ଗରଦପୁର ପଂଚାୟତ ସମିତି ବୈଠକ – – କୃଷି ଓ ପାନୀୟ ଜଳ ଉପରେ ଗୁରୁତ୍ୱ

                                                     କନିଷ୍ଠ ଯନ୍ତ୍ରୀଙ୍କ ଉପରକୁ  ଡ଼ାଏରୀ ଫିଙ୍ଗିଲେ ସମିତି ସଭ୍ୟ

ଗରଦପୁର, ୧୭/୮/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ପଂଚାୟତ ସମିତି ର ୪ର୍ଥ ବୈଠକ ଦୀର୍ଘ ଏକ ବର୍ଷ ପରେ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ବୈଠକରେ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ପୌରୋହିତ୍ୟ କରିଥିବାବେଳେ ଏଥିରେ ପାଟକୁରା ର ନବ ନିର୍ବାଚିତ ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ ଗରଦପୁର ପଂଚାୟତ ସମିତି ରେ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱୀତ କରି ବ୍ଲକ୍ କୁ ଜିଲାରେ ଅଗ୍ରଗାମୀ କରାଇବା ପାଇଁ ସମସ୍ତ ସଦସ୍ୟ ଙ୍କ ସହଯୋଗ କାମନା କରିଥିଲେ । ବୈଠକ ପ୍ରାରମ୍ଭରେ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ପଂଚାୟତ ଅଧିକାରୀଣି ପାର୍ବତୀ ବାରିକ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ତେବେ କୃଷି ଓ ମେଘା ପାନୀୟ ଜଳ ପ୍ରକଳ୍ପ କୁ ନେଇ ଗୃହରେ ସଭ୍ୟମାନେ ସରଗରମ ଆଲୋଚନା କରିଥିଲାବେଳେ ବିଲ ପୈଠ କରିବାରେ ଅହେତୁକ ବିଳମ୍ବ କରୁଥିବାରୁ ଜଣେ ସମିତି ସଭ୍ୟ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଉପରକୁ ଡ଼ାଏରୀ ଫିଙ୍ଗିବା ଆଦି ଗୁରୁତ୍ୱ ବହନ କରିଥିଲା । ବୈଠଳର ଏଜେଣ୍ଡା ମୁତାବକ କୃଷି ବିଭାଗ ଉପରେ ଆଲୋଚନା କରି ଗରଦପୁର ବ୍ଲକ୍ ଏକ କୃଷି ପ୍ରଧାନ ଅଂଚଳ ହୋଇଥିବାବେଳେ ବ୍ଲକ୍ ର କୃଷି ବିଭାଗ ଚାଷୀମାନଙ୍କୁ ଯୋଗାଇ ଦେଉଥିବା ବିଭିନ୍ନ କିଶମ ବିହନ ନିମ୍ନ ମାନର ହେଉଥିବାରୁ ଚାଷୀମାନେ ଚାଷରେ ଯଥେଷ୍ଟ କ୍ଷତିଗ୍ରସ୍ତ ହେଉଥିବା ସଭ୍ୟମାନେ ଅଭିଯୋଗ କରିଥିଲେ । ନଡ଼ିଆବରାଇ, ବେଡ଼ାରୀ, ପଦ୍ମପୁର, ପାଖଡ଼, ଗରଦପୁର ଆଦି ପଂଚାୟତ ସାଲାଇନ୍ ବେଲ୍ଟ ନହୋଇଥିବାବେଳେ ଦୀର୍ଘ ବର୍ଷ ଧରି ଏ ଅଂଚଳକୁ ସର୍ଭେ ରିପୋର୍ଟ ରେ ସାଲାଇନ୍ ବେଲ୍ଟ ଦର୍ଶାଯାଇଥିବାରୁ ଏଠାରେ ଚାଷୀମାନଙ୍କୁ ସରକାରୀ ବୋରିଂ କରିବା ସୁଯୋଗ ମିଳୁନାହିଁ । ଏହାର ବିହିତ ପ୍ରତିକାର କରାଇ ସରକାରୀ ବୋରିଂ ମାଧ୍ୟମରେ ଚାଷ ଜମିକୁ ଜଳ ଯୋଗାଣ ର ସୁବିଧା କରିବାକୁ ଜିଲାପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ , ନଡ଼ିଆବରାଇ ସରପଂଚ ସନ୍ତୋଷ ମାହାଳି, ବେଡ଼ାରୀ ସଭ୍ୟ ଦିଲିପ କୁମାର ସାହୁ  ପ୍ରମୁଖ ଦାବି କରିଥିଲେ । ଗରଦପୁର ବ୍ଲକ୍ ରେ ୯ ହଜାର ହେକ୍ଟର ଚାଷ ଜମି ରୁ ୪ ହଜାର ହେକ୍ଟର ରେ ମୁଗ, ବିରି ଓ ଚିନାବାଦାମ ଚାଷ ହେଉଥିବା ବେଳେ ଚାଷୀଙ୍କ ସହିତ ସହଭାଗିତା ଦେବା ପାଇଁ କୃଷି ବିଭାଗରେ ୯ ଜଣରୁ ମାତ୍ର ୨ ଜଣ ଗ୍ରାମ୍ୟ କୃଷି କର୍ମଚାରୀ ଥିବା ବ୍ଲକ୍ କୃଷି ଅଧିକାରୀ ଡ଼ ଗୌତମ ଦାସ ସୂଚନା ଦେଇଥିଲେ । ଏଥି ସହିତ ଗତ ୩ ବର୍ଷ ତଳେ ଭାରି ବର୍ଷାରେ ଭଗବାନପୁର ଗାଁ ର କ୍ଷତିଗ୍ରସ୍ତ ଧାନ ଫସଲର କ୍ଷତି ପୂରଣ ଆଜି ସୁଦ୍ଧା ତହସିଲ ପକ୍ଷରୁ ମିଳିନଥିବା ଜିଲାପରିଷଦ ସଭ୍ୟ ଶ୍ରୀ ରାଉତ ଅଭିଯୋଗ କରିଥିଲେ । ସେହିପରି ପରକଣା ଗାଁ ର କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ କ୍ଷତି ଟଙ୍କା ଜଗଦଳପୁର ଗ୍ରାମକୁ ଚାଳିଗଲା ବୋଲି ବେଡ଼ାରୀ ସଭ୍ୟ ଦିଲିପ କୁମାର ସାହୁ ଅଭିଯୋଗ କରିଥିଲେ ।  ଏହାଛଡ଼ା ବ୍ଲକ୍ ରେ ମେଘା ପାନୀୟ ଜଳ ପ୍ରକଳ୍ପ କଛପ ଗତିରେ ଚାଲୁଥିବା ନେଇ ଗୃହରେ ସଭ୍ୟମାନେ େ୪ାଭ ପ୍ରକାଶ କରିଥିଲେ । ଆସନ୍ତା ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ବ୍ଲକ୍ ଜନସାଧାରଣ ମେଘା ପ୍ରକଳ୍ପରୁ ପାନୀୟ ଜଳ ପାଇବେ ବୋଲି ଉପସ୍ଥିତ ଥିବା ସମ୍ପୃକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଉତର ଦେଇ ପ୍ରତିଶୃତି ରଖିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣର୍ କଥା ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ପାଇପ୍ ଲାଇନ୍ ବିଛା ଯାଇଛି, ତାହା ଏକ ମିଟର ହେବା ପାଇଁ ନୀୟମ ରହିଛି ମାତ୍ର ଠିକାଦାରମାନେ ମାତ୍ର ଫୁଟେ କି  ଦୁଇ ଫୁଟ ଖୋଳି  ଠକିଚାଲିଥିବା ନେଇ ବିଧାୟକ ଗୃହକୁ ଅବଗତ କରିବା ସହ ଉଦବେଗ ପ୍ରକାଶ କରିଥିଲେ । ଏହାଛଡ଼ା ପାଇପ୍ ବିଛାଇବାବେଳେ ଯେଉଁଠି ଦ୍ୱନ୍ଦ ଦେଖାଯିବ ଲୋକ ପ୍ରତିନିଧି ଙ୍କ ସହିତ ଆଲୋଚନା କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।  ସେହିପରି ପାଇପ୍ ପୋତିବା ପରେ ଖୋଳା ଯାଇଥିବା ରାସ୍ତା କୁ ମାଟି ପୋତିବା ସହିତ ଆବଶ୍ୟକ ସ୍ଥଳେ କଂକ୍ରିଟ ଓ ଉପଯୁକ୍ତ ମରାମତି କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ତେବେ ବଙ୍ଗାଳପୁର ସରପଂଚ ପ୍ରଧାନ ମନ୍ତ୍ରୀ ଆବାସ ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ ।  