ଯୋଜନା ଓ ସଂଯୋଜନ ବିଭାଗରେ ଓଡ଼ିଶା ପାହ୍ୟା ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ

ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବାରେ ପର୍ଯ୍ୟାପ୍ତ  ସୁଯୋଗ ରହିଛି : ଉନ୍ନୟନ ଆୟୁକ୍ତ  ଶ୍ରୀ ଦେଓରଞ୍ଜନ

ଭୁବନେଶ୍ୱର,୧୩/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୨୪ ବ୍ୟାଚ ଓଡ଼ିଶା କ୍ୟାଡରର  ୯ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିବା ଅବସରରେ ସେମାନଙ୍କୁ ବିଭାଗୀୟ କାର୍ଯ୍ୟ ସଂପର୍କରେ ଅବଗତ କରାଯାଇଛି ।ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୧ ବର୍ଷିଆ ବିସ୍ତୃତ ପ୍ରଶିକ୍ଷଣରଏହା ଅଂଶ ବିଶେଷଥିଲା । ପ୍ରଶିକ୍ଷାର୍ଥୀମାନେ  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମାଧ୍ୟମରେ ପ୍ରଶିକ୍ଷଣ ନେଇ ରାଜ୍ୟର ବିଭିନ୍ନ ବିଭାଗ, ଜିଲ୍ଲା କାର୍ଯ୍ୟାଳୟ,ସଂସ୍ଥା ଓ କମିଶନ  କାର୍ଯ୍ୟାଳୟରେ ପ୍ରଶାସନିକ କାର୍ଯ୍ୟ ଅଭିଜ୍ଞତା ହାସଲ କରିବା ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ଥିଲା ।

ଏହି ପ୍ରତ୍ୟକ୍ଷ ଅନୁଭୂତିର ଅଂଶ ସ୍ୱରୂପ ପ୍ରଶିକ୍ଷଣରେ ଥିବା  ଏହି  ସମସ୍ତ ଅଧିକାରୀମାନେ ଆଜି ଯୋଜନା ଓ ସଂଯୋଜନ ବିଭାଗରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀ ଦେଓରଞ୍ଜନ କୁମାର ସିଂହଙ୍କୁ  ସାକ୍ଷାତ କରିଥିଲେ । ଉନ୍ନୟନ କମିଶନରଙ୍କ ସହ  ପାରସ୍ପରିକ ଆଲୋଚନାରେ ପ୍ରଶିକ୍ଷାର୍ଥୀମାନେ ରାଜ୍ୟର ଯୋଜନା ପଦ୍ଧତି,କନଭର୍ଜେନ୍ସ ରଣନୀତି ଏବଂ ପ୍ରମୁଖ ବିକାଶମୂଳକ ପଦକ୍ଷେପଗୁଡ଼ିକ  ସମ୍ପର୍କରେ  ଅବଗତ ହୋଇଥିଲେ ।  ଉନ୍ନୟନ କମିଶନର ଏହି ଅଧିକାରୀମାନଙ୍କ  ସହ  ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କୁ ଓଡ଼ିଶାରେ କାର୍ଯ୍ୟ କରିବାରେ ବହୁ ସୁଯୋଗ ରହିଥିବା ପ୍ରକାଶ  କରି ଉତ୍ସାହିତ  କରିଥିଲେ । ରାଜ୍ୟର ସମୃଦ୍ଧି ପାଇଁ ଯୋଜନା ଓ ସଂଯୋଜନ ବିଭାଗ  ଗୁରୁତ୍ୱପୂର୍ଣ୍ଣ  ସମନ୍ୱୟ  ଭୂମିକା ନିର୍ବାହ କରୁଥିବା ସଂପର୍କରେ ସେ ଆଲୋକପାତ କରିଥିଲେ ।  ସେ ମଧ୍ୟ ଇସ୍ପାତ ଓ ଖଣି ବିଭାଗର ସଚିବ ଭାବେ ଓଡ଼ିଶାର ଖଣିଜ ସଂପଦ ରାଜ୍ୟର ଅର୍ଥନୀତି ଓ ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରଖୁଥିବା ସଂପର୍କରେ  ଆଲୋଚନା କରିଥିଲେ ।  ବୈଠକରେ  ଓଡ଼ିଶା ଖଣି ନିଗମର  ପରିଚାଳନା ନିର୍ଦ୍ଦେଶକ ଶ୍ରୀ  ସୁଧାଂଶୁ ମୋହନ ସାମଲ ଉପସ୍ଥିତ ଥିଲେ ।  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପ ମହାନିର୍ଦ୍ଦେଶିକା ଡଃ. ମୋନାଲିସା ଲେଙ୍କା ସେମାନଙ୍କର ପ୍ରଶିକ୍ଷଣ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

ପ୍ରଶିକ୍ଷଣ ଅବସରରେ ଏହି  ଆଇଏଏସ ଅଧିକାରୀମାନଙ୍କୁ ଯୋଜନା ଓ ସଂଯୋଜନ  ବିଭାଗର କାର୍ଯ୍ୟ ସଂପର୍କରେ ସୂଚନା ଦିଆଯାଇଥିଲା ।  ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାକୁଡ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦଙ୍କ  ସମେତ ବିଭାଗର ବିଭିନ୍ନ ଶାଖାର ଉପ ନିର୍ଦ୍ଦେଶକବୃନ୍ଦ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀଅଧିକାରୀ ପ୍ରମୁଖ  ଯୋଗଦେଇ ବିଭାଗୀୟ  ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ  ସଂପର୍କରେ  ଅବଗତ  କରାଇଥିଲେ ।

ବିଭାଗ ପକ୍ଷରୁ ମିଳିତ ଜାତି ସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ ପାଇଁ ବିଭିନ୍ନ ବିଭାଗ ଓ ଜିଲ୍ଲା ସହିତ  ସମନ୍ୱୟରେ ଏସଡିଜି ସୂଚକାଙ୍କ ପ୍ରଦର୍ଶନରେ  ପ୍ରତିବର୍ଷ  ଉନ୍ନତି ପରିଲକ୍ଷିତ ହେଉଥିବା ଦର୍ଶାଯାଇଥିଲା । ଏଥି ସହିତ ରାଜ୍ୟରେ ଆକାଂକ୍ଷୀ  ଜିଲ୍ଲା  ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, ସଂପୂର୍ଣ୍ଣତା ଅଭିଯାନ ୨.୦, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟ ଓ ଏହା ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲା ଓ ଅଂଚଳର ସମାବେଶୀ ବିକାଶ, ବିଧାୟକ ଆଂଚଳିକ ବିକାଶ ପାଣ୍ଠି (ଏମଏଲଏ ଲାଡ), ସାଂସଦ ଉନ୍ନୟନ ପାଣ୍ଠି(ଏମପିଲାଡ) କାର୍ଯ୍ୟକାରିତା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା,  ଜିଲ୍ଲା  ଖଣିଜ ପାଣ୍ଠି (ଡିଏମଏଫ୍),  ଓଡ଼ିଶା ଖଣିଜ କ୍ଷେତ୍ର ବିକାଶ ପାଣ୍ଠିର ଉପଯୋଗ ଓ ଆଂଚଳିକ ବିକାଶ ସଂପର୍କରେ ଅବଗତ କରାଯାଇଥିଲା ।

 ତତ୍ ସହିତ ରାଜ୍ୟର ବିତ୍ତୀୟ ସ୍ଥିତି, ରାଜ୍ୟ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା, ରାଜ୍ୟ ବଜେଟ୍ ରେ ବିଭିନ୍ନ ଜନକଲ୍ୟାଣକାରୀ  ଯୋଜନା, ରାଜ୍ୟର ଦୂରଦୃଷ୍ଟି ସଂପନ୍ନ  ଭିଜନ ଡକ୍ୟୁମେଣ୍ଟ “ବିକଶିତ ଓଡ଼ିଶା ୨୦୩୬” ଏବଂ  “ବିକଶିତ ଭାରତ ୨୦୪୭” ଆଭିମୁଖ୍ୟ ଏବଂ  “୩୬ ପାଇଁ  ୩୬” ପ୍ରମୁଖ ପଦକ୍ଷେପ ସଂପର୍କରେ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରାଯାଇଥିଲା ।  ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର  ନିର୍ଦ୍ଦେଶକ ଡଃ.  ନନ୍ଦ  ଅର୍ଥନୈତିକ ସର୍ବେକ୍ଷଣ ଏବଂ ଦେଶ ତଥା ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥା ସଂପର୍କରେ ଉପସ୍ଥାପନ  କରିଥିଲେ ।

ନବ ନିଯୁକ୍ତ ଏହି ଅଧିକାରୀମାନଙ୍କ ପ୍ରାରମ୍ଭିକ  ପର୍ଯ୍ୟାୟ ପ୍ରିଶିକ୍ଷଣ( ଇଣ୍ଡକ୍ସନ୍ ଟ୍ରେନିଂ)  ଚଳିତ ମାସ ଏପ୍ରିଲ ୨୪ ତାରିଖରେ ଶେଷ ହେବାକୁ ନିର୍ଦ୍ଧାରିତ ଥିବା ବେଳେ  ଏହା ପରେ,  ଟ୍ରେନି ଅଧିକାରୀମାନେ ନୂଆ ଦିଲ୍ଲୀରେ ସହାୟକ ସଚିବ ପଦବୀ ସମ୍ବନ୍ଧୀୟ ପ୍ରଶିକ୍ଷଣ ନେଇ ପରେ ପରେ ଲାଲ୍ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀକୁ ଅତିରିକ୍ତ ଟ୍ରେନିଂ ପାଇଁ ଯିବେ । ପ୍ରଶିକ୍ଷଣ  ସମାପ୍ତି ପରେ, ସେମାନେ ତାଙ୍କର ନିର୍ଦ୍ଧାରିତ  ଦାୟିତ୍ୱ ଗ୍ରହଣ କରିବାକୁ ଓଡ଼ିଶାକୁ ଫେରିବେ ବୋଲି ଜଣାଯାଇଛି ।

-0-

ପଠାଣି ରାଉତ,ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *