ଯାଜପୁର, ୦୭/୦୪/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ‘ଓଡ଼ିଆ ପକ୍ଷ ୨୦୨୬’ ଅବସରରେ ଆଜି ଯାଜପୁର ଜିଲ୍ଲାରେ ୧୦ ଟି ବ୍ଲକରେ ଓ ଜିଲ୍ଲା ସ୍ତରରେ ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ଶିଶୁ କଥା ଦିବସ ତଥା ‘ବର୍ଣ୍ଣବୋଧ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସମଗ୍ର ଶିକ୍ଷା ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋମଳମତି ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା।
ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦେବୀଲାଲ ମଲ୍ଲିକ, ମଣ୍ଡଳ ସାଧନ ସଂଯୋଜକ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ଜେନା, ଜିଲ୍ଲା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ସେନାପତି, ଜିଲ୍ଲା ପ୍ରକଳ୍ପ ଏସ.ସି/ଏସ.ଟି ସଂଯୋଜିକା ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଧଳ ଓ ଜିଲ୍ଲା ସ୍କୁଲ ଯାଜପୁରର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୪୦ ଜଣ ବାଲ ବାଟିକା ଓ ୩୦ ଜଣ ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଶିଶୁ ଲେଖା ଓ ବର୍ଣ୍ଣବୋଧ ବହି ବଣ୍ଟନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଛାତ୍ର ଛାତ୍ରୀମାନଙ୍କ ଅଭିଭାବକ ମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ରହି ବର୍ଣ୍ଣବୋଧ ବହିର ବହୁଳ ବ୍ୟବହାର ଓ ପ୍ରଚାର ପ୍ରସାର ଓ ସଚେତନତା ସୃଷ୍ଟି କରି ଓଡ଼ିଆ ଭାଷାପ୍ରତି ଜନ ସମୂହ ମାନଙ୍କର ଆଗ୍ରହ ବୃଦ୍ଧି ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ଶପଥ ଗ୍ରହଣ କରିଥିଲେ। ବଡ଼ଚଣା ବ୍ଳକର ପି.ଏମ.ଶ୍ରୀ, ବଡ଼ଚଣା ସରକାରୀ ବିଦ୍ୟାଳୟ, ବରୀ ବ୍ଲକର ବରୀ ବରୀ ଜୁନିଅର ବେସିକ ବିଦ୍ୟାଳୟ, ବିଂଝାରପୁର ବ୍ଲକର ବରୁଣେଶ୍ୱର ପ୍ରାଥମିକ ବିଦ୍ୟାଳୟ, ଦାନଗଦି ବ୍ଲକର ବୁଢ଼ାରାଜା ସରକାରୀ ବିଦ୍ୟାପୀଠ, ଦଶରଥପୁର ବ୍ଲକର ସୁପ୍ରଭା ନୋଡାଲ ଉ.ପ୍ରା. ବିଦ୍ୟାଳୟ, ଧର୍ମଶାଳା ବ୍ଲକର ଧର୍ମଶାଳା ପ୍ରାଥମିକ ବିଦ୍ୟାଳୟ, କୋରେଇ ବ୍ଲକର ବଡ଼ ବିରୁହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରସୁଲପୁର ବ୍ଲକର ସରକାରୀ ଉ.ପ୍ରା ବିଦ୍ୟାଳୟ, ବାରବାଟି, ଓ ସୁକିନ୍ଦା ବ୍ଲକର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସଂପୃକ୍ତ ବ୍ଲକର ମଣ୍ଡଳ ଶିକ୍ଷା ଅଧିକାରୀମାନଙ୍କ ନେତୃତ୍ୱରେ ପାଳିତ ହୋଇଅଛି। ଏହି ସମସ୍ତ ବ୍ଲକ ମାନଙ୍କୁ ସର୍ବମୋଟ ୩୦୦ ଶିଶୁ ଲେଖା ଓ ୩୦୦ ବର୍ଣ୍ଣବୋଧ ପୁସ୍ତକ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଯୋଗାଇ ଦିଆଯାଇଥିଲା।