ଯେଉଁ ହିତାଧିକାରୀମାନେ ଆବାସ ଯୋଜନାରେ ପୂର୍ବରୁ ପାଇଥିବା କାର୍ଯ୍ୟାଦେଶ ଓ ୧ମ କିସ୍ତି ଟଙ୍କା ବ୍ଲକ୍ ରେ ଫେରାଇଥିଲେ , ନୀୟମତଃ ପୁନରାୟ ଆବାସ ପାଇବା ସ୍ଥାନରେ ସେମାନଙ୍କ ନାମ ବାଦ ଦିଆଯାଇଥିବାରୁ ଉଦବେଗ ପ୍ରକାଶ କରିଥିଲେ । ଭଗବାନପୁର ର ପ୍ରଭାକର ନାୟକ,ବୈଷ୍ଣବ ଚରଣ ସ୍ୱାଇଁ ,  ବେଡ଼ାରୀ ଗ୍ରାମର ଅଶୋକ କୁମାର ବେହେରା ଆଦି ଅନେକ ଗରୀବ ଲୋକ ୧ମ କିସ୍ତି ଟଙ୍କା ଫେରସ୍ତ କରି ବ୍ଲକ୍ ର ଚଂଚକତା ପାଇଁ ଆବାସ ଯୋଜନାରୁ ବଂଚିତ ହୋଇଥିବା ଭଗବାନପୁର ସରପଂଚ , ବେଡ଼ାରୀ ସମିତି ସଭ୍ୟ କଳାବୁଦା ସମିତି ସଭ୍ୟ ପ୍ରମୁଖ କ୍ଷୋଭ ପ୍ରକାଶ କରିଥିଲେ । ମୂଳରୁ ଘର ନକରି ଅନ୍ର ଘର ଦେଖାଇ ବ୍ଲକ ରୁ ଆବାସ ଯୋଜନାରେ ଟଙ୍କା  ପୈଠ କରାଯାଉଛି । ଅଫିସି ରେ ବି ଏମିତି ଚଂଚକତା ହେଉଛି କିନ୍ତୁ ଏବେ ବି ଜରି ଟାଙ୍ଗି ପାଲ ଟାଣି ଗରୀବ ଲୋକ ରହୁଛନ୍ତି । କିନ୍ତୁ ସେମାନଙ୍କୁ ଆବାସ ସାତ ସପନ ହୋଇଛି ବୋଲି ସଭ୍ୟମାନେ ଅଭିଯୋଗ କରିଥିଲେ । ଏପରିକି ଆବାସ ଯୋଜନାରେ ପ୍ରତିଘର ପିଛା ୨୦ ହଜାର ଟଙ୍କା ଲେଖା ହାତ ଗୁଂଜା ଚାଲିଥିବା ସେମାନେ ଅଭିଯୋଗ କରିଥିଲେ ।  ତେବେ ଗରୀବ ଲୋକଙ୍କୁ ଆବାସ ଯୋଗାଣ ରେ ଜନଗଣନା ରିପୋର୍ଟ ବାଧକ ସାଜିଥିବା ବୈଠକରେ ଅଧିକାରୀ ସୂଚନା ଦେଇଥିଲେ । ୨୦୧୧ ରେ ଜନଗଣନା ହୋଇଥିଲା । ଏହା ୧୦ ବର୍ଷରେ ପୁଣି ଥରେ ହେବା କଥା । କିନ୍ତୁ ୧୪ ବର୍ଷ ହେଲାଣି ଆଉ ଜନଗଣନା ହୋଇନାହିଁ । ଏହା ମଧ୍ୟରେ ପରିବାର ସଂଖ୍ୟା ବଢ଼ି ଗୋଟିଏ ଘର ଭିନେ ହୋଇ ୫/ ୭ ଘର ହେଲାଣି । ତେଣୁ ଶୀଘ୍ର ଜନଗଣନା ହୋଇ ଘର ହୋଲଡ଼ିଂ ନମ୍ବର ଅଳଗା ହେଲେ ଗରୀବ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବା ସହଜ ହେବ ବୋଲି ବିଡ଼ିଓ ଶ୍ରୀ ନାୟକ କହିଥିଲେ । ତେବେ ବ୍ଲକ୍ ର ପଂଚାୟତ ୱାରୀ କେତେ ଯୋଗ୍ୟ ହିତାଧିକାରୀ ଅଛନ୍ତି, ଗ୍ରାମସଭା କରି ତାହାର ଏକ ତାଲିକା କରିବାକୁ ବିଧାୟକ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ପାଟକୁରା ପଂଚାୟତର ସିଦ୍ଧେଶ୍ୱର ଉଚ ବିଦ୍ୟାଳୟରେ  କରାଯାଇଥିବା ୫ଟି କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଠିକାଦାରକୁ ସମ୍ପୂର୍ଣ୍ଣ ବିଲ ପୈଠ ହେଉନାହିଁ ବୋଲି ପାଟକୁରା ସମିତି ସଭ୍ୟ ରାକେଶ ମହାପାତ୍ର ଅଭିଯୋଗ କରିଥିଲେ । ପୂର୍ବରୁ ଏ ବାବଦରେ ବିଡ଼ିଓ ଙ୍କୁ ବହୁବାର ଅବଗତ କରିଥିଲେ । ବିଲ ପୈଠ କରିବା ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି । ପିିସି ନେଲା ପରେ ମଧ୍ୟ ଠିକାଦାରଙ୍କୁ ହଇରାଣ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ସ୍ୱାଇଁ ଉତର ଦେଉଥିବାବେଳେ ଏଥିରେ ଉତକ୍ଷିପ୍ତ ହୋଇ ସମିତି ସଭ୍ୟ ରାକେଶ ମହାପାତ୍ର ତାଙ୍କ ଉପରକୁ ଏକ ଡ଼ାଏରୀ ଫିଙ୍ଗିଥିଲେ । କନିଷ୍ଠ ଯନ୍ତ୍ରୀ ଉକ୍ତ ଡ଼ାଏରୀକୁ ଉଠାଇ ଝରକା ବୋଟେ ତଳକୁ ପକାଇ ଦେଇଥିଲେ । ତେବେ ଆଜ ପର ୱାର୍କ ସେହି କାମର ବିଲ ପୈଠ ହୋଇ ସାରିଥିବା ଦୃଢ଼ତାର ସହ କନିଷ୍ଠ ଯନ୍ତ୍ରୀ ଓ ବ୍ଲକ୍ ର ନିର୍ବାହୀ ଯନ୍ତ୍ରୀ ଗୃହକୁ ସୂଚନା ହେଦଇଥିଲେ । ସେହିପରି ଗରଦପୁର ସରପଂଚ ଅନିତା ମାହାଳି ପଂଚାୟତରେ ଥିବା ଦିଗି ପୋଖରୀ ର ପୁନରୁଦ୍ଧାର ଓ ପର୍ଯ୍ୟଟନସ୍ଥଳୀରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ । ମିଶନ ଶକ୍ତି କର୍ମଚାରୀମାନେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କ ଠାରୁ ପ୍ରତି ମାସରେ ୩୦ ଟଙ୍କା ଆଦାୟ କରୁଥିବା ନେଇ ପାଟକୁରା ସରପଂଚ ଗୀତାଂଜଳୀ ମହାନ୍ତି ଅଭିଯୋଗ କରିଥିଲେ । ଚଳିତ ବର୍ଷ ମନରେଗା ଯୋଜନାରେ ସରପଂଚ, ସମିତି ସଭ୍ୟ ମିଳି ମିଶି ଅଧିକ କାର୍ଯ୍ୟ କରିବା ପାଇଁ ବିଡ଼ିଓ ଶ୍ରୀ ନାୟକ କହିବା ଫଳରେ ସରପଂଚ ଅମିୟ କୁମାର ଜେନା , ରଂଜନ ନାୟକ , ସନ୍ତୋଷ ମାହାଳି ପ୍ରମୁଖ ପ୍ରତିବାଦ କରି ଆମର ଉକ୍ତ କାର୍ଯ୍ୟ କରିବାର ନାହିଁ , କାରଣ ପୂର୍ବରୁ ହୋଇଥିବା ମନରେଗା ଯୋଜନା ବିଲ ଅଦ୍ୟାବଧି ମିଳିନାହିଁ । ତେଣୁ ସମିତି ସଭ୍ୟମାନେ ମନରେଗା କାର୍ଯ୍ୟ କଲେ ଆମର ଆପତି ନାହିଁ ବୋଲି କହିଥିଲେ । ଏହାର ଉତର ରେ ସରପଂଚ ଓ ସମିତି ସଭ୍ୟ ମାନଙ୍କୁ ନେଇ ଖୁବ ଶୀଘ୍ର ଏକ କର୍ମଶାଳା ଆୟୋଜନ କରାଯିବ ବୋଲି ବିଡ଼ିଓ କହିଥିଲେ । ବୈଠକରେ ଉପସ୍ଥିତ ଥିବା ସାଂସଦ ପ୍ରତିନିଧି ବିଜୟ ନାୟକ ସାଂସଦଙ୍କୁ ଅବଗତ କରାଇ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ । ଆୟୋଜିତ ବୈଠକରେ ଜିଲା ପରିଷଦ ସଦସ୍ୟା ଏଲିଜା ସ୍ୱାଇଁ, ଡ଼ଲି ଶତପଥି, ସମସ୍ତ ସରପଂଚ ଓ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳସେଚନ, ଜଳ ନିସ୍କାସନ, ଉଠା ଜଳସେଚନ, ବିଦ୍ୟୁତ, କୃଷି, ମତ୍ସ୍ୟ ସମେତ ବିଭିବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବ୍ଲକ୍ ଉପାଧ୍ୟକ୍ଷା ସୌଦାମିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକକୁ ବିକାଶ ସହାୟକ ଚୈତନ୍ୟ ବିଶ୍ୱାଳ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *