ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ଶିବିରର ଶୁଭାରମ୍ଭ

ହ୍ଵାଟସଆପ ୟୁନିଭରସିଟିର ଯୁଗରେ ଗାନ୍ଧୀ ଯୁବ ଶିବିର ଜରୁରୀ – ମେଧା

ସମ୍ବିଧାନର ଶକ୍ତି ରାସ୍ତାକୁ ଓହ୍ଲାଇବା ଦ୍ୱାରା ହିଁ ସୃଷ୍ଟି ହେବ – କୁମାର ପ୍ରଶାନ୍ତ

କଟକ,୦୧/୦୬/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ରାଷ୍ଟ୍ରୀୟ ଯୁବା ସଂଗଠନର ୩୦ତମ ରାଷ୍ଟ୍ରୀୟ ଶିବିର କଟକ ନିଉ ଷ୍ଟୁଆର୍ଟ ସ୍କୁଲ ପରିସରରେ ଜନ ଆନ୍ଦୋଳନର ନେତ୍ରୀ ମେଧା ପାଟକରଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି। ଶିବିରାର୍ଥୀମାନଙ୍କୁ ସେ ଏହି ଅବସରରେ କହିଲେ ଯେ, ଆଜି ହ୍ୱାଟସପ ୟୁନିଭର୍ସିଟି ଯୁଗରେ ଏହିଭଳି ଯୁବ ଶିବିରର ବିଶେଷ ମହତ୍ତ୍ୱ ରହିଛି।

ଆଜି ବିଚାରଧାରାର ରାଜନୀତି ରହିନାହିଁ, ରାଜନୈତିକ ପକ୍ଷଗୁଡ଼ିକ ପକ୍ଷୀ ପାଲଟିଯାଇଛନ୍ତି, ଯେଉଁମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ି ବୁଲୁଛନ୍ତି। ଓଡ଼ିଶାରେ ପ୍ରାକୃତିକ ସମ୍ପଦର ଲୁଟ ବିରୁଦ୍ଧରେ ଅନେକ ଲଢ଼େଇ ଲଢ଼ାଯାଇଛି ଏବଂ ଅନେକ ଲୁଟକୁ ରୋକା ବି ଯାଇଛି। ଆଜି ମଧ୍ୟ ସିଜିମାଳିର ଲୋକମାନେ ଲଢ଼ୁଛନ୍ତି, କିନ୍ତୁ ଆଜି ପରିସ୍ଥିତି ଏପରି ଯେ ଗୋଟିଏ ସିଜିମାଳି ପର୍ବତ ଭଳି ଅନେକ ପର୍ବତ ଉପରେ ଏକସଙ୍ଗେ ଆକ୍ରମଣ ହେଉଛି। ବେଦାନ୍ତ ସହିତ ଆଦାନୀ ମଧ୍ୟ ଏହି ଲୁଟରେ ନିଜର ଭାଗ ନେବା ପାଇଁ ଆସିଯାଇଛି।ଚାଷ ଜମି ଏବଂ ବାସଗୃହ ଜମି ଉପରେ କବ୍ଜା କରାଯାଉଛି, ଜଙ୍ଗଲକୁ ଶେଷ କରାଯାଉଛି। ରାତିର ଅନ୍ଧାରରେ ସରକାର ଚୋରଙ୍କ ଭଳି ଘରେ ପଶୁଛନ୍ତି ଏବଂ ଘର ଓ ଗାଁକୁ ଛାରଖାର କରିବାରେ ଲାଗିଛନ୍ତି।

ସଂଗଠନର ସଂସ୍ଥାପକ ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଏହି ଅବସରରେ କହିଲେ ଯେ,ହିରୋସିମା ଉପରେ ଯେତେବେଳେ ପରମାଣୁ ବୋମା ପକାଗଲା, ସେତେବେଳେ ଲୋକମାନେ ଗାନ୍ଧୀଜୀଙ୍କୁ ପଚାରିଲେ ଯେ ଅହିଂସା ମାଧ୍ୟମରେ ଏହି ବିନାଶର ଜବାବ କଣ? ତେବେ ଗାନ୍ଧୀଜୀ ଜବାବ ଦେଇଥିଲେ ଯେ ବିନାଶର ସାମ୍ନା ତ ଦୁଇଟି ଉପାୟରେ ହିଁ ହୋଇପାରିବ – ଡରିକରି ମରିବା କିମ୍ବା ନିର୍ଭୀକ ହୋଇ ମୃତ୍ୟୁର ଆଖିରେ ଆଖି ମିଶାଇ, ମୃତ୍ୟୁକୁ ଆହ୍ୱାନ ଦେଇ ମରିବା।ଯେତେବେଳେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା କଥା କହିଲେ, ସେତେବେଳେ ଇରାନର ଜନତା ରାଜପଥକୁ ଓହ୍ଲାଇ ଆସିଲେ, ନିଜର ଜାତୀୟ ଐତିହ୍ୟକୁ ଘେରି ଗଲେ ଏବଂ କହିଲେ ଯେ ମୃତ୍ୟୁର ସାମ୍ନା କରିବୁ, ତାକୁ ଡରିବୁ ନାହିଁ। ଏହି ସାହସ ହିଁ ଅହିଂସା ଅଟେ। ଆଜି ୯୪ ଦିନର ଯୁଦ୍ଧ ପରେ ଇରାନ ଠିଆ ହୋଇଛି ଏବଂ ଆମେରିକା ଧୀରେ ଧୀରେ ଶେଷ ହେବାକୁ ବସିଛି।ଅହିଂସକ କ୍ରାନ୍ତିର ଅର୍ଥ ହେଉଛି ମୂଲ୍ୟବୋଧର ପରିବର୍ତ୍ତନ।ସେ ଆହୁରି କହିଥିଲେ ଯେ, ସମ୍ବିଧାନ ବହିଟି ଯେ ପର୍ଯ୍ୟନ୍ତ ବନ୍ଦ ହୋଇ ପଡ଼ି ରହିଛି, ସେ ପର୍ଯ୍ୟନ୍ତ ତାର କୌଣସି ଅର୍ଥ ନାହିଁ। ସମ୍ବିଧାନର ଶକ୍ତି ରାସ୍ତାକୁ ଓହ୍ଲାଇବା ଦ୍ୱାରା ହିଁ ସୃଷ୍ଟି ହେବ। ଏହା ଏକ ନୂଆ ପ୍ରକାରର ଲଢ଼େଇ। ଡରିବାର ନାହିଁ, ବିଚଳିତ ହେବାର ନାହିଁ, ପଥଭ୍ରଷ୍ଟ ହେବାର ନାହିଁ।

     ସୂର୍ଯ୍ୟ ନାରାୟଣ ନାଥଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଯୁବା ସଂଗଠନର ୩୦ତମ ରାଷ୍ଟ୍ରୀୟ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଦୈନିକ ସମାଜର ପ୍ରକାଶକ ରାଜେନ୍ଦ୍ର ଜେନା, ବିଶିଷ୍ଟ ଗାନ୍ଧୀବାଦୀ କୃଷ୍ଣା ମହାନ୍ତି, ଲୋକ ଶକ୍ତି ଅଭିଯାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ ସତ୍ୟ ରାୟ, ଜୟନ୍ତ କୁମାର ଦାସ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ମନୋରଞ୍ଜନ ମହାନ୍ତି, ସଂଗଠନ ସମ୍ପାଦକ ହରିହର ସେନ, ଉତ୍କଳ ସର୍ବୋଦୟ ମଣ୍ଡଳର ସାଧାରଣ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି, ବିଶିଷ୍ଟ ସମାଜସେବୀ କିଶୋର ଜେନା, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର ଗାୟତ୍ରୀ ଦାସ, ବାଜି ରାଉତ ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳ ପ୍ରମୁଖ ଏହି ଅବସରର ଶିବିରାର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ। ମେଧା ପାଟକରଙ୍କ ଦ୍ୱାରା ବୃକ୍ଷରେ ଜଳଦାନ ପୂର୍ବକ ସଂଗଠନର ୩୦ତମ ରାଷ୍ଟ୍ରୀୟ ଉଦଘାଟିତ ହୋଇଥିଲା। ସିଜିମାଳି ଆନ୍ଦୋଳନରେ ଜେଲ ଯାଇଥିବା ଯୁବ ସାଥୀ ଲକ୍ଷ୍ମଣ ନାୟକ ଓ ମିଥୁନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନର ପ୍ରାକ୍ତନ ରାଷ୍ଟ୍ରୀୟ ସଂଯୋଜକ ଡାକ୍ତର ବିଶ୍ୱଜିତ ଯୁଦ୍ଧ, ଉଦବେଗ, ସ୍ୱାର୍ଥର ଘନଘଟା ମଧ୍ୟରେ ସଂଗଠନର ବୈଶ୍ଵିକ ଦୃଷ୍ଟି ବାବଦରେ କହିଥିଲେ। ମହାରାଷ୍ଟ୍ରର ପ୍ରେରଣା ରାଉତ ଉଦ୍ଘାଟନୀ ଉତ୍ସବର ସଞ୍ଚାଳନ କରିଥିବା ବେଳେ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦେଶର୍ ଅଠରଟି ରାଜ୍ୟରୁ ଶିବିରାର୍ଥୀମାନେ ଏଥିରେ ସାମିଲ ହୋଇଛନ୍ତି। ଆଗାମୀ ସାତ ତାରିଖ ଯାଏ ଏହି ଶିବିର ଚାଲିବ।

Leave a Reply

Your email address will not be published. Required fields are marked *