ଗୋ-ମାଫିଆଙ୍କ ଗିରଫ ଦାବିରେ ଡି.ଜି.ଙ୍କୁ ସି.ପି.ଙ୍କ ଜରିଆରେ ସ୍ମାରକପତ୍ର

ଭୁବନେଶ୍ୱର,୦୮/୦୯/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ସମେତ ବିଭିନ୍ନ ଯାଦବ ସଂଘ ପକ୍ଷରୁ ୭ଜଣ କର୍ମର୍ତା ପୋଲିସ୍ କମିଶନରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ବରମୁଣ୍ଡା ଓଭରବ୍ରିଜ୍ ଉପରେ ୨୮ ତାରିଖ ରାତିରେ ଗୋରୁଗାଡ଼ି ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିବା ଗୁଣ୍ଡାମାନଙ୍କର ଗିରଫ ଓ ୬ ତାରିଖ ସକାଳୁ ପଳାଶୁଣି ଓଭରବ୍ରିଜ୍ ତଳେ ଦୁଗ୍ଧଚାଷୀଙ୍କୁ ଲଙ୍ଗଳା କରି ମାଡ଼ ମାରିଥିବା ଅସାମାଜିକ ବ୍ୟକ୍ତିମାନଙ୍କର ଗିରଫ ଦାବିକରି ଡି.ଜି.ଙ୍କୁ କମିଶନର ଏସ୍. ଦେବଦସିଂଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ୱରେ ସର୍ବଶ୍ରୀ ନୃସିଂହ ବେହେରା, ମାମିନା ବେହେରା, ନାରାୟଣ ଡାଳୁଆ, ପୀତାମ୍ବର ବେହେରା ଓ ନାରାୟଣ ବେହେରା ପ୍ରମୁଖ ନେତାମାନେ କମିଶନରଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଓଡ଼ିଶା ସରକାରଙ୍କର ଏକ ସଫଳ କାର୍ଯ୍ୟକ୍ରମ ହୋଇଥିବା ସତ୍ୱେ ଗୁଣ୍ଡାମାନଙ୍କର ଆକ୍ରମଣ ଯୋଗୁଁ ଏହା ଆଜି ବିଫଳ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅଗଷ୍ଟ ୨୮ ତାରିଖ ରାତିରେ ବରମୁଣ୍ଡା ଓଭରବି୍ରଜ୍ ଉପରେ ଆନ୍ଧ୍ରରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ହିତାଧିକାରୀମାନେ ପିକଅପ୍ ଗାଡ଼ିରେ ଗାଈ ଓ ବାଛୁରୀ ନେଇ ଫେରୁଥିବା ବେଳେ ୫୦ ରୁ ୬୦ ଗୁଣ୍ଡା ଶ୍ରେଣୀର ଲୋକ ଜୟ ଶ୍ରୀରାମ ଧ୍ୱନୀ ଦେଇ ଗାଡ଼ି ଗୁଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ ଓ ଦୁଗ୍ଧଚାଷୀମାନଙ୍କୁ ଆକ୍ରମଣ କରିଥିଲେ ।

ସେହି ଆକ୍ରମଣରେ ୩ଟି ପିକଅପ୍ ଭ୍ୟାନ୍ ଭାଙ୍ଗିଥିଲା ବେଳେ ଘଟଣାସ୍ଥଳରେ ଗୋଟିଏ କଅଁଳା ବାଛୁରୀର ମୃତୁ୍ୟ ହୋଇଥିଲା ଏବଂ ୪ଜଣ ଦୁଗ୍ଧଚାଷୀ ଆହତ ହୋଇଥିଲେ । ଖଣ୍ଡଗିରି ଥାନା ପୋଲିସ୍ ଏପର୍ଯ୍ୟନ୍ତ ମାତ୍ର ୩ଜଣ ଗୁଣ୍ଡାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା ବେଳେ ଅନ୍ୟମାନେ ଫେରାର୍ ହୋଇ ବୁଲୁଛନ୍ତି ଓ ଚାଷୀମାନଙ୍କୁ ଧମକଚମକ ଦେଉଛନ୍ତି । ପୋଲିସ୍ ର ଏହି ଉଦାସୀନତା ଯୋଗୁଁ ପୁନଶ୍ଚ ୬ତାରିଖ ସକାଳ ୫ ଘଟିକା ସମୟରେ ଏହି ଗୁଣ୍ଡା ଶ୍ରେଣୀର ୧୫ ରୁ ୨୦ ଜଣ ଯୁବକ ପଳାଶୁଣି ଓଭରବ୍ରିଜ୍ ତଳେ ଆନ୍ଧ୍ରରୁ ଗାଈ ନେଇ ଫେରୁଥିବା ଦୁଗ୍ଧଚାଷୀମାନଙ୍କୁ ଉଲଗ୍ନ କରି ପଛଆଡୁଆ ତାଙ୍କ ହାତକୁ ବାନ୍ଧି ତାଙ୍କୁ ମାଡ଼ ମାରି ଆହତ କଲେ । ଘଟଣାସ୍ଥଳରେ ପ୍ରତିବାଦ କରିବାରୁ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଆକ୍ରମଣ କରି ମୋଟ୍ ରେ ୪ଜଣଙ୍କୁ ଆହତ କଲେ । ମଂଚେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ସେହି ଗୁଣ୍ଡାମାନଙ୍କୁ ଗିରଫ କଲା ନାହିଁ କି ଆକ୍ରମଣକାରୀଙ୍କ କବଳରୁ ଦୁଗ୍ଧଚାଷୀମାନଙ୍କୁ ସୁରକ୍ଷା ମଧ୍ୟ ଦେଲାନାହିଁ । ଏହି ଦୁଇଟି ଘଟଣା ରାଜ୍ୟରେ ଦୁଗ୍ଧଚାଷୀମାନଙ୍କ ଭିତରେ କୋକୁଆଭୟ ସୃଷ୍ଟି କରିଛି ଏବଂ ଦୁଗ୍ଧଚାଷୀମାନେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ରାଜ୍ୟ ବାହାରୁ ଗାଈ ଆଣିବାକୁ ଭୟ କରୁଛନ୍ତି ।

ଭୟ ଓ ଆତଙ୍କର ଏହି ବାତାବରଣ ଯୋଗୁଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଏକ ଲୋକପ୍ରିୟ ଯୋଜନା ଫେଲ୍ ମାରିବାକୁ ବସିଛି ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରା ମତ ଦେଇଛନ୍ତି । ଯଦି ପୋଲିସ୍ ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତାହେଲେ ଆବଶ୍ୟକ ସୁରକ୍ଷା ଅଭାବରୁ ଏହି ଯୋଜନା ଅସଫଳ ହେବାରେ କେହି ରୋକିପାରିବେ ନାହିଁ । ତେଣୁ ୨ଟି ଯାକ ଘଟଣାରେ ସମ୍ପୃକ୍ତ ସମସ୍ତ ଆକ୍ରମଣକାରୀ ଓ ଅପରାଧିଙ୍କୁ ଗିରଫ କରିବା, କ୍ଷତିଗ୍ରସ୍ତ ଦୁଗ୍ଧଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ଏବଂ ଆହତ ଦୁଗ୍ଧଚାଷୀଙ୍କର ମାଗଣା ଚିକିତ୍ସା ଦାବି କରି ସି.ପି.ଙ୍କ ଜରିଆରେ ଡି.ଜି. ପୋଲିସ୍ ୱା.ବି. ଖୁରାନିଆଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଶ୍ରୀ ବେହେରାଙ୍କ ସମେତ ନାରାୟଣ ଡାଳୁଆ, ନୃସିଂହ ବେହେରା, ମାମିନା ବେହେରା, ପୀତାମ୍ବର ବେହେରା ଓ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଦୁଗ୍ଧଚାଷୀମାନଙ୍କ ଉପରେ ଦିନକୁ ଦିନ ବଢିଚାଲୁଥିବା ଆକ୍ରମଣ ଓ ଆତଙ୍କରାଜ ବିରୁଦ୍ଧରେ ଆଗାମୀ ୧୨ ତାରିଖ ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ୧୮ ତାରିଖ ବିଧାନସଭା ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆଯିବ ବୋଲି ଏହି ଚାଷୀନେତାମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *