ଚିର ନିଦ୍ରାରେ ରକ୍ତ କର୍କଟ ପୀଡିତ ନିଷ୍ପାପ ଶିଶୁ କ୍ଷିତୀଶ, ମଉଳି ଗଲା ବଂଚିବାର ସ୍ବପ୍ନ

ମାହାଙ୍ଗା ୧୨/୧୦/୨୦୨୪ (ଓଡିଶା ସମାଚାର /ଅଭୟ ଜେନା)- କାଲି କହୁଥିଲା ଡାକ୍ତର ବାବୁ ମୋତେ ଭଲକରି ଦିଅ,ମୁଁ’ ବଂଚିବାକୁ ଚାହେଁ । ମୁଁ’ ସ୍କୁଲ ଯିବି,ପାଠ ପଢ଼ିବି, ଖେଳିବି, ବୁଲିବି । ନିରୀହ ପିଲାଟିର ଆକୁଳ ନିବେଦନ ଯାହା କାନରେ ପଡିଛି, ସେ ତରଳି ଯାଇଛି । ବଦାନ୍ୟ ବ୍ୟକ୍ତି ମାନଙ୍କ ଆଶୀର୍ବାଦ ସହିତ ଆର୍ଥିକ ଅନୁଦାନ ନେଇ ଟାଟା ମେମୋରିଆଲ ହସ୍ପିଟାଲକୁ ଯାଇଥିଲା କ୍ଷିତୀଶ ପଲେଇ । ଗାଁର ସପନେଶ୍ୱରଙ୍କ ମନ୍ଦିରରେ ସାମୁହିକ ପ୍ରାର୍ଥନା ଓ ପୂଜାର୍ଚ୍ଚନା ପରେ ହସ୍ପିଟାଲ ନିଆଯାଇଥିଲା କ୍ଷିତୀଶକୁ । ମାହାଙ୍ଗା ଥାନା କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଅକୁଳି ପଲେଇଙ୍କ ଏକମାତ୍ର ପୁତ୍ର କ୍ଷିତୀଶ । ବୟସ ମାତ୍ର ୯ ବର୍ଷ, କଲ୍ୟାଣପୁର ସରକାରୀ ପ୍ରାଥମିକ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ର । ଡାକ୍ତରଙ୍କ ପରାମର୍ଶ ପରେ ରକ୍ତ କର୍କଟ ଆକ୍ରାନ୍ତ କ୍ଷିତୀଶକୁ ବମ୍ବେ ନେଇ ଯାଇଥିଲେ ପରିବାର ଲୋକେ । ସେଠାରେ ପିଲାଟିର (ବି ଏମ ଟି) ହୋଇଥାନ୍ତା । କିନ୍ତୁ ଅବସ୍ଥା ଅତି ଜଟିଳ ହେବାରୁ ୨ ମାସର ଚିକିତ୍ସା ପରେ ସେମାନେ କଟକ ଫେରି ଆସିଲେ । ଓଡ଼ିଶାରେ ଏହି ରୋଗର ଚିକିତ୍ସା ସମ୍ଭବ ନୁହେଁ । ରକ୍ତ ଦେଇ କେତେଦିନ ବଂଚେଇ ହେବ କ୍ଷିତୀଶକୁ ? । ଶନିବାର ଭୋରୁ ସବୁଦିନ ପାଇଁ ଆଖି ବୁଜିଦେଲା ରୋଗୀଣା ପୁଅ କ୍ଷିତୀଶ । ଏହି ପୁଅଟି ପାଇଁ ବାପା ମାଆଙ୍କ ଆଖିରୁ ଅନବରତ ଲୁହ ଝରୁଥିଲା । ଯେଉଁ କ୍ଷିତୀଶ ଦିନେ ତା’ର କଅଁଳ ହାତରେ ହସ୍ପିଟାଲ ସାମ୍ନାରେ ଜନ୍ମଦାତ୍ରୀ ମାଆ ଆଖିରୁ ଲୁହ ପୋଛି ଦେଉଥିଲା , କହୁଥିଲା ବୋଉ ତୁ’ କାନ୍ଦେନା ମୁଁ’ ନିଶ୍ଚୟ ଭଲ ହୋଇଯିବି । ଡାକ୍ତର ବାବୁ ମୋତେ ଭଲ କରିଦେବେ । ହେଲେ ବିଧିର ବିଧାନ ବଡ଼ ବିଚିତ୍ର । ବାପା ମାଆଙ୍କ ଆଗରେ ଛୋଟ ପୁଅଟିର ଶବକୁ ଦାହ ସତ୍କାର ପାଇଁ ସ୍ମଶାନ ନେବାକୁ ପଡିଲା । କ୍ଷିତୀଶର ଅକାଳ ବିୟୋଗରେ କେବଳ କୁହୁଣ୍ଡା ପଞ୍ଚାୟତ ନୁହେଁ ଆଖ ପାଖ ଅଂଚଳର ସମସ୍ତଙ୍କ ଆଖିରେ ଲୁହ । ତା’ଙ୍କ ଦାଣ୍ଡ ଦୁଆରେ ଶହଶହ ଲୋକେ ରୁଣ୍ଡ ହୋଇଥିଲେ, ଦୁଃଖ ଓ କୋହରେ ଛାତି ଫାଟି ଯାଉଥିଲା । ସାରା ଗାଁ’ରେ ଶୋକର ଛାୟା ଖେଳି ଯାଇଥିଲା । ଯିଏ ନାହିଁ ସିଏ ସମସ୍ତେ କହୁଥିଲେ, ହେ ଠାକୁରେ ଏମିତି କାହିଁକି କଲ, ନିରୀହ ନିଷ୍ପାପ ପିଲାଟିକୁ ଏତେ ଶୀଘ୍ର ପାଖକୁ ନେଇଗଲ । ସାମାଜିକକର୍ମୀ ଅଖିଳେଶ ମହାନ୍ତିଙ୍କ ସମେତ ଅନେକ ସହୃଦୟ ବ୍ୟକ୍ତି କ୍ଷିତୀଶର ଶବକୁ କାନ୍ଧ ଦେଇ ସ୍ମଶାନ ପର୍ୟ୍ୟନ୍ତ ନେଇଥିଲେ ।

Leave a Reply

Your email address will not be published. Required fields are marked *