ମନ୍ଦିର ଲୁଟ୍ ଘଟଣାର ପର୍ଦ୍ଧାଫାସ

ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଜବତ
କଟକ ୨୧/୦୭/୨୦୨୬ (ଓଡ଼ିଶା ସମାଚାର)- ଚୌଦ୍ୱାର ଥାନା ପୋଲିସ ଏକ ମନ୍ଦିର ଚୋରି ଘଟଣାର ପର୍ଦାଫାଶ କରି ୩ ଜଣ ପେଶାଦାର ମନ୍ଦିର ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା ସହଦେବଖୁଂଟା ଥାନା ଅନ୍ତର୍ଗତ ଗୋଧିବସାର ଭୀମା ବେଦ (୨୬), ନୀତିଶ ସିଂହ (୧୯) ଓ ସୁରେଶ ସିଂହ (୧୮) ।

ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ସୁନା ଆଖି, ୩ଟି ସୁନା ଟୀକା, ୧୫ଟି ରୁପା ମୁକୁଟ, ୬ଟି ହାର, ୩ ହଳ ରୁପା ପାଦୁକା, ୨ଟି ମଥା ମଣି, ୧ଟି ବଳା ଓ ନଗଦ ୧୯ ହଜାର ୧ ଶହ ଟଙ୍କା ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅନ୍ତର୍ଗତ ଚାରବାଟିଆ ଭୈରପୁର ଶ୍ରୀରାମ ଚନ୍ଦ୍ର ମନ୍ଦିରରୁ ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଚୋରି ହୋଇଥିଲା । ଭୈରପୁରର ବିଜୟ କୁମାର ମହାପାତ୍ର ଏନେଇ ଗତ ୨୦ ତାରିଖରେ ଅଭିଯୋଗ କରିଥିଲେ ।

ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତମାନେ ଦିନରେ ମହୁ ବିକ୍ରି କରନ୍ତି , ରାତିରେ କରନ୍ତି ମନ୍ଦିରରୁ ଚୋରି । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରୁ କରୁଥିଲେ ଲୁଟ୍ । ଶେଷରେ ତିନି ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଚୌଦ୍ୱାର ଥାନା ପୋଲିସ । ଚୌଦ୍ୱାର ଥାନା ଅଂଚଳରେ ଥିବା ୧୧ଟି ମନ୍ଦିରରୁ ଚୋରି କରିଥିଲେ । ଭୁବନେଶ୍ୱରରେ ଥିବା ଚନ୍ଦ୍ରଶେଖରପୁର ଥାନା ଅଂଚଳର ୨ଟି ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ପ୍ଲାନ ।

କିପରି ଚୋରଙ୍କୁ ଧରାଯିବ, ସେନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲା । ଶେଷରେ ପୋଲିସ ହାତରେ ଧରାପଡିଥିଲେ ଲୁଟେରା ଗ୍ୟାଙ୍କର ୩ ସଦସ୍ୟ । ସମସ୍ତ ଅଭିଯୁକ୍ତଙ୍କ ଘର ବାଲେଶ୍ୱର ଅଂଚଳରେ ବୋଲି ସୂଚନା ମିଳିଛି । ଗିରଫ ପରେ ଅଭିଯୁକ୍ତମାନେ ଜେରା ସମୟରେ ବହୁ ତଥ୍ୟ ପୋଲିସ ସାମ୍ନାରେ ରଖିଥିଲେ । ଏହି ଲୁଟେରା ଗ୍ୟାଙ୍ଗରେ ୧୫ରୁ ଅଧିକ ଯୁବତୀ ଓ ଯୁବକ ସାମିଲ ଥିବା ଜଣାପଡିଛି । ଅଭିଯୁକ୍ତମାନେ ଗତ ୧୫ ତାରିଖରେ ବଡ଼ସାମନ୍ତରାପୁରର ୭ଟି ମନ୍ଦିରରୁ, ୧୬ ତାରିଖରେ ବେଲଦାର ଠାକୁରାଣୀ ମନ୍ଦିରରୁ, ୧୮ରେ ଟାଙ୍ଗୀ କନକଦୁର୍ଗା, ଗ୍ରାମଦେବତୀ ଓ ଧୂମାବତୀ ମନ୍ଦିରରୁ, ଗତ ଏପ୍ରିଲ ୯ ତାରିଖରେ ଚନ୍ଦ୍ରଶେଖରପୁର କନକ ଦୁର୍ଗା ଓ ନୀଳକେଙଋଶ୍ୱର ମନ୍ଦିରରୁ ଏବଂ ଫେବୃଆରୀ ୨୦ ତାରିଖରେ ୪୨ ମୌଜାର ୨ଟି ମନ୍ଦିରରୁ ଚୋରି କରିଥିବା ସ୍ୱୀକାର କରିଛନ୍ତି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *