ଆନ୍ଧ୍ର ଓଡ଼ିଶା ଆନ୍ତଃରାଜ୍ୟ ଜଳ ବିବାଦ ଓ କୋଟିଆ ସୀମା ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ସ୍ମାରକପତ୍ର

ଭୁବନେଶ୍ୱର,୧୮/୧୧/୨୦୨୪ (ଓଡ଼ିଶା ସମାଚାର)- ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହିତ କୋଟିଆ, ମହାନଦୀ, ପୋଲାଭରମ, ବଂଶଧାରା ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ଆନ୍ତରିକତା ନଥିବା ଦେଖାଯାଉଛି । ଭାଜପା ସରକାର ବା କେନ୍ଦ୍ର ସରକାର ଉଭୟ ଓଡ଼ିଶା ସ୍ୱାର୍ଥବିରୋଧି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । ଏ ନେଇ ସୋମବାର ଦିନ ଏକ ସ୍ମାରକ ପତ୍ର ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିିଟି ।
ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ କହିଛନ୍ତି ଯେ, ସମ୍ପ୍ରତି ଓଡ଼ିଶା ଓ କେନ୍ଦ୍ରରେ ‘ଡବଲ୍ ଇଞ୍ଜିନ୍ ସରକାର ଚାଲିଥିବା ବେଳେ ବିବାଦରେ ଜଡ଼ିତ ରାଜ୍ୟରେ ମଧ୍ୟ ଏନଡିଏ ଶାସନ ରହିଛି । ତେଣୁ ଜଳ ବିବାଦର ସମାଧାନ ସହଜରେ ହୋଇଯିବା ବଦଳରେ ଦିନକୁ ଦିନ ଆହୁରି ମନ୍ଥର ହେଉଛି । ନବୀନ ସରକାରଙ୍କ ଅମଳରୁ ଏହି •ରି ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ବିବାଦ ଆଇନ ଜାଲରେ ଛନ୍ଦି ହୋଇରହିଛି । ଏ ବାବଦରେ ରାଜ୍ୟ ରାଜକୋଷରୁ ବିପୁଳ ରାଜସ୍ୱ ହାନୀ ହେଉଛି । ଆନ୍ଧ୍ର ସହିତ କୋଟିଆ, ପୋଲାଭରମ ମାମଲା ଓ ବଂଶଧାରା ଜଳ ବିବାଦ ଆଦି ତିନୋଟି ବିବାଦ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଦୀର୍ଘଦିନରୁ ମାମଲା ବିଚାରଧୀନ ଅଛି ।
ବର୍ଷ ବର୍ଷ ଧରି ବିଚାରଧୀନ ଚାରି ମାମଲାରେ ଓକିଲ ଦଳ ଏବଂ ସରକାରୀ ଅଧିକାରୀ ନ୍ୟାୟାଳୟରେ ହାଜର ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଶା ସରକାର ତଥା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋଟିଆ ବିବାଦର ସମାଧାନ ନିମନ୍ତେ ଓଡ଼ିଶା ସରକାରଙ୍କ ତରଫରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ମୂଳ ମାମଲା (୨/୨୦୨୩)ର ଶୁଣାଣି ଅକ୍ଟୋବର ୧୭ରେ ହୋଇଥିଲା । ଖୋଦ୍ ରାଜ୍ୟ ସରକାର ଓକିଲ ଏଥିରେ ଅନୁପସ୍ଥିତ ଥିଲେ । କୋଟିଆ ବିବାଦର ସମାଧାନ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିବା ଭାରତୀୟ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ୨୦୨୨ ଜାନୁଆରୀ ୧୯ରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୪ ଜୁଲାଇ ୨୯ରେ ମୂଳ ଆବେଦନରେ ସଂଶୋଧନ ଲାଗି ଓଡ଼ିଶା ସରକାର ଆବେଦନ କରିଛନ୍ତି ।
ପୋଲାଭରମ ପ୍ରକଳ୍ପ ନର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷର କେନ୍ଦ୍ରୀୟ ବଜେଟ ଭାଷଣରେ ଘୋଷଣା କରିଥିଲେ । ଏଥିରେ ଓଡ଼ିଶାର ମାଲକାନଗିରି ଜିଲାରେ ପଛୁଆ ପାଣି ଯୋଗୁ ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ ବିଷୟ ଉଲ୍ଲେଖ ନଥିଲା । ମୌସୁମୀ ଋତୁ ଶେଷ ପରେ ନଭେମ୍ବର ୧ରୁ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଜୋରଦାର କରାଯାଇଛି । ଏବେ ପ୍ରକଳ୍ପର ପ୍ରାୟ ୭୭ ପ୍ରତିଶତ କାର୍ଯ୍ୟ ସରିବାକୁ ବସିଲାଣି । ୨୦୨୮ ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଲାଗି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟରେ ଶେଷଥର ପାଇଁ ୨୦୨୩ ଫେବୃୟାରୀ ୨୧ରେ ଏହି ମାମଲାର ଶୁଣାଣି ହୋଇଥିଲା । ମାସକ ମଧ୍ୟରେ ରାଜନୈତକ ସ୍ତରରେ ବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ୨୦୨୨ ସେପ୍ଟେମ୍ବର ୬ରେ ନିର୍ଦ୍ଧେଶ ଦେଇଥିଲେ । ଦୁଇବର୍ଷରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଆଗକୁ ବଢିପାରୁ ନାହିଁ । ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଓଡ଼ିଶା ସରକାର ଗତ ୨୧ ମାସ ମଧ୍ୟରେ ଆଦୌ ଆଗ୍ରହ ପ୍ରକାଶ କରିନାହାନ୍ତି । ମାମଲା ଶୁଣାଣି ହୋଇନପାରିବା କାରଣରୁ ଆନ୍ଧ୍ର ସିଧାସଳଖ ଲାଭବାନ ହେଉଛି ।
ସର୍ବୋଚ୍ଚ ନ୍ୟାୟାଳୟରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ୨୦୨୪ ଜୁଲାଇ ୧୬ରେ ହୋଇଥିଲା । ପରବର୍ତୀ ଶୁଣାଣି ଡିସେମ୍ବର ୧୦କୁ ଧାର୍ଯ୍ୟ ହୋଇଛି । ମୋଟାମୋଟି ଦେଖିବାକୁ ଗଲେ ଏହି ଚାରି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଓଡ଼ିଶା ସରକାରଙ୍କୁ ରାଜନୈତିକସ୍ତରରେ ଆପୋଷ ସମାଧାନ ଅଥବା ନ୍ୟାୟାଳୟ ମାଧ୍ୟମରେ ଆଇନଗତ ସମାଧାନ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡ଼ିବ । ଆଇନଗତ ସମାଧାନ ପାଇଁ ସ୍ୱତନ୍ତ୍ର ଓକିଲ ଦଳ ଦ୍ୱାରା ତ୍ୱରିତ ଶୁଣାଣି ପାଇଁ ବାରମ୍ବାର ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଡ଼ିପାରେ । ସେହିପରି ପଡ଼ୋଶୀ ଛତିଶଗଡ଼ରେ ବିଜେପି ସରକାର ଏବଂ ଆନ୍ଧ୍ର ପ୍ରଦେଶରେ ଏନ୍ଡ଼ିଏ ସରକାର ଗଠନ ହୋଇଥିବାରୁ ରାଜନୈତିକସ୍ତରରେ ସମସ୍ୟାର ସମାଧାନ ହୋଇଯିବା ବଦଳରେ ଆହୁରି ଅଡୁଆ ହେବାକୁ ବସିଲାଣି । ଏଥିପାଇଁ ଡବଲ୍ ଇଞ୍ଜିନ୍ ସରକାରର ଓଡ଼ିଶା ବିରୋଧୀ ମନୋଭାବ ସ୍ପଷ୍ଟ ହେଉଛି । ଏହା କଣ ଓଡ଼ିଆ ଅସ୍ମିତା ବୋଲି ଶ୍ରୀ ହାତି ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଭୟ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଥିବା ଦୁଇଟି ଜଳ ବିବାଦ ସହିତ ଦୀର୍ଘଦିନରୁ ଚାଲିଥିବା କୋଟିଆ ସୀମା ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରି ଉଭୟ ରାଜ୍ୟ ମଧ୍ୟରେ ଥିବା ତିକ୍ତତାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଏହି ସ୍ମାରକପତ୍ର ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *