ଭୁବନେଶ୍ୱର,୧୮/୧୧/୨୦୨୪ (ଓଡ଼ିଶା ସମାଚାର)- ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କର ପରଲୋକ ଘଟିଛି। ସୋମବାର ଦିନ ୨ଟା ୧୦ ମିନିଟରେ କଟକର ସିଡିଏସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିମୋନିଆ, କିଡ଼ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ।କିଛି ବର୍ଷ ପୂର୍ବେ ତାଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଥିଲା। ସ୍ବର୍ଗତ ଦେ’ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚିଛନ୍ତି। ସ୍ବର୍ଗତ ସମୀର ଦେ’ ଜଗତସିଂହପୁର ଜିଲାର ପୁନଙ୍ଗ ଗ୍ରାମର ଏକ ସମ୍ଭ୍ରାନ୍ତ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ କାଳରେ କଟକରେ ଉଚ୍ଚ ଶିକ୍ଷା ଲାଭ କରି ଆଇନଜୀବୀ ପେଶା ଗ୍ରହଣ କରିଥିଲେ। ବିଜେପି ଦଳରୁ ପ୍ରାର୍ଥୀ ହୋଇ କ୍ରମାଗତ ଭାବରେ ୩ଥର କଟକ ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ରାଜ୍ୟରେ ବିଜେପି ଓ ବିଜେଡି ମିଳିତ ଭାବରେ ସରକାର ଗଠନ ହେବାପରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଥିଲା। ୨୦୦୦ ମସିହାରେ ତାଙ୍କୁ ଶିକ୍ଷାମନ୍ତ୍ରୀ ଏବଂ ୨୦୦୫ରେ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପଦ ମିଳିଥିଲା।
ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କର ପରଲୋକ
