କେନ୍ଦ୍ରାପଡା,୧୦/୧୦/୨୦୨୪ (ଓଡ଼ିଶା ସମାଚାର)-ଆଇନ ମହାବିଦ୍ୟାଳୟ କଲୋନୀ ସ୍ଥିତ ଜିଲାର ପ୍ରତିଷ୍ଠିତ ସାଂସ୍କୃତିକ ଶିକ୍ଷାନୁଷ୍ଠାନ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥି ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ବୌଦ୍ଧିକ ପ୍ରତିଯୋଗିତାର କ୍ରୁତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ପ୍ରଗତିଶୀଳ କବି ନିରାକାର ଦାସ ଓ ମୁଖ୍ୟବକ୍ତା ଭାବେ ଶିକ୍ଷକ ନେତା ଡ. ଦିଲ୍ଲୀପ ମିଶ୍ର ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉତ୍କଳମଣିଙ୍କ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ରାଜନୀତି ଓ ସେବା କ୍ଷେତ୍ରକୁ ଅତୁଳନୀୟ ଅବଦାନ ତଥା ତ୍ୟାଗପୂତ ଜୀବନ ସମ୍ପର୍କରେ ଅବଗତ କରି ତାଙ୍କୁ ଅଧିକରୁ ଅଧିକ ପଢିବା ଓ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରାଧ୍ୟାପକ ମୋହନ ଚରଣ ଜେନା ଓ ଅବସରପ୍ରାପ୍ତ ଅଧ୍ୟାପକ ଜୟଶ୍ରୀ ଜେନା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସଂପାଦକ ମହେନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ଆଦିକନ୍ଦ ରାଉଳ ଅତିଥି ପରିଚୟ ପ୍ରଦାନ ଓ ଶୈଳଜା ଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର କର୍ମକର୍ତା ମଧୁସୂଦନ ବେହେରା, ପ୍ରଦୀପ ଦାସ, ରବୀନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁ ଜୟଶ୍ରୀ ଦାସ ଓ ଦୀପକ ସାହୁଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିିିତ ହୋଇଥିଲା ।