ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସଚିବ ସ୍ତରୀୟ ବୈଠକ

                                    ଧାନ ସର୍ବନିମ୍ନ ସହାୟକ ମୂଲ୍ୟ, ମଣ୍ଡିରେ ସ୍ଵଚ୍ଛ ବିକ୍ରୟ ପ୍ରକ୍ରିୟା ନେଇ ବିଚାର ବିମର୍ଶ

ଭୁବନେଶ୍ୱର, ୧୦/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନସ୍ଥିତ କନଫରେନ୍ସ ହଲରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।  ବୈଠକରେ ସମୃଦ୍ଧ କୃଷକ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।  ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଭି ଭି ଯାଦବ, କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢୀ, ସମବାୟ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । 

ପି ପାସ୍ ( P- PAS) ଜରିଆରେ ନିର୍ଦ୍ଧାରିତ ସମୟ ମଧ୍ୟରେ ରବି ଓ ଖରିଫ ଧାନର ସଂଗ୍ରହ, ରକ୍ଷଣାବେକ୍ଷଣ କାର୍ଯ୍ୟକୁ ତ୍ଵରାନିତ୍ଵ ଭାବରେ କରିବା ସହ ମଣ୍ଡି ସହାୟତାରେ ଧାନର ସଂଗ୍ରହ ପାଇଁ ଠିକ ପରିମାଣର ଟୋକନ ସମସ୍ତ ଯୋଗ୍ୟ କୃଷକଙ୍କୁ ମିଳିବା ଆବଶ୍ୟକ । ଏହି ସବୁ କାର୍ଯ୍ୟର ତଦାରଖ ହେବା ସହ ଆଧାର ସଂଯୋଗୀକୃତ କୃଷକଙ୍କ ତଥ୍ୟ ଯାଞ୍ଚ କରି ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗାଇଦେବା ପାଇଁ ଶ୍ରୀ ସିଂହଦେଓ ଗୁରୁତ୍ବାରୋପ କରିଥିଲେ । ମିଲ୍ ଗୁଡିକୁ ସେମାନଙ୍କର ଷ୍ଟକ୍ ଯାଞ୍ଚ ସହ ପ୍ରତି ମିଲ୍ ର କ୍ଷମତା ଅନୁସାରେ ପ୍ରମାଣପତ୍ର ପ୍ରଦାନ କରାଯିବ  ଏବଂ ସେହି ପ୍ରମାଣପତ୍ରକୁ ବିଲ୍ ସହ ତୁଳନା କରାଯାଇ ବିଜୁଳି ବିଲ୍ ରେ ରିହାତି ପ୍ରଦାନ କରାଯିବ । ଧାନ ବିକ୍ରି ପାଇଁ ଦିଆ ଯାଉଥିବା ଟୋକେନର ଅବଧି ବଢେଇବା ସହ ନବୀକରଣ କରାଇବାକୁ ମଧ୍ୟ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ ।

ଚଳିତ ବର୍ଷ ରାଜ୍ୟ ବଜେଟରେ ସରକାର ୫୦୦୦ କୋଟି ଟଙ୍କା ସମୃଦ୍ଧ କୃଷକ ଯୋଜନା ପାଇଁ ବ୍ୟୟ ବରାଦ କରିଛନ୍ତି । ଆଜି ସୁଦ୍ଧା ୮.୫୬ ଲକ୍ଷ କୃଷକ ଉତ୍ପାଦିତ ଫସଲକୁ ମଣ୍ଡି ସହାୟତାରେ ବିକ୍ରି କରିସାରିଛନ୍ତି । ତତ୍ ସହିତ ବିହନ ଯୋଗାଉଥିବା କୃଷକ ସଂସ୍ଥାକୁ ବିହନର ପରିମାଣକୁ ଆଧାର କରି କୁଇଣ୍ଟାଲ ପିଛା ୮୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । ଆବଶ୍ୟକ ସ୍ଥଳେ ଯୋଗ୍ୟ କୃଷକଙ୍କୁ ଅଗ୍ରୀମ ଟୋକେନ ଏସଏମଏସ ଜରିଆରେ ଯୋଗାଇ ଦିଆଯିବ । ମଣ୍ଡିରେ ଧାନ ବିକ୍ରୟର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଅନ୍ ଲାଇନ ମାଧ୍ୟମରେ ସମ୍ପୂର୍ଣ୍ଣ ଦେୟ ପ୍ରାପ୍ତ ହେବ । ଫସଲହାନୀ ଓ ଅସାଧୁ ଉପାୟ ଅବଲମ୍ବନକୁ ପ୍ରତିରୋଧ କରିବା ପାଇଁ ‘ଡିଜିଟାଲ କ୍ରପ ସର୍ଭେ’ର ବ୍ୟବହାର କରାଯାଉଛି । ସରକାରୀ ଅଧିକାରୀମାନେ ଏହି ସର୍ଭେର ପ୍ରତ୍ୟକ୍ଷ ତଦାରଖ କରିବେ । ପାକ୍ସ (PACS), ଲ୍ୟାମ୍ପସ (LAMPS), WSHG ଓ ପାଣି ପଞ୍ଚାୟତ ଗୁଡିକ ପଞ୍ଜୀକରଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ଏହା ଛଡା ସାଟେଲାଇଟ ଜରିଆରେ ମଧ୍ୟ ପି- ପାସ୍ ଗୁଡିକର ସର୍ଭେ କରାଯିବ ବୋଲି ବୈଠକରେ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *