ଦୁର୍ବଳ ନଦୀବନ୍ଧ ସୁଦୃଢ଼ିକରଣ, ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ମରାମତି ଓ ଡ୍ରେନେଜ ବ୍ୟବସ୍ଥା ସୁବ୍ୟବସ୍ଥିତ ଉପରେ ଗୁରୁତ୍ୱାରୋପ
ଜଗତସିଂହପୁର ୨୪/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ଆଭାସୀ ମାଧ୍ୟମ ରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜଗତସିଂହପୁର ଙ୍କ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,ବିଧାୟକ ଜଗତସିଂହପୁର,ବିଧାୟକ ବାଲିକୁଦା ଏରସମା,ଜିଲ୍ଲା ପରିଷଦ ସଭାପତି, ପୌର ପରିଷଦର ଅଧ୍ୟକ୍ଷ ଅଧ୍ୟକ୍ଷା,ବରିଷ୍ଠ ଅଧିକାରୀମାନଙ୍କୁ ସ୍ବାଗତ ଜଣାଇଥିଲେ।
ଆଭାସୀ ମାଧ୍ୟମ ରେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଆମ ଜିଲ୍ଲା ଏକ ବନ୍ୟା ଓ ବାତ୍ୟା ପ୍ରବଣ ଜିଲ୍ଲା। ଆମେ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଓ ପରିଚାଳନା ସଠିକ ଭାବେ କରି ପାରିଲେ ଏହାକୁ ପ୍ରତିହତ କରି ପାରିବା। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ରେ ଉପସ୍ଥିତ ରହି ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ ଓ ଅଭସି ମାଧ୍ୟମ ରେ ବିଧାୟକ ବାଲିକୁଦା ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା ମଧ୍ୟ ନଦୀବନ୍ଧ ସୁଦୃଢ଼ୀକରଣ, ଚୋରାବାଲି ଚାଲାଣ ବନ୍ଦ କରିବା, ଘେରୀବନ୍ଧର ସୁରକ୍ଷା, ଡ୍ରେନ ଗୁଡିକ ସଫା ରଖିବା ସମ୍ପର୍କରେ ଗୁରୁତ୍ଵ ଆରୋପ କରିଥଲେ।
ହଂସୁଆ ନଦୀ ଓ ଅଳକା ନଦୀ ର ପୁନରୁଦ୍ଧାର ସମ୍ପର୍କ ରେ ଆଲୋଚନା ହୋଇଥିଲା। ବର୍ଷା ଆସିଯାଇଥିବାରୁ ଡ୍ରେନ୍, କେନାଲ ଗୁଡ଼ିକୁ ସଫା କରିବା ପାଇଁ ଉପଦେଶ ଦେଇଥିଲେ। ଜିଲ୍ଲାପାଳ କହିଥିଲେ ଯେ ଗତ ଅଦିନିଆ ବର୍ଷା ଜନିତ ପରିସ୍ଥିତିକୁ ସଜାଗ ଓ ସତର୍କତାର ସହ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ଅଧିକାରୀମାନେ ଚେଷ୍ଟା କରିଛନ୍ତି। ଆଗାମୀ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତ୍ତୃପକ୍ଷ ଶ୍ରୀ ସମ୍ବିତ କୁମାର ରାଉତ କାର୍ଯ୍ୟସୂଚୀ ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଜିଲ୍ଲା କାର୍ଯ୍ୟାଳୟ, ବ୍ଲକ୍, ତହସିଲ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବା, ପ୍ରଭାବିତ ଅଞ୍ଚଳ ରେ ଓ ଆର ଏସ, ଫାଷ୍ଟ ଏଡ ସେଣ୍ଟର୍, ରାପିଡ ରେସପନ୍ସ ଟିମ, ଆବଶ୍ୟକୀୟ ଔଷଧ ଯୋଗାଇବା,ନଦୀବନ୍ଧ ସୁଦୃଢ଼ୀକରଣ, ପୂର୍ବରୁ ଘାଇ ହୋଇଥିବା ନଦୀ ଓ କେନାଲ ବନ୍ଧ ମରାମତି, ଡ୍ରେନ ଗୁଡିକ ସଫା ରଖିବା, ସୁଇସ ଗେଟ ମରାମତି,ବର୍ଷା ପରିମାଣ ରେକର୍ଡ କରିବା, ପାଣିପାଗ ସୂଚନା ଦେବା, ୱାୟରଲେସ ଷ୍ଟେସନ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ପାୱାର ବୋଟ ଓ କଣ୍ଟ୍ରି ବୋଟ ନିୟୋଜିତ କରିବା, ଅସୁରକ୍ଷିତ/ ଆଭ୍ୟନ୍ତରୀଣ ଅଞ୍ଚଳରେ ଖାଦ୍ୟ ସୁରକ୍ଷିତ ରଖିବା, ଶୁଖିଲା ଖାଦ୍ୟ, ଜରୁରୀ ସାମଗ୍ରୀ ମହଜୁଦ ରଖିବା, ଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଦିନିଆ ବର୍ଷା ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ଚାଷୀ ମାନଙ୍କୁ କ୍ଷତି ପୂରଣ ଯୋଗାଇବା,
ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ମରାମତି, ଅସୁରକ୍ଷିତ ଅବସ୍ଥାରେ ଥିବା ଆଶ୍ରୟ ସ୍ଥଳ କୁ ଡିମୋଲିସ କରିବା,ଆଶ୍ରୟ ସ୍ଥଳ ରେ ଜିନିଷ ପତ୍ର ସହ ପଲିଥିନ ସିଟ୍ ର ଉପଲବ୍ଧ, ଆଶ୍ରୟ ସ୍ଥଳ କୁ ରାସ୍ତା ନିର୍ମାଣ,ଟେଣ୍ଟ, ବନ୍ୟା ଅଞ୍ଚଳରେ ଫସଲ ସୁରକ୍ଷା, ବନ୍ୟା ଅଞ୍ଚଳରେ ସ୍ବାସ୍ଥ୍ୟ ସୁରକ୍ଷା, ଗୋରୁ ଗାଈ ଙ୍କ ପାଇଁ ଗୋଖାଦ୍ୟ ମହଜୁଦ ରଖିବା,୨୬ ଟି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବା,ସ୍କୁଲ୍ ଗୃହ, କମ୍ୟୁନିଟି ହଲ, ଅଙ୍ଗନୱାଡି କେନ୍ଦ୍ର ଭଳି ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକରେ ପିଇବା ପାଣି ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା,
ତଳିଆ ଅଞ୍ଚଳ, ଜଳମଗ୍ନ ଅଞ୍ଚଳ ଚିହ୍ନଟ କରାଯାଇ ଲୋକମାନଙ୍କୁ ସ୍ଥାନାନ୍ତରଣ, ଓଡରାଫ, ଏନ୍ ଡି ଆର ଏଫ୍, ଅଗ୍ନିଶମ ସେବା ନିୟୋଜନ, ହେଲିପ୍ୟାଡ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଅତ୍ୟାବଶ୍ୟକୀୟ ବ୍ୟବସ୍ଥା ଯଥା ବିଦ୍ୟୁତ୍, ଟେଲି ଯୋଗାଯୋଗ ଓ ରାସ୍ତାଘାଟ ପୁନରୁଦ୍ଧାର, କ୍ଷେତ୍ରୀୟ ଅଧିକାରୀଙ୍କ ସହିତ ସମନ୍ଵୟ, ସିଭିଲ ସୋସାଇଟି ସଂଗଠନ,ଏସ ଏଚ୍ ଜି ଜନ ପ୍ରତିନିଧିଙ୍କ ସହଯୋଗ, କ୍ଷୟକ୍ଷତି ନିର୍ଦ୍ଧାରଣ, ଟ୍ରାଫିକ ନିୟନ୍ତ୍ରଣ ଏବଂ ବରିଷ୍ଠ ଅଧିକାରୀଙ୍କୁ ତଦାରଖ ଦାୟିତ୍ଵ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ମ୍ୟୁନିସିପାଲଟିର ଅଧ୍ୟକ୍ଷା , ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
