କେନ୍ଦ୍ରାପଡ଼ା,୨୯/୦୮/୨୦୨୫(ଓଡ଼ିଶା ସମାଚାର)- ଚାନ୍ଦା ଆଦାୟକୁ ବିରୋଧ କରିବାରୁ ମରଣାନ୍ତଙ୍କ ଆକ୍ରମଣ କରାଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ସଦର ଥାନା ଅଧିନ ଜମଧର ଗ୍ରାମପଂଚାୟତର ବଳଭଦ୍ରପୁର ଗ୍ରାମର କୈଳାସ ଚନ୍ଦ୍ର ସେଠୀ ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ ଦୁହୁରିଆଛକସ୍ଥିତ ତାଙ୍କ ମାଛଦୋକାନ ସମ୍ମୁଖରେ ଶୁକ୍ରବାର ପ୍ରାୟ ଅପରାହ୍ନ ଗୋଟାଏ ସମୟରେ କେତେକ ଲୋକ ସଂଘବଦ୍ଧ ହୋଇ ଲୋକମାନଙ୍କ ଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ । କୈଳାସ ଏହା ଦେଖି ଚାନ୍ଦାଆଦାୟକାରୀଙ୍କୁ କହିଲେ ଯେ ତାଙ୍କ ଦୋକାନ ଆଗରୁ ଦୂରକୁ ଯାଇ ଚାନ୍ଦା ଆଦାୟ କର ।
ଏଥିରେ ସେମାନେ ରାଗିଯାଇ କୈଳାସକୁ ଜାତିଆଣ ଆକ୍ଷେପ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ତଳେ ପକାଇଦେଇ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଏଥିରେ କୈଳାସ ଗୁରୁତର ଭାବେ ଆହତ ହୋଇଥିଲେ । କୈଳାସର ପାଟିଶୁଣି ସ୍ଥାନୀୟ ଲୋକେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଏସମ୍ପର୍କରେ ସଦର ଥାନା ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ଯେ ଆମେ ଅଭିଯୋଗ ପାଇ ତଦନ୍ତ କରୁଛୁ । ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।
