ଜଗତସିଂହପୁର,୧୦/୧୦/୨୦୨୪ (ଓଡ଼ିଶା ସମାଚାର)- ବିରିଡ଼ି ବ୍ଳକ ଅନ୍ତର୍ଗତ ହାଜିପୁର ଗ୍ରାମପଞ୍ଚାୟତ କାର୍ୟ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ପ୍ରାଧିକରଣର ସଚିବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିରିଡ଼ି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଓ ଗ୍ରାମପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ । ସରପଞ୍ଚ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ସଚିବ କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ମାନସିକ ସ୍ୱାସ୍ଥ୍ୟ ନିୟମ ଓ ନାଲସା ଯୋଜନା ଅନୁଯାୟୀ ମାନସିକ ସ୍ତରରେ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ କିପରି ଆଇନଗତ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ସଚେତନ କରାଇଥିଲେ । ଭିନ୍ନକ୍ଷମ ଅଧିକାର ନିୟମ, ମାନସିକ ଭିନ୍ନକ୍ଷମମାନଙ୍କ ପାଇଁ କାର୍ୟ୍ୟକରୁଥିବା ବିବିନ୍ନ ବେସରକାରୀ ସଂସ୍ଥା, ଜାତୀୟ ମାନସିକ ସ୍ୱାସ୍ଥ୍ୟ ନୀତି, ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ, ଜାତୀୟ ଆତ୍ମହତ୍ୟା ରୋକିବା ରଣନୀତି, ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ ଅଧିକାର ବିଷୟରେ ମଧ୍ୟ ସଚେତନ କରାଇଥିଲେ । ଅନ୍ୟାନ୍ୟ ବକ୍ତା ଭାବେ ବିରିଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ କାର୍ୟ୍ୟକ୍ରମରେ ଯୋଗଦେଇ ବିଭିନ୍ନ ମାନସିକ ରୋଗର ଲକ୍ଷଣ ଆଲୋଚନା କରିବା ସହ କହିଥିଲେ ଯେ ନିଦ ନହେବା, ଉଦାସୀନତା ଏବଂ ଯୁବ ପିଢିଙ୍କ ମଧ୍ୟରେ ଦେଖାଯାଉଥିବା ଆତ୍ମହତ୍ୟା ପ୍ରବଣତା ହୋଉଛି ଗୋଟେ ଗୋଟେ ମାନସିକ ରୋଗର ଲକ୍ଷଣ । ଏହି ରୋଗର କାରଣ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରିବା ସହ ଚିକିତ୍ସା ପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଏହା ସହ ନିୟମିତ ଯୋଗ ଓ ପ୍ରାଣାୟାମ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
