ସରିତା ସାହୁ ହେଲେ ନୂତନ ଜିଲା ବିଜେଡି ମହିଳା ସଭାପତି

କେନ୍ଦ୍ରାପଡ଼ା,୧୫/୦୨/୨୦୨୬ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡା ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ଜିଲା ବିଜେଡି ମହିଳା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ପୌରପରିଷଦର ଅଧ୍ୟକ୍ଷା ଭାବେ ଶ୍ରୀମତୀ ସାହୁଙ୍କ କାର୍ଯ୍ୟଦକ୍ଷତା ଓ ସାଂଗଠନିକ ଦକ୍ଷତାକୁ ନେଇ ବିଜେଡି ପକ୍ଷରୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀମତୀ ସାହୁ ୨୦୨୨ମସିହାରୁ କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷା ଭାବେ କାର୍ଯ୍ୟକରିଆସୁଛନ୍ତି । ବିଗତ ୪ବର୍ଷ ମଧ୍ୟରେ ସେ କେନ୍ଦ୍ରାପଡା ପୌରପାଳିକା ଅଂଚଳରେ ବିଜେଡିର ସାଂଗଠନିକ ଦକ୍ଷତାକୁ ବୃଦ୍ଧି କରିଛନ୍ତି ।

ସେହିପରି ପୌରାଂଚଳରେ ବିକାଶ ମୂଳକ କାର୍ଯ୍ୟକୁ ଅଗ୍ରାଧିକାର ଦେଇ ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି । ୨୦୨୪ରୁ ବିଜେଡି ହାତରୁ ଶାସନ କ୍ଷମତା ଖସିଯାଇଥିଲେ ମଧ୍ୟ ପୌରାଂଚଳରେ ସଂଗଠନ ଦୁର୍ବଳ ହୋଇନାହିଁ । ସଂଗଠନକୁ ମଜଭୁତ କରିବାରେ ସେ ଅହରହ ପରିଶ୍ରମ କରୁଛନ୍ତି ।

ତାଙ୍କର ଏହି ସାଂଗଠନିକ ଦକ୍ଷତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ପହଂଚି ଥିବାରୁ ଦଳ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଅର୍ପଣ କରିଛି । ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଦଳର ସୁପ୍ରିମୋ ମୋ ଉପରେ ଭରଷା କରି ଯେଉଁ ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି ତାହାକୁ ମୁଁ ସୂଚାରୁ ରୂପେ ପାଳନ କରିବି । କେନ୍ଦ୍ରାପଡା ପୌରାଂଚଳବାସୀଙ୍କ ସ୍ୱାର୍ଥକୁ ପୂର୍ବରୁ ଯେପରି ଅଗ୍ରାଧିକାର ଦେଇଆସିଛି ଆଗକୁ ମଧ୍ୟ ତାହା ନିରବଛିନ୍ନ ଭାବେ ଚାଲିବ । ଏଥିପାଇଁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ଏହି ନିଯୁକ୍ତି ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *