କେନ୍ଦ୍ରାପଡ଼ା, ୦୯/୦୪/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଆ ପକ୍ଷର ନବମ ଦିନ ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଠକୀୟ ଅଭ୍ୟାସ ବୃଦ୍ଧି ପାଇଁ ପୁସ୍ତକ ମେଳା ଓ ପୁସ୍ତକ କ୍ରୟ ଅଭିଯାନ “ଆସ ବହିଟିଏ କିଣିବା” ଆୟୋଜିତ ହୋଇଥିଲା ।ଜିଲାପାଳ ରଘୁରାମ ଆର.ଆୟର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯାନକୁ ସମର୍ଥନ କରିଥିଲେ ଏବଂ ସମସ୍ତଙ୍କୁ ପଢ଼ିବା ଅଭ୍ୟାସ ଗଢ଼ି ତୋଳିବା ପାଇଁ ଆହ୍ୱାନ କରିଥିଲେ ।
ସେ କହିଥିଲେ ଯେ ପୁସ୍ତକ ପଢ଼ିବା ମାନବ ଜୀବନରେ ଜ୍ଞାନ ବୃଦ୍ଧି ସହିତ ସଚେତନତା ଓ ମୂଲ୍ୟବୋଧ ଗଢ଼ି ତୋଳିବାରେ ସହାୟକ । ଏହି ଅବସରରେ ବିଭିନ୍ନ ପ୍ରକାରର ପୁସ୍ତକ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ପୁସ୍ତକ କ୍ରୟ କରି ଅଭିଯାନକୁ ସମର୍ଥନ ଜଣାଇଥିଲେ ।
ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲିକ, ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ,ହସ୍ତଶିଳ୍ପ ଉପନିର୍ଦେଶକ ସନ୍ତୋଷ କୁମାର ମହାନ୍ତି, ଡିଡି ପ୍ଲାନିଂ ଆରତୀ ସାହୁ, ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଡେପୁଟୀ କଲେକ୍ଟର ସରୋଜ କୁମାର ବେହେରା, ଜିଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ ଏବଂ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବହୁ କର୍ମଚାରୀ, ଜନସାଧାରଣ, ପାଠକମାନେ ଯୋଗଦେଇଥିଲେ ।
