ଭୁବନେଶ୍ୱର,୧୨/୦୧/୨୦୨୫ (ଓଡ଼ିଶା ସମାଚାର)- ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଏହାର ସର୍ବାଙ୍ଗୀନ ବିକାଶ ତଥା ସୁନାମ ବଢାଇବାରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଅବଦାନ ଓ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ‘ଓଲ୍ଡ଼ ଇଜ୍ ଗୋଲ୍ଡ଼’ ଭଳି ପୁରାତନ ଛାତ୍ରଛାତ୍ରୀମାନେ କେବଳ ଶିକ୍ଷାନୁଷ୍ଠାନ ନୁହେଁ, ସମାଜର ବିକାଶ ପାଇଁ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ବର୍ତମାନର ଡିଜିଟାଲ ଯୁଗର ପ୍ରତିଯୋଗିତାମୂଳକ ବାତାବରଣ ମଧ୍ୟରେ ଶୃଙ୍ଖଳିତ ଜୀବନ ଆଧାରିତ ମୂଲ୍ୟବୋଧଭିତିକ ଶିକ୍ଷାର ଜରୁରୀ ଆବଶ୍ୟକତା ରହିଥିବା ବେଳେ ଏ କ୍ଷେତ୍ରରେ ପୁରାତନ ଛାତ୍ରଛାତ୍ରୀମାନେ ଉତର ପିଢିକୁ ଦିଗ୍ଦର୍ଶନ ଦେବାର ସମୟ ଆସିଛି ବୋଲି ମତପ୍ରକାଶ ପାଇଛି ।
ଚୌଦ୍ୱାର ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ବାର୍ଷିକ ବନ୍ଧୁ ମିଳନ ସମାରୋହ (୨୦୨୫) ରବିବାର ମହାବିଦ୍ୟାଳୟ ପରିସରସ୍ଥ ନବନିର୍ମିତ କନଫରରେନ୍ସ ହଲ୍ରେ ସଭାପତି ବିବେକାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମୀ ରାଉତରାୟ, ଅଧ୍ୟାପକ ସୁମନ୍ତ ସାହୁ, ବସନ୍ତ ବିଶ୍ୱାଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଚିତ୍ରାନନ୍ଦ ରାଉତରାୟ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନଙ୍କ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଏହାର ବିକାଶ କ୍ଷେତ୍ରରେ ଦେଇଥିବା ଯୋଗଦାନ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ହେବାକୁ ଯାଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ସହଯୋଗ ଜାରି ରଖିବାକୁ ନିବେଦନ ଜଣାଇଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ଅଞ୍ଜନା ସ୍ୱାଇଁ, ବିଭୂତି ଭୂଷଣ ସାହୁ, ଝୁଲେନ୍ଦ୍ର ନାୟକ, ରବୀନ୍ଦ୍ର କୁମାର ମହାପାତ୍ର, ଅଞ୍ଜନ ଜେନା, କୈଳାସ ସାହାଣୀ, ହେମନ୍ତ ମହାନ୍ତି ପ୍ରମୁଖ ପାଠପଢା ଦିନର ସ୍ମୃତି ଅନୁଭୂତି ବଖାଣିବା ସହ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ଶେଷରେ ସମ୍ପାଦକ କେଶବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମୁରଲୀଧର ବେହୁରା, ସୌମିତ୍ର ସ୍ୱାଇଁ, କ୍ଷୀରୋଦ ବେହେରା, ଧନଞ୍ଜୟ ମହାପାତ୍ର, ବିବେକା ବେହେରା, ବିଚିତ୍ରାନନ୍ଦ ସାହୁ, ନରହରି ବେହେରା, ଗଙ୍ଗାଧର ସାହୁ, ଶିବ ବେହୁରା, ଅଜିତ ଦାସ, ଅଜୟ ବଳ, ଶ୍ରୀନିବାସ ସାହୁ, ଲିଙ୍ଗରାଜ ମୁଦୁଲି, ଜୀବନ ବଳ, ଅକ୍ଷୟ ଭୂୟାଁ, ହରିହର ପରିଡ଼ା, ବାବୁ ବେହେରା, ରାଜୀବ ମହାନ୍ତି, କଳ୍ପନା ଦାଶ, କବିତା ପରିଡ଼ା, ସାୟିରା ଖାତୁନ ପ୍ରମୁଖ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ ।
ଶିକ୍ଷାନୁଷ୍ଠାନର ବିକାଶ ଓ ସୁନାମ ବଢାଇବାରେ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
