ପଂଚମବେଦ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଭଞ୍ଜକଳା ମଣ୍ଡପରେ ୯ ମାର୍ଚ୍ଚରୁ

୨୨ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପଂଚମବେଦ ସମ୍ମାନ-୨୦୨୬ ଭଞ୍ଜକଳା ମଣ୍ଡପରେ
ଭୁବନେଶ୍ୱର,୦୭/୦୩/୨୦୨୬ (ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପଂଚମବେଦର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପଂଚମବେଦ ସମ୍ମାନ-୨୦୨୬ ତଥା ଅମୀୟ ପଟ୍ଟନାୟକ ସ୍ମୃତି ସମ୍ମାନ-୨୦୨୬ ଆସନ୍ତା ମାର୍ଚ୍ଚ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଭଞ୍ଜକଳା ମଣ୍ଡପଠାରେ ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଯାଉଅଛି ।
ମାର୍ଚ୍ଚ ୯ ତାରିଖ ଉଦଘାଟନୀ ସନ୍ଧ୍ୟାରେ ଉତରପୁରୁଷ, ଭୁବନେଶ୍ୱର ନାଟକ “କର୍ଣ୍ଣ” ମଂଚସ୍ଥ କରିବେ । ଏତଦ୍ ବ୍ୟତୀତ ୧୦ ମାର୍ଚ୍ଚରେ ପଂଚମବେଦ, ଭୁବନେଶ୍ୱରର ନାଟକ “ଅବସର”, ୧୧ ମାର୍ଚ୍ଚରେ ପଂଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ନାଟକ “ଭିନ୍ନ ଏକ ସହଯାତ୍ରୀ”, ୧୨ ମାର୍ଚ୍ଚରେ ଡାଇନାମିକ୍ ପ୍ଲାଟଫର୍ମ, ଭୁବନେଶ୍ୱର ନାଟକ “ଶୁଣ ସୁଜନେ” ପରିବେଷଣ କରିବେ ।

୧୨ ମାର୍ଚ୍ଚ ଉଦଯାପନୀ ସନ୍ଧ୍ୟାରେ ଅମୀୟ ପଟ୍ଟନାୟକ ସ୍ମୃତି ସମ୍ମାନ-୨୦୨୬ରେ ସମ୍ମାନିତ ହେବେ ବିଶିଷ୍ଟ ନାଟ୍ୟ ନିର୍ଦେଶକ, ଅଭିନେତା ଶ୍ରୀ ସୁଶୀଲ ମିଶ୍ର । ସେହି ସନ୍ଧ୍ୟାରେ ପଂଚମବେଦ ସମ୍ମାନ-୨୦୨୬ରେ ସମ୍ମାନିତ ହେବେ ଶ୍ରୀ ମିହିର ମେହେର (ବିଶିଷ୍ଟ ନାଟ୍ୟକାର), ଶ୍ରୀ ପୁରୁଷୋତମ ମିଶ୍ର (ବିଶିଷ୍ଟ ନାଟ୍ୟକାର), ଶ୍ରୀ ରାମହରି ଜେନା (ବିଶିଷ୍ଟ ଚିତ୍ରଶିଳ୍ପୀ), ଶ୍ରୀ ଗଗନ ବିହାରୀ ଦାସ (ବରିଷ୍ଠ କଣ୍ଠଶିଳ୍ପୀ) ଓ ଶ୍ରୀମତୀ ଧରିତ୍ରୀ ଖଣ୍ଡୁଆଳ (ବରିଷ୍ଠ ଅଭିନେତ୍ରୀ) ।

ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ଏହି ଚାରିଦିନ ବ୍ୟାପୀ ନାଟକ ମହୋତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପ୍ରେସ୍ ବନ୍ଧୁ, ମିଡ଼ିଆ ବନ୍ଧୁ ଓ ଓଡ଼ିଶାର ସମସ୍ତ ନାଟ୍ୟାନୁଷ୍ଠାନ ମାନଙ୍କର ସାହାଯ୍ୟ ସହଯୋଗ ପାଇବା ପାଇଁ ପଂଚମବେଦ ତରଫରୁ ସଭାପତି ଜଗନ୍ନାଥ ପ୍ରଧାନ, କାର୍ଯ୍ୟକାରୀ ସଭାପତି ହରେନ୍ ସାହୁ, ଯୁଗ୍ମ ସମ୍ପାଦକ ସୁରେନ୍ଦ୍ରନାଥ ଗୌଡ଼, କୋଷାଧ୍ୟକ୍ଷ ଅଭିମନୁ୍ୟ ସେଠୀ ଓ ସମ୍ପାଦକ ପ୍ରକାଶ ମହାରଣା ବିନମ୍ର ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *