୍ଜନ ସେଠାରେ ପହଂଚିବା କ୍ଷଣି ଦୁର୍ବୃତ ଦୁଇ ଜଣ ତାଙ୍କ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ । ନିରଞ୍ଜନ ଓ ତାଙ୍କ ଡ୍ରାଇଭରଙ୍କ ସହିତ ଦୃୁର୍ବୃତମାନଙ୍କର କିଛି ସମୟ ଠେଲାପେଲା ହୋଇଥିଲା । ଦୁର୍ବୃତ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ଟଙ୍କା ବ୍ୟାଗ୍ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଧସ୍ତାଧସ୍ତିରେ ନିରଞ୍ଜନ ଓ ତାଙ୍କ ଡ୍ରାଇଭର ଆହତ ହୋଇଛନ୍ତି । ସେମାନେ ବନ୍ଧୁକକୁ ସେଠାରେ ଫିଙ୍ଗି ଦେଇ ଫେରାର ହୋଇଥିଲେ । ଏହି ବନ୍ଧୁକଟି ଖେଳନା ବନ୍ଧୁକ ବୋଲି ଜଣାପଡ଼ିଛି । ପୁଲିସ ଘଟଣାସ୍ଥଳରୁ ଏହି ଖେଳନା ବନ୍ଧୁକକୁ ଜବତ କରି ତଦନ୍ତ ଚଳାଇଛି ।
