କଟକ, ୫/୮/୨୦୨୪ (ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଦୀପଙ୍କ ଘର, ଅଫିସ ସହିତ ଏକକାଳୀନ ୧୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁରରେ ଚଢାଉ ହେଉଛି। ଭୁବନେଶ୍ୱର ସତ୍ୟବିହାର ଘର, ଚନ୍ଦ୍ରଶେଖପୁର ଆପାର୍ଟମେଣ୍ଟ ଓ ଭଦ୍ରକ ଆଚାର୍ଯ୍ୟନଗର ଠାରେ ଥିବା ଘରେ ମଧ୍ୟ ରେଡ ଚାଲିିଛି। ସେହିପରି କଟକ ବାରବାଟୀ ନିକଟରେ ଥିବା ଅଫିସ ଓ ଭୁବନେଶ୍ୱର ନୟାପଲ୍ଲୀଠାରେ ଥିବା ତାଙ୍କ ପୁଅଙ୍କ ମେଡିସିନ ଷ୍ଟୋରରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍।
ଭିଜିଲାନ୍ସ ଟିମ୍ ବାରବାଟୀ ଷ୍ଟାଡିୟମରେ ଥିବା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚଢ଼ାଉ ଚାଲିଛି । ଭଦ୍ରକ ଆଗରପରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ବର ନୟାପଲ୍ଲୀରେ ପ୍ରଦୀପଙ୍କ ପୁଅଙ୍କ ଔଷଧ ଦୋକାନରେ ମଧ୍ୟ ଭିଜିଲାନ୍ସ ଚଢାଉ କରି ତଦନ୍ତ ଆରମ୍ଭ କରିଛି ।