ସର୍ଗିଫୁଲ ଉତ୍ସବ ୨୦୨୪ ଶୁଭାରମ୍ଭ କଲେ ମନ୍ତ୍ରୀ

କିଶୋର ସୃଜନଶକ୍ତିକୁ ଅଧିକ ଋଦ୍ଧିମନ୍ତ କରିବ ସର୍ଗିଫୁଲ: ମନ୍ତ୍ରୀ

ଭୁବନେଶ୍ୱର, ୧୮/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ସର୍ଗିଫୁଲ ଉତ୍ସବ ୨୦୨୪ । ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଶ୍ରୀଯୁକ୍ତ ରବି ନାରାୟଣ ନାଏକ । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଏସସି/ଏସଟି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିଛନ୍ତି । ସେହିପରି ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଡ. ପୋମା ଟୁଡୁ, ଅନୁସୂଚିତ ଜାତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ମଲ୍ଲିକ, ବିଭାଗୀୟ ଅତିରିକ୍ତ ଶାସନସଚିବ ତଥା ବିତ୍ତ ପରାମର୍ଶଦାତା ଶ୍ରୀମତୀ ବନିତା ଦାଶ, ଅତିରିକ୍ତ ଶାସନସଚିବ ଶ୍ରୀଯୁକ୍ତ ନାରାୟଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନାଏକ ସର୍ଗିଫୁଲର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଆଦିବାସୀମାନେ ହେଉଛନ୍ତି ପ୍ରକୃତିର ଉପାସକ । ସମୟାନୁକ୍ରମେ ଜନଜାତି ସମ୍ପ୍ରଦାୟ ସର୍ଗିଫୁଲ ବା ଶାଳ ଫୁଲକୁ ଖାଦ୍ୟ ଭାବେ ଗ୍ରହଣ କରିଆସୁଥିଲେ । ପରେ ଏହାକୁ ଜାହିରା ଭାବେ ପୂଜା କରିବା ଆରମ୍ଭ କରିଥିଲେ ତେଣୁ ସର୍ଗିଫୁଲ ହେଉଛି ପ୍ରେରଣାର ଉତ୍ସ । ସେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏହା ମଧ୍ୟ କହିଛନ୍ତି ଯେ କିଶୋର ସୃଜନଶକ୍ତିକୁ ଅଧିକ ଋଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ସର୍ଗିଫୁଲ ଉତ୍ସବ ଆରମ୍ଭ । ଆମ ପିଲାମାନେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ଭଳି ଦକ୍ଷତା ଓ ସାମର୍ଥ୍ୟ ରଖିଛନ୍ତି । ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଗୁଣାବଳୀ ଦେଖାଇବା ହେଉଛି ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ।

ସୂଚନାଯୋଗ୍ୟ, ଉଦଘାଟନୀ ଉତ୍ସବ ଅବସରରେ ୨୦୨୪ ଦଶମ ବୋର୍ଡ଼ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ୧୦ ଜଣ ଏସସି ଏସଟି ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ନାଏକ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବା ସହ ମାନପତ୍ର ଓ ଜନଜାତି ସମ୍ପର୍କିତ ପୁସ୍ତକ ପ୍ରଦାନ କରାଯାଇଥିଲା । ଜଗତସିଂହପୁରରୁ ମିଲି ଟୁଡୁ, କଳାହାଣ୍ଡିରୁ ସୁପ୍ରଭା ନାଏକ, ମହେଶ ମହାର, ନନ୍ଦିନୀ ନାଏକ, ଚୁମକି ନାଏକ, ଲଭଲି ନାଏକ, ଖୋର୍ଦ୍ଧାରୁ କ୍ରିଷ୍ଣା ଟୁଡୁ, ସମ୍ବଲପୁରରୁ ସୁନେଲି ପ୍ରଧାନ, ନବରଙ୍ଗପୁରରୁ ରଶ୍ମିତା ଭତ୍ରା, ଗଜପତିରୁ କବିତା ଗମାଙ୍ଗ ଏହି ଅବସରରେ ସମ୍ମାନିତ ହୋଇଛନ୍ତି । ଏଥିସହିତ ଏସସି/ଏସଟି ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ଉଦଘାଟନ କରିଛନ୍ତି ମନ୍ତ୍ରୀ ଶ୍ରୀ ନାଏକ ।

ତିନିଦିନବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯାଇଛି । ୪୦ ଟି ଷ୍ଟଲରେ ୮୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ୪୦ ଗାଇଡ୍ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି । ସାମୁଦ୍ରିକ ପରିମଣ୍ଡଳର ସଂରକ୍ଷଣ, ପରିବେଶ ଅନୁକୂଳ ବାତାବରଣ, କୃତିମ ବୁଦ୍ଧିମତ୍ତା, ଭାରତୀୟ ଅନ୍ତରୀକ୍ଷ ଗବେଷଣା, ସ୍ମାର୍ଟ କ୍ଲାସ ରୁମ୍ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ୫ ଟି ଡୋମ୍ ରେ ତିନିଦିନ ଧରି ବିଭିନ୍ନ କର୍ମଶାଳାର ଆୟୋଜନ କରାଯିବ ।

-0-

ରୋଜାଲିନ୍ ସାହୁ, ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

 

 

Leave a Reply

Your email address will not be published. Required fields are marked *