ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

ଭୁବନେଶ୍ୱର,୨୨/୦୨/୨୦୨୫ (ଓଡ଼ିଶା ସମାଚାର)-ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତି୍ୟକ ତଥା ଭାଷାବିତ୍ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତି୍ୟକ ଓ ଶିକ୍ଷାବିତ୍ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଓ ସମ୍ମାନିତ ବକ୍ତାଭାବେ ବିଶିଷ୍ଟ ସାହିତି୍ୟକ ଡ. ମିହିର କୁମାର ସାହୁ ନିଜର ନିଜର ମତପୋଷଣ କରିଥିଲେ ।

ସଭାପତି ପ୍ରଫେସର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା, ସାହିତ୍ୟ , ସଂସ୍କୃତି ଏବଂ ପରମ୍ପରାକୁ ନେଇ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେବା ସହିତ ଏହି ବିଶ୍ୱବିଦ୍ୟାଳୟ ଏସବୁ ଦିଗରେ କିପରି ଅଗ୍ରଣୀ ତାହା ପ୍ରକାଶ କରିଥିଲେ । ଏହି ସମାରୋହରେ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଦୁଇ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଦୁର୍ଗାଚରଣ ରଣବୀର ଏବଂ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତଚରଣ ଗଡ଼ନାୟକଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଭୀମଭୋଇ ଚେୟାର ପ୍ରଫେସର ନିଶାମଣି କର ଏହି ସମାରୋହରେ ଯୋଗଦେଇ ମାତୃଭାଷା ପ୍ରତି ଯୁବପିଢ଼ିଙ୍କ ଦାୟବଦ୍ଧତା ଓ କର୍ତବ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ସାରଳା ଦାସ ଚେୟାର ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶୀ କଙଋ ସଂଗୀତ ବିଭାଗ ମୁଖ୍ୟ ଡ. ଧୀରଜ କୁମାର ମହାପାତ୍ରଙ୍କ ନିର୍ଦ୍ଧେଶନାରେ ହିନ୍ଦୁସ୍ତାନୀ କଙଋ ସଙ୍ଗୀତ ଓ ଓଡ଼ିଶୀ କନ୍ଠ ସଙ୍ଗୀତ ବିଭାଗର ଛାତ୍ରୀମାନେ କବି ମଧୁସୂଦନ ରାଓ ଓ କବି ଗଙ୍ଗାଧର ମେହେରଙ୍କ ମାତୃଭାଷାଭିତିକ କାଳଜୟୀ କୃତିକୁ ସଙ୍ଗୀତ ମାଧ୍ୟମରେ ପରିବେଷଣ କରିଥିଲେ । ସ୍ନାତକୋତର ବିଭାଗ ମୁଖ୍ୟ ଡ. ଚକ୍ରଧର ବେହେରାଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଡ. ଜ୍ଞାନରଞ୍ଜନ ପଣ୍ଡା ସଂଯୋଜନା କରିଥିବାବେଳେ ଅଧ୍ୟାପିକା ସନ୍ଧ୍ୟାରାଣୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *