ପ୍ରତ୍ୟେକ ସପ୍ତାହର ବୁଧବାର ଓ ଶନିବାର ଦିନ ହାଟ ବସିବ
କେନ୍ଦ୍ରାପଡ଼ା,୨୨/୦୪/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁର ମା’ଶାରଳାଙ୍କ ମନ୍ଦିର ସମ୍ମୁଖରେ ଗତକାଲି ସନ୍ଧ୍ୟାରେ ଏକ ନୂତନ ସାପ୍ତାହିକ ହାଟ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଚକ୍ରୋଡା ପଂଚାୟତର ସରପଂଚ ତନୁଜା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ନବନିର୍ମିତ ହାଟପିଣ୍ଡିକୁ ଫିତା କାଟି ଉଦଘାଟନ କରିଥିଲେ ।
ଏହି ଉତ୍ସବରେ କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ଉପୀନ କୁମାର ରାଉତ, ୬ନମ୍ବର ଜୋନର ବିଜେପି ମଣ୍ଡଳ ସଭାପତି ବାବାଜୀ ଚରଣ ବେହେରା, ଡ. ନାରାୟଣ ପତି,ବନ୍ଦନା ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ହାଟଦ୍ୱାରା ସ୍ଥାନୀୟ ଅଂଚଳର ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଓ ପନିପରିବା ପ୍ରଭୃତି ବିକ୍ରୟ କରିବାରେ ସମର୍ଥ ହେବା ସହ ଲୋକମାନେ ଘର ପାଖରେ ଏସବୁ କ୍ରୟ କରିପାରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ଏହି ସାପ୍ତାହିକ ହାଟ ପ୍ରତ୍ୟେକ ସପ୍ତାହର ବୁଧବାର ଓ ଶନିବାର ଦିନ ଅନୁଷ୍ଠିତ ହେବ ବୋଲି ସରପଂଚ ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶକ୍ତିକାନ୍ତ ପାତ୍ର, ସୁମନ୍ତ ବାରିକ, କ୍ଷୀରୋଦ ଚନ୍ଦ୍ର ଭୋଳ, ତପନ ମହାନ୍ତି, ଶରତ ଚନ୍ଦ୍ର ସେଠୀ, ସଞ୍ଜୟ ମଲିକ, ସ୍ମୃତିରଞ୍ଜନ ଜେନା, ମନୋଜ ରାଉତ, ବସନ୍ତ ଜେନା, ଜ୍ଞାନରଞ୍ଜନ ନାୟକ ପ୍ରମୁଖ ଶତାଧିକ କର୍ମକର୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
