ଯାଜପୁର,୧୯/୧୦/୨୦୨୫ (ଓଡ଼ିଶା ସମାଚାର)-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗ୍ରାମାଞ୍ଚଳରେ ସୁଶାସନ କୁ ଆହୁରି ଦକ୍ଷ ଓ ସୁଦୃଢ କରିବା ନିମନ୍ତେ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନା ର ତୃତୀୟ ପର୍ଯ୍ୟାୟରେ ଓଡ଼ିଶାର ୨୮ ଟି ଜିଲ୍ଲାର ୪୮, ୬୯୩ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତପ୍ରସ୍ତର ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ବର କୁମାର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନାର ଲାଭ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି କହିଥିଲେ। ଆଜିର ଏହି ଶୁଭ ଅବସରରେ ଯାଜପୁର ଜିଲ୍ଲାରେ ଯୋଗ୍ୟ ୧,୬୬୫ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଗୃହ ନିର୍ମାଣ ନିମନ୍ତେ ତୃତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଆକାରରେ ୪୦,୦୦୦ ଅର୍ଥ ରାଶି ପ୍ରଦାନ କରାଯାଇଛି।
ଏହା ସହିତ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାର ୧୦ ଟି ପଞ୍ଚାୟତରେ ଯଥା: ବରୀ ବ୍ଲକର ବାଲିବିଲି ପଞ୍ଚାୟତ, ଧର୍ମଶାଳା ବ୍ଲକର ପଖାର ପଞ୍ଚାୟତ, ରସୁଲପୁର ବ୍ଲକର ବଡକାଇଞ୍ଚି ପଞ୍ଚାୟତ, କୋରେଇ ବ୍ଲକର ଗୌରପୁର ପଞ୍ଚାୟତ, ବିଂଝାରପୁର ବ୍ଲକର ଗୁହାଳି ପଞ୍ଚାୟତ, ଦଶରଥପୁର ବ୍ଲକର ଡହଣୀହତା ପଞ୍ଚାୟତ, ଯାଜପୁର ବ୍ଲକର ବଡ଼ସୁଆର ପଞ୍ଚାୟତ, ସୁକିନ୍ଦା ବ୍ଲକର କଙ୍କଡାପାଳ ପଞ୍ଚାୟତ ଏବଂ ବଡ଼ଚଣା ବ୍ଳକର ଶାଳପଦା ଓ ବୈରୀ ପଞ୍ଚାୟତରେ ନୂଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଗ୍ରାମପଞ୍ଚାୟତ ହେଉଛି ଗ୍ରାମ ସ୍ତରରେ ଶାସନର ଭିତ୍ତି। ରାଜ୍ୟ ସରକାର ଗ୍ରାମପଞ୍ଚାୟତଗୁଡ଼ିକୁ ଶକ୍ତିଶାଳୀ, ସଜାଗ ଓ ସେବାମୁଖୀ କରିବାକୁ ପଦକ୍ଷେପ ନେଉଛନ୍ତି।
ଆଜିର ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲମ୍ବୋଦର ଖୁଣ୍ଟିଆ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।
