କ୍ରୁରତାହୀନ ତଥା ରାସାୟନିକ ରଙ୍ଗମୁକ୍ତ ଓଡ଼ିଶାର ‘କରୁଣା ସିଲ୍କ’ ଭାରତୀୟ ବୟନ ଶିଳ୍ପ କ୍ଷେତ୍ରରେ ଏକ ନୂଆ ପ୍ରୟୋଗ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୩/୧୧/୨୦୨୪ (ଓଡ଼ିଶା ସମାଚାର)- ରେଶମ ପୋକକୁ ନମାରି କ୍ରୁରତାହୀନ ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି ଓଡ଼ିଶା ଯେଉଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା, ସେଥିରେ ଏକ ନୂଆ ବିଷୟ ଯୋଡ଼ି ହୋଇଛି। ଏହି ପଦ୍ଧତିରେ ବାହାରୁଥିବା ରେଶମ ସୂତାରେ ଏବେ କୌଣସି ପ୍ରକାର କୃତ୍ରିମ ରଙ୍ଗ ନ ମିଶାଇ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ‘କରୁଣା ସିଲ୍କ’ର କପଡ଼ା ପ୍ରସ୍ତୁତ କରାଯାଉଛି। ଏହି କପଡ଼ାରୁ ତିଆରି ଆଧୁନିକ ପୋଷାକ ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗ୍ରାହକଙ୍କ ଆଦର ଲାଭ କରିଛି।
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏହି ମେଳାର ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟର ବିଭିନ୍ନ ହସ୍ତକଳା ଓ ହସ୍ତତନ୍ତ, ଜନଜାତି କଳାକୃତି ଏବଂ ଗ୍ରାମୀଣ ଉତ୍ପାଦ ଆଦି ପ୍ରଦର୍ଶନ ଓ ବିକ୍ରି ହେଉଛି। ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ‘ଅମ୍ଳାନ’ ଆଉଟ୍ଲେଟ୍ରେ ‘କରୁଣା ସିଲ୍କ’ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଓ ଆଧୁନିକ ପୋଷାକ ବିକ୍ରି କରାଯାଉଛି। ତା’ ମଧ୍ୟରେ ରହିଛି ଶାଢ଼ି, କପଡ଼ା ଏବଂ ରେଡିମେଡ୍ ଜ୍ୟାକେଟ୍।
‘କରୁଣା ସିଲ୍କ’ ଉତ୍ପାଦନର ଏହି ଅଭିନବ ପଦ୍ଧତିକୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରାଜ୍ୟ ସରକାର ପ୍ରଦର୍ଶନ କରୁଛନ୍ତି। ଓଡ଼ିଶାର ଯାଜପୁର ଜିଲ୍ଲା ଗୋପାଳପୁର ଅଂଚଳର ବୁଣାକାରମାନେ ‘ଓଡ଼ିଶା ମଣ୍ଡପ’ର ଲାଇଭ୍ ଡେମନଷ୍ଟ୍ରେସନ୍ ଭାଗରେ ବସି ପାରମ୍ପରିକ ତନ୍ତ ସାହାଯ୍ୟରେ କପଡ଼ା ବୁଣୁଛନ୍ତି। ଦେଶ ବିଦେଶର ପର୍ଯ୍ୟଟକ, ବିଶେଷକରି ଭାରତୀୟ ପୋଷାକପ୍ରେମୀ ଏଥିପ୍ରତି ଆକର୍ଷିତ ହେବା ସହ ଏହି ଅଭିନବ ସିଲ୍କ ବିଷୟରେ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
“ଓଡ଼ିଶାର ‘କରୁଣା ସିଲ୍କ’ ବିଷୟରେ ମୁଁ ପ୍ରଥମଥର ପାଇଁ ବାଣିଜ୍ୟ ମେଳାରୁ ଜାଣିବାକୁ ପାଇଲି। ରେଶମ ପୋକକୁ ନମାରି ଏବଂ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର ନକରି ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ଏଭଳି ସିଲ୍କ ପ୍ରସ୍ତୁତ କରିବା ପ୍ରଶଂସାଯୋଗ୍ୟ”, କହିଛନ୍ତି ମେଳା ବୁଲିବାକୁ ଆସିଥିବା ଦିଲ୍ଲୀର ଉଦିତ ଜୈନ।
“କରୁଣା ସିଲ୍କର ପୋଷାକ ଦିଲ୍ଲୀବାସୀଙ୍କୁ ଭାରି ପସନ୍ଦ ଆସୁଛି। କାରଣ ଏହା ତନ୍ତ ତିଆରି। ତା’ ସାଙ୍ଗକୁ ଏଥିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଉ ନାହିଁ। ବାଣିଜ୍ୟ ମେଳାକୁ ଆସୁଥିବା ଲୋକେ ଏହାର ଲାଇଭ୍ ଡେମୋ ଦେଖିବା ପରେ ଏହି ପୋଷାକ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖାଉଛନ୍ତି”, କହିଛନ୍ତି ସେରିଫେଡ୍ ପକ୍ଷରୁ ମେଳାର ‘ଅମ୍ଳାନ’ ଆଉଟ୍ଲେଟ୍ରେ ଥିବା ବାବୁଲି ଦାସ।
ଓଡ଼ିଶାରେ ୪ ପ୍ରକାର ରେଶମ କୀଟର ଚାଷ କରାଯାଉଛି। ସେଗୁଡ଼ିକ ହେଲା ଏରି, ମଲବେରୀ, ଟସର ଏବଂ ମୁଗା। ରାଜ୍ୟରେ ପ୍ରଥମେ ଏରି ବା ଏଣ୍ଡିପୋକ ସୂତାରୁ ‘କରୁଣା ସିଲ୍କ’ ପ୍ରସ୍ତୁତ କରାଯାଉଥିଲା। ଏବେ ସମସ୍ତ ୪ ପ୍ରକାର ରେଶମ ଖୋସାରୁ ଏହି ସିଲ୍କ ପ୍ରସ୍ତୁତ କରାଯାଉଛି। ସାଧାରଣତଃ ରେଶମ ପୋକର ଖୋସାକୁ ପ୍ରଥମେ ଗରମ ପାଣିରେ ସିଝାଇ ସେଥିରୁ ସୂତା ବାହାର କରାଯାଏ। ସେହି ସୂତାରୁ ରେଶମ ପୋଷାକ ତିଆରି ହୁଏ। ଗରମ ପାଣିରେ ସିଝାଇବା ବେଳେ ଖୋସାରେ ଥିବା ପୋକର ମୃତ୍ୟୁ ହୁଏ।
ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଗୋଟିଏ ମଲବେରୀ ସିଲ୍କ ଶାଢ଼ି ପ୍ରସ୍ତୁତି ପାଇଁ ୧୦ରୁ ୨୦ ହଜାର ଖୋସା ଦରକାର ପଡ଼ିଥାଏ। ସେହିପରି ଗୋଟିଏ ଟସର ସିଲ୍କ ଶାଢ଼ି ପାଇଁ ୫ରୁ ୭ ହଜାର ପର୍ଯ୍ୟନ୍ତ ଖୋସା ଦରକାର ପଡ଼େ। ଅର୍ଥାତ୍ ଏଥିରେ ସେତିକି ସଂଖ୍ୟାରେ ରେଶମ କୀଟଙ୍କ ଜୀବନ ଯାଇଥାଏ।
କିନ୍ତୁ ‘କରୁଣା ସିଲ୍କ’ ପାଇଁ ରେଶମ କୀଟର ଜୀବନ ଯାଉନାହିଁ। ଏଥିପାଇଁ ଓଡ଼ିଶା କ୍ରୁରତାହୀନ ନୀତିକୁ ଆଦରିନେଇଛି। ନୂତନ ପଦ୍ଧତି ଅନୁଯାୟୀ ପୋକକୁ ନ ମାରି ଏହା ଖୋସାକୁ ଫଟାଇ ପ୍ରଜାପତି ରୂପରେ ଉଡ଼ିଯିବା ପାଇଁ ଛାଡ଼ି ଦିଆଯାଏ। ପରେ ସେହି ଖୋସାକୁ ଆଣି ସେଥିରୁ ସୂତା ବାହାର କରାଯାଏ।
ଗତ କିଛି ବର୍ଷ ଧରି ‘କରୁଣା ସିଲ୍କ’ ପଦ୍ଧତିରେ ବାହାରୁଥିବା ସୂତାରୁ ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’ ପ୍ରସ୍ତୁତ କରାଯାଉଛି। ଖୋର୍ଦ୍ଧା ନିକଟରେ ଥିବା ରାଉତପଡ଼ା ଅଂଚଳର ବୁଣାକାରମାନେ ଏହି ସୂତାରେ ଆବଶ୍ୟକ ରଙ୍ଗ ଦେଇ ମହାପ୍ରଭୁଙ୍କ ପାଇଁ ଆକର୍ଷଣୀୟ ଖଣ୍ଡୁଆ ପାଟ ବୁଣିଥାଆନ୍ତି। ଏହି ପାଟରେ ଜୟଦେବଙ୍କ ‘ଗୀତଗୋବିନ୍ଦ’ର ପଂକ୍ତି ବୁଣାଯାଇଥାଏ।
‘କରୁଣା ସିଲ୍କ’ର ନୂଆ ଧାରା ହିସାବରେ ଏବେ ଖୋସାରୁ ବାହାରୁଥିବା ସୂତାରେ କୌଣସି ପ୍ରକାର ରାସାୟନିକ ରଙ୍ଗ ନ ମିଶାଇ ତାକୁ ପ୍ରାକୃତିକ ଭାବେ ବ୍ୟବହାର କରାଯାଉଛି। କୌଣସି କୃତ୍ରିମ ରଙ୍ଗ ମିଶି ନଥିବା ଏହି ପୋଷାକ ଏବେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଶେଷ ଆକର୍ଷଣ ହୋଇପାରିଛି।
“ବାଣିଜ୍ୟ ମେଳାରେ ପ୍ରଦର୍ଶିତ ‘କରୁଣା ସିଲ୍କ’ ମତେ ବେଶି ଆକର୍ଷିତ କଲା। ପୋକକୁ ନମାରି ଖୋସାରୁ ରେଶମ ସଂଗ୍ରହ କରିବା ସହ ବୟନ ଶିଳ୍ପ କ୍ଷେତ୍ରରେ କ୍ରୁରତାହୀନ ନୀତିର ଏହା ଏକ ସୁନ୍ଦର ପ୍ରୟୋଗ। ଏକଥା ଆଜି ସାରା ଦେଶକୁ ଦେଖାଇଦେଇଛି ଆମ ରାଜ୍ୟ ଓଡ଼ିଶା”, ଓଡ଼ିଶା ମଣ୍ଡପ ବୁଲି ଆସିବା ଅବସରରେ କହିଛନ୍ତି ଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନନ୍ତ ଓଝା।
ଆଗାମୀ ଦିନରେ ‘କରୁଣା ସିଲ୍କ’ ପ୍ରସ୍ତୁତ ପୋଷାକ ପାଇଁ କିପରି ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇପାରିବ, ସେ ଦିଗରେ କାମ କରୁଛି ଓଡ଼ିଶା। ଆମ୍ବ ଓ ପଣସ ଗଛର ଛାଲି, ଗେଣ୍ଡୁଫୁଲ ଓ କୁଙ୍କୁମ ଲଟାର ଫଳରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ବିଭିନ୍ନ ରଙ୍ଗ ‘କରୁଣା ସିଲ୍କ’ରୁ ତିଆରି ଆଧୁନିକ ପୋଷାକକୁ ରଙ୍ଗିନ ଓ ଆକର୍ଷଣୀୟ କରିବ।
ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରୋତ୍ସାହନରେ ରାଜ୍ୟର ୨୨ଟି ଜିଲ୍ଲାରେ ବିଭିନ୍ନ ପ୍ରକାର ରେଶମ ଚାଷ କରାଯାଉଛି। ସେହିପରି ଖୋର୍ଦ୍ଧାର ରାଉତପଡ଼ା, କଟକର ନୂଆପାଟଣା ଏବଂ ଯାଜପୁରର ଗୋପାଳପୁର ଅଂଚଳର ବୁଣାକାରମାନେ ପାରମ୍ପରିକ ଓ ଆଧୁନିକ ରେଶମ ଶାଢ଼ି, କପଡ଼ା ଏବଂ ବିଭିନ୍ନ ପ୍ରକାର ପୋଷାକ ତିଆରି କରୁଛନ୍ତି।
‘କରୁଣା ସିଲ୍କ’ର କ୍ରୁରତାହୀନ ଏବଂ ରଙ୍ଗହୀନ କିସମ ଓଡ଼ିଶାର ଏକ ଅଭିନବ ପ୍ରୟାସ। ଏହା ଭାରତୀୟ ବୟନ ଶିଳ୍ପ ଦୁନିଆରେ ରେଶମ ଉତ୍ପାଦନକୁ ପରିବେଶ ଅନୁକୂଳ ଓ ଦୀର୍ଘସ୍ଥାୟୀ କରିବା ସହ ଓଡ଼ିଶାର ରେଶମ ଚାଷୀ ଏବଂ ଏହି ଶିଳ୍ପ ସହ ଯୋଡ଼ି ହୋଇଥିବା ଲୋକଙ୍କ ଜୀବିକାକୁ ସୁଦୃଢ଼ କରିବାରେ ସହାୟକ ହେବ।