କେନ୍ଦ୍ରାପଡ଼ା ୧୧/୦୫/୨୦୨୪ (ଓଡ଼ିଶା ସମାଚାର)- ବର୍ତମାନ ସମାଜରେ ବହୁ ବିଶୃଙ୍ଖଳା ସୁଷ୍ଟି ହେଉଛି । ଦେଶ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ତେଣୁ ବିଶ୍ୱ ଶାନ୍ତି ପାଇଁ କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବା ମନ୍ଦିର ପରିସରରେ ୧୨ତମ ବିଶ୍ୱଶାନ୍ତି ଶନୈଶ୍ଚର ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶନିବାର ପ୍ରାତଃ ୬ଟା ୩୦ମିନିଟ୍ ରେ ଘଟ ନିମଜ୍ଜନ କରାଯିବା ପରେ ଭକ୍ତମାନେ ଏକ ଶୋଭାଯାତ୍ରାରେ ନୂଆ ବସଷ୍ଟାଣ୍ଡସ୍ଥିତ ଶନିଘାଟରୁ ପାଣି କଳସରେ ଆଣି ଘଟସ୍ଥାପନ କରିଥିଲେ । ପ୍ରାତ ୮ଟା ୩୦ମିନିଟ୍ ରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞାରମ୍ଭ କରାଯିବା ସହିତ ରାତ୍ର ୧୦ଟା ୩୦ମିନିଟ୍ ରେ ପୂର୍ଣ୍ଣାହୁତି କରାଯାଇଥିଲା । ସେହିପରି ସହରର ମହିପାଳସ୍ଥିତ ବାୟାବଜାରର ନ୍ୟାୟ ଦେବତା ପୂଜା କମିଟି, ତିନିମୂହାଣୀ ଶନି ମନ୍ଦିର, ନୂଆ ବସଷ୍ଟାଣ୍ଡ ଶନି ମନ୍ଦିର, କୋର୍ଟ ଛକ ଶନିମନ୍ଦିର, ଗରାପୁର କାଳିମନ୍ଦିର ସନ୍ନିକଟସ୍ଥିତ ଶନି ମନ୍ଦିରରେ କେନ୍ଦ୍ରାପଡା ସହର ଓ ସହରଆଖପାଖ ଅଂଚଳରୁ ବହୁ ମାନସିକଧାରୀ ଓ ଶ୍ରଦ୍ଧାଳୁମାନେ ଆସି ଶନିଶ୍ଚରଙ୍କ ନିକଟରେ ଜଳାଭିଷେକ କରିବା ପୂର୍ବକ ଯଜ୍ଞରେ ସାମିଲ ହେଇଥିଲେ । ଏହି ଉପଲକ୍ଷେ ବିଭିନ୍ନ ରାଜନୈତିକ ଦଳର ବହୁ ନେତାମାନେ ମଧ୍ୟ ଆସି ଶନିଶ୍ଚର ଦେବତାଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ।