କୋରେଇଠାରେ ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ଯାଜପୁର, ୦୮/୦୯/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା କୋରେଇ ପଞ୍ଚାୟତ ସମିତି ପରିସରରେ ଆଜି ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୬ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସଶକ୍ତୀକରଣ ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରୀ ସହାୟତାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ।

ଏହି ଶିବିରରେ ମୋଟ ୧୭୦ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ଡାକ୍ତରୀ ଦଳ ଦ୍ୱାରା ସେମାନଙ୍କର ମୂଲ୍ୟାଙ୍କନ ଓ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୭୮ ଜଣ ଶାରୀରିକ ଭିନ୍ନକ୍ଷମ (OH), ୧୫ ଜଣ ଦୃଷ୍ଟିହୀନ (VI), ୨୭ ଜଣ ଶ୍ରବଣବାଧିତ (HI), ୪୦ ଜଣ ମାନସିକ ଅନଗ୍ରସର/ସିପି (MR/CP) ଏବଂ ୧୦ ଜଣ ବହୁବିଧ ଭିନ୍ନକ୍ଷମ (MD) ହିତାଧିକାରୀ ଶିବିରରେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ତୁରନ୍ତ ସହାୟତା ସ୍ୱରୂପ ହିତାଧିକାରୀଙ୍କୁ ୪ଟି ଶ୍ରବଣ ଯନ୍ତ୍ର (Hearing Aid), ୧ଟି ଟ୍ରାଇ-ସାଇକେଲ୍ (Tricycle),  ୦୨ଟି ହୁଇଲ୍ ଚେୟାର୍ (Wheelchair) , ୨ଟି Prosthesis ଏବଂ ୧ଟି Orthosis ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସହାୟତା ପ୍ରଦାନ/ବଣ୍ଟନ କରାଯାଇଥିଲା। ଏଥିସହ ୧୨ ଜଣଙ୍କୁ UDID ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ  ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋରେଇ ଶ୍ରୀ ଅବନୀକାନ୍ତ ସାହୁ, ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ  ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *