ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଦୈନନ୍ଦିନୀ’ ଲୋକାର୍ପିତ

ଭୁବନେଶ୍ୱର,୧୭/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ‘ବଡ଼ ଖବର’ ଓ ‘ସମାଲୋଚନା’ର ମିଳିତ ପ୍ରୟାସରେ ପ୍ରସ୍ତୁତ ପ୍ରଥମ ‘ଓଡ଼ିଆ ଦୈନନ୍ଦିନୀ’ (ଡାଏରି)ର ଲୋକାର୍ପଣ କରାଯାଇଛି। ରାଜ୍ୟ ଲୋକସେବା ଭବନ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଏହି ଦୈନନ୍ଦିନୀର ଶୁଭ ଲୋକାର୍ପଣ ଅବସରରେ ‘ବଡ଼ ଖବର’ ଓ ‘ସମାଲୋଚନା’ର  ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ, ସରକାରୀ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବଡ଼ ଖବରର ସିଇଓ କୀର୍ତ୍ତିକ୍ ରାୟ, ନ୍ୟୁଜ ଉପସ୍ଥାପକ ରାମଚନ୍ଦ୍ର ମେହେର, ରିପୋଟର ପ୍ରଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଦୈନନ୍ଦିନୀ ଜୀବନର ପ୍ରତିଟି ପୃଷ୍ଠାରେ ଏକ ନୂଆ ଅନୁଭୂତି ଆଣିଦେବ। ଆମ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା, ପର୍ବପର୍ବାଣୀ, ଜାନିଜାତ ଓ ବିବିଧ ସାଂସ୍କୃତିକ ବୈଭବକୁ ମନେ ରଖିବାରେ ପରବର୍ତ୍ତୀ ପିଢ଼ି ପାଇଁ ଏହା ଏକ ଦସ୍ତାବିଜ ଭାବେ ସହାୟକ ହେବ। ଓଡ଼ିଆ ଅସ୍ମିତା ପ୍ରତି ଆନ୍ତରିକତା ଥିବା ବ୍ୟକ୍ତି ହିଁ ଏପରି କରିପାରନ୍ତି।  ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପାରମ୍ପରିକ ଇଂରାଜୀ ନବବର୍ଷ ପାଳନରେ ଡାଏରି ସଂସ୍କରଣ ଅନୁଭୂତିରୁ ନିଆରା ଢଙ୍ଗରେ ଓଡ଼ିଆ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଅସ୍ମିତାକୁ ଆମ ଭିତରେ ବାନ୍ଧି ରଖିବାକୁ ‘ଦୈନନ୍ଦିନୀ’ରେ ପ୍ରୟାସ ହୋଇଛି। ଏହା ଜନସାଧାରଣଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ଆଜିର ବ୍ୟସ୍ତବହୁଳ ଜୀବନରେ ଦୈନନ୍ଦିନୀ ଓଡ଼ିଆ ରୁଚିର ନୂଆ ଦିଗନ୍ତ ଦେଖାଇବାରେ ସକ୍ଷମ ହେବ ବୋଲି ସମ୍ପାଦକ ଶ୍ରୀ ଦାସ ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *