କଟକ,୨୭/୬/୨୦୨୪ ( ଓଡିଶା ସମାଚାର/ ଅଭୟ ଜେନା )- ଭୁବନେଶ୍ବର ରେ ଖବର ସଂଗ୍ରହ ବେଳେ ଏକ ବୈଦୁତିକ ଗଣମାଧ୍ୟମ ର ମହିଳା ସାମ୍ବାଦିକ ଙ୍କୁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଲଗାଇବା ଘଟଣା ନେଇ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ କଟକ ଜିଲ୍ଲାପାଳ ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମହିଳା ସାମ୍ବାଦିକ ଚିନ୍ମୟୀ ସାହୁ ଏବଂ ଭିଡିଓ ଜର୍ଣାଲିଷ୍ଟ ଉମେଶ ମହାରଣା ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସରକାରୀ ବାସଭବନ ରେ ଚାଲିଥିବା ଭଙ୍ଗା ରୁଜା କାର୍ଯ୍ୟ ର ଦୃଶ୍ୟ ଉତ୍ତୋଳନ ପାଇଁ ସନ୍ନିକଟରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସ ଙ୍କ ସରକାରୀ ବାସଭବନ ପରିସର କୁ ଯାଇଥିଲେ। ଖବର ସଂଗ୍ରହ ବେଳେସାମ୍ବାଦିକା ଚିନ୍ମୟୀ ଙ୍କ ଉପରକୁ କୁକୁର ଛାଡିଥିବା ଅଭିଯୋଗ ହୋଇଥିଲା । ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଦାସ ଙ୍କ ଏପରି ଅମାନବୀୟ ଆଚରଣ ର ନିନ୍ଦାକରିବା ଓ ଅବିଳମ୍ବେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିକରି,କଟକ ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ଶିଶିର ଦାଶ ଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମକର୍ତ୍ତା ମାନେଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥି ସହିତ ଘଟଣା ର ନିରପେକ୍ଷ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଅନ୍ୟପକ୍ଷରେ ବାଙ୍କୀ ର ସାମ୍ବାଦିକ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ରେ କାର୍ଯ୍ୟାନୁଷ୍ଠାନ ଦାବିକରି ଏସ ପି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।