ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱ
କଟକ୦୫/୦୬/୨୦୨୬ (ଓଡ଼ିଶା ସମାଚାର)- ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ( ଏସଆଇଆର) କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ନିମନ୍ତେ ବାରବାଟୀ,କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ କ୍ଷେତ୍ର ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ସେ ବୁଥସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା କରାଯାଉଥିବା ମତଦାତାଙ୍କ ତଥ୍ୟ ସଂଗ୍ରହ, ତଥ୍ୟ ଯାଂଚ, ଫର୍ମ ବଂଟନ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି । ବାରବାଟୀ କଟକ ଅଂଚଳର ବୁଥ ନଂ ୩୫,୩୬,୪୩,୪୯,୫୩,୧୬୩,୧୭୨ ଅନ୍ତର୍ଗତ ତୁଳସୀପୁର, ଶେଲଟର ଛକ, ଚାନ୍ଦନୀଚୌକ, ରାଧାନାଥ ରୋଡ,ଦେଉଳସାହି ଅଂଚଳରେ ବୁଥ ସ୍ତରୀୟ ଅଧିକାରୀମାନଙ୍କ କାର୍ଯ୍ୟ ସମ୍ପାଦନ ବେଳେ ଉପଜିଲାପାଳ ପହଂଚି ତଦାରଖ କରିଛନ୍ତି ।
ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ଉପଜିଲାପାଳ ଉପସ୍ଥିତ ବିଏଲଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷକରି ବାରବାଟୀ ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥ ଉପଜିଲାପାଳ ଶ୍ରୀ ଦେଓ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ବାରବାଟୀର ବିଭିନ୍ନ ଅଂଚଳ ପରିଭ୍ରମଣ କରି ମତଦାତା ମାନଙ୍କୁ ସଘନ ସଂଶୋଧନ ପ୍ରକ୍ରିୟାର ଗୁରୁତ୍ୱ ସମ୍ପର୍କରେ ସଚେତନ କରୁଛି । ଏଠାରେ ସୂଚନାଯୋଗ୍ୟ ,ବାରବାଟୀ ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା ୨,୨୬,୩୫୮ଜଣ ଥିବା ବେଳେ ମ୍ୟାପିଙ୍ଗ ସମୟରେ ୧,୮୦,୧୭୫ ଜଣ ଭୋଟର ଥିବା ଜଣାପଡିଛି ।
ସେହିପରି ବର୍ତମାନ ୨୧୪ ଟି ବୁଥ ଥିବା ବେଳେ ଆଉ ୬୭ଟି ନୂତନ ବୁଥ କରାଯିବ । ଏସଆଇଆର କାର୍ଯ୍ୟରେ ୭ଜଣ ସହକାରୀ ପଞ୍ଜୀକରଣ ଅଧିକାରୀ,୧୭ଜଣ ସୁପରଭାଇଜର ଏବଂ ୨୧୪ ଜଣ ବିଏଲଓ ନିୟୋଜିତ ହୋଇଛନ୍ତି । ଅନ୍ୟପକ୍ଷେ ସ୍ୱତନ୍ତ୍ର ସଘନ ସଂଶୋଧନ – ୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ପର୍ଯ୍ୟବେକ୍ଷଣ ନିମନ୍ତେ ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ସେ ଚୌଦ୍ୱାର ର ବିଭିନ୍ନ ଅଂଚଳକୁ ଯାଇ ବିଏଲଓ ,ସୁପରଭାଇଜରଙ୍କ ସହ ଆଲୋଚନା କରିବା ସହ ଲୋକମାନଙ୍କ ମତାମତ ଗ୍ରହଣ କରିଛନ୍ତି । ଘରକୁ ଘର ଯାଇ ତଥ୍ୟ ସଂଗ୍ରହ ଓ ଯାଂଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିବା ସହ କ୍ଷେତ୍ରସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଗତ ମଇଁ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆସନ୍ତା ଜୁନ ୨୮ ସୁଦ୍ଧା ଶେଷ ହେବ ।
