ମହାଶିବରାତ୍ରୀ କପିଳାସରେ – ‘ହର ହର ମହାଦେବ ‘ ଧ୍ୱନି ରେ କମ୍ପିଲା କପିଳାସ

ଢେଙ୍କାନାଳ,୧୫/୦୨/୨୦୨୬ (ଓଡ଼ିଶା ସମାଚାର)- ଓଡିଶା ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ନାହିଁ  ନଥିବା ଭିଡ । ଲକ୍ଷାଧିକ ଭକ୍ତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କୁ ଦର୍ଶନ କରିବା ସହ ଜାଗର ଜାଳିଛନ୍ତି। ହର ହର ମହାଦେବ ଏବଂ ଓଁ ନମଃ ଶିବାୟ ଧ୍ଵନୀରେ କପିଳାସ ପୀଠ ପ୍ରକମ୍ପିତ ହୋଇଉଠିଛି। ସମଗ୍ର କପିଳାସ ପୀଠରେ ଶ୍ରଦ୍ଧାଳୁ ମାନେ ଦୀପ ଜାଳି ବସିଛନ୍ତି । ଶ୍ରଦ୍ଧାଳୁମାନେ ଭୋର୍ ସମୟରୁ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଧାଡି ଲଗାଇଥିଲେ। ପାରମ୍ପରିକ ରୀତି ନୀତି ଅନୁଯାୟୀ ଠାକୁରଙ୍କ ମଙ୍ଗଳ ଆଳତୀ, ମଇଲମ, ଅବକାଶ, ସ୍ନାନ ମାର୍ଜନା, ସୂର୍ୟ୍ୟପୁଜା ଓ ସକାଳଧୂପ କରାଯାଇଥିଲା।

ଏହା ପରେ ଭୋଗମଣ୍ଡପରେ ପୂଜାର୍ଚ୍ଚନା ହୋଇଥିଲା। ସେବାୟତ ମାନେ  ଶ୍ରୀଜୀଉଙ୍କର ନିତ୍ୟନୈମିତିକ ପୂଜାର୍ଚ୍ଚନା ଯଥାରୀତିରେ କରିଥିଲେ । ସୁସଜିତ ପଟୁଆରରେ ଵିଭିନ୍ନ ଆଢେଣୀ, ତରାସ ସହ ଢୋଲ, ଟମକ, ଭେରୀ, ତୁରୀ, କାହାଳୀ ଓ ଘଣ୍ଠ ଘଣ୍ଟା ଆଦି ବିଭିନ୍ନ ପ୍ରକାର ବାଦ୍ୟ ବଜାଇ ଦେଓଗାଁ ସରଘରୁ ପୂର୍ବାହ୍ନ ସାଢେ ୧୧ଟାରେ ନାଗଭାରକୁ କପିଳାସ ପୀଠକୁ ଆଣାଯାଇଥି ଲା। ସେବାୟତ, ପୂଜାପଣ୍ଡା,  ଦେବୋତ୍ତର କର୍ମଚାରୀ ଓ ପୁଲିସ୍ ଉପସ୍ଥିତିରେ ନାଗଭାର ପୀଠରେ ପହଞ୍ଚିଥିଲା। ଏହା ଦେଖି‌ବା ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ବେଶ୍ ଉତ୍କଣ୍ଠା ବଢିଯାଇଥିଲା। ମନ୍ଦିରର ଉତ୍ତର ପାଶ୍ଵରେ  ସଂଧ୍ୟାପରଠାରୁ ଏକ ଝାଡବୃକ୍ଷ ସ୍ଥାପନ କରାଯାଇ ଏକ ଦୀପ ପ୍ରକ୍ସଳନ କରାଯାଇଛି । ପୀଠର ଅଧିଷ୍ଠିତ ଦେବୀ ମା ପାର୍ବତୀଙ୍କର ରାଜରାଜେଶ୍ଵରୀ ବେଶ ଓ ନାରାୟଣଙ୍କର ସୁନାବେଶ ଅନୁଷ୍ଠିତ ହୋଇଛି।

ନାଗଭାରକୁ ଦେବୋତ୍ତର କାର୍ୟ୍ୟାଳୟରେ  ରଖାଯାଇଛି । ରତି ୩ଟାରୁ ୩ଟା ୫୦ମଧ୍ୟରେ ଶ୍ରୀ ଚନ୍ଦ୍ରଶେଖର  ଜୀଉଙ୍କ ମହାସ୍ନାନ ଓ ପବିତ୍ର ନାଗାଭରଣ ବେଶ ଅନୁଷ୍ତିତ ହେବାର କାର୍ୟ୍ୟକ୍ରମ ରହିଛି।  ସଂଧ୍ୟାପରଠାରୁ ପୀଠରେ ଶ୍ରୀଜୀଉଙ୍କର ଷୋଡଶ  ଉପଚାର ପୂଜା ଆରମ୍ଭ ହୋଇଛି। ସଂଧ୍ୟା ଆଳତୀ  ପରେ ପ୍ରଥମ ଧୂପ ପୀଠ ପୁରୋଧା ଙ୍କ ଦ୍ବାରା କରାଯାଇଥିଲା । ପାରମ୍ପରିକ ନୀତି ଅନୁଯାୟୀ ରାଜପରିବାର ପକ୍ଷରୁ ଯୁବରାଜ ଅମରଜ୍ୟୋତି ସିଂହଦେଓ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପ୍ରଥମପ୍ରହର ସ୍ନାନ ଓ ଚାରିପୂଜା ପୂଜାପଣ୍ଡାଙ୍କ ଦ୍ଵାରା କରାଯାଇଥିଲା। ଦ୍ବିତୀୟ ପ୍ରହର ସ୍ନାନ ଓ ଚାରିପୂଜା ପୀଠ ପୁରୋଧାଙ୍କ ଦ୍ଵାରା କରାଯାଇଥିଲା। ତୃତୀୟ ପ୍ରହର ପୂଜା ଓ ସ୍ନାନପୂଜା ରାଜ ପୁରୋଧାଙ୍କ ଦ୍ଵାରା କରାଯାଇ ଚନ୍ଦ୍ରଶେଖରଜୀଉଙ୍କୁ ବରଣ କରାଯିବାର କାର୍ୟ୍ୟକ୍ରମ ରହିଛି। ଅନ୍ୟ କୌଣସି ତିଥିରେ ରାତିରେ ରୁଦ୍ରାଭିଷେକ ହୁଏନାହି । କିନ୍ତୁ ମହାଶିବରାତ୍ରୀରେ ଏହି ବିଧି ହୋଇଥାଏ।

ରୂଦ୍ରାଭିଷେକ ପରେ ଠାକୁରଙ୍କ ମହାସ୍ନାନ କରାଯାଇ ଶ୍ରୀଜୀଉଙ୍କୁ ନାଗାଉରଣ ବେଶ କରାଯିବ। ଏହାପରେ ବେଢାପୂଜା, ବେଢା ପରିକ୍ରମା କରାଯିବା ପରେ ମାହେନ୍ଦ୍ର ବେଳା ୪ ଟା ୨୦ ସମୟରେ ମହାଦୀପ ଉଠିବାର ନୀତି ଧାର୍ୟ୍ୟ ହୋଇଛି। ତା ପରେ ପରେ ହରିହର ଭେଟ, ଯୋଗୀବେଶ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି।  ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଭଜନ  ସମାରୋହ ମଧ୍ୟ ଆୟୋଜିତ ହୋଇଛି। ପୀଠରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ଭିଡ ସମ୍ଭାଳିବା ପାଇଁ ୧୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ପଟେଲ  ,ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଅଭିନଵ ସୋନକର , ଏସ୍‌ଡିପିଓ , ଦେବୋତ୍ତର ନିର୍ବାହୀ ଅଧିକାରୀ ବିବୁଧ ଗଡ଼ନାୟକ,ଗଁଦିଆ ଥାନା ଅଧିକାରୀ ପ୍ରତାପ କୁମାର ଦଳେଇ , ଗ୍ରାମ୍ୟ  ଜଳଯୋଗାଣ ଓ ପରିମଳ ବିଭାଗର କର୍ମକର୍ତା, ଦେବୋତ୍ତର ନୀରିକ୍ଷକ ପ୍ରଦ୍ୟୁମ୍ବ ତ୍ରିପାଠୀ ,ବସନ୍ତ କୁମାର ରଥଙ୍କ ସମେତ ବିଭାଗର କର୍ମଚାରୀ, ଜିମାଦାର ପ୍ରମୁଖ ପୀଠରେ  ଉପସ୍ଥିତ ରହି ମେଳା ପରିଚାଳନା ଓ ନୀତିକାର୍ୟ୍ୟକୁ ତଦାରଖ କରୁଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ମନ୍ଦିରର ପାଦ ଦେଶରେ ଓ ପୀଠ ପରିସରରେ ଦୁଇଟି ଅସ୍ଥାୟୀ କଣ୍ଟ୍ରୋଲ୍ ରୁମ୍  ଖୋଲାଯଇଛି। ମନ୍ଦର ପାଦଦେଶରୁ ପୀଠକୁ ବାରବାଙ୍କ ଦେଇ ଭକ୍ତମାନଙ୍କୁ ନେବାଆଣିବାରେ ଯାନବାହନର ବ୍ୟବସ୍ଥା କରାଯାଇଥିଲା। କପିଳାସ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଭକ୍ତଙ୍କ ଧାଡି ଲମ୍ବିବାରେ ଲାଗିଥିବା ବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *