କେନ୍ଦ୍ରାପଡ଼ା, ୦୮/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ରାଜକନିକା ବ୍ଲକ ଅଧିନ ଦଶିପୁର ଗ୍ରାମପଂଚାୟତର ଦଶିପୁର ଦଳିତବସ୍ତିର ଅଧିବାସୀମାନେ ଜିଲାପାଳଙ୍କୁ ଅଭିଯୋଗ ଶୁଣାଣି ଶିବିରରେ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମର ନଗେନ୍ଦ୍ର ମହାନ୍ତିଙ୍କ ଘର ଠାରୁ ହେମା ମଳିକଙ୍କ ଘର ପର୍ଯ୍ୟନ୍ତ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ବର୍ଷା ଦିନେ ସେହି ରାସ୍ତାରେ ଦଳିତବସ୍ତିର ଅଧିବାସୀମାନେ ଆଣ୍ଠୁଏ କାଦୁଅରେ ପସି ଘରକୁ ଯାଇଥାନ୍ତି । ସେହି ବସ୍ତିରେ ପ୍ରାୟ ୫୦ଟି ଦଳିତ ପରିବାର ବସବାସ କରିଥାନ୍ତି । ଦଳିତବସ୍ତିର ଛୋଟ ଛୋଟ ପିଲାମାନେ ସେହି ରାସ୍ତା ଦେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦୈନିକ ଯିବାଆସିବା କରିଥାନ୍ତି । ଏହାବ୍ୟତିତ ସେହି ପଂଚାୟତର ଦଶିପୁର, ଖରିଅନ୍ଟା ଓ ବନ୍ଧସାହି ଗ୍ରାମର ଶତାଧିକ ଚାଷୀ ସେହି ରାସ୍ତା ଦେଇ ସେମାନଙ୍କ ଚାଷ ଜମିକୁ ଯିବା ଆସିବା କରିଥାନ୍ତି । ତେଣୁ ଦଳିତବସ୍ତିର ସାଧାରଣ ଜନତାଙ୍କ ସମୁହ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସେହି ରାସ୍ତାର ନିର୍ମାଣ କାର୍ଯ୍ୟ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ କରୁଣା ମଳିକ, ଧିରେନ ମଳିକ, ଲିଲୁ ମଳିକ, ଉମେଶ ମଳିକ, ଗୋଲେଖ ମଳିକ, ଦିପକ ମଳିକ, ବିବେକାନନ୍ଦ ଦାଶ, ସରପ ପ୍ରଦ୍ୟାତ ମହାନ୍ତି, ଜୟଦେବ ବରଜ, ସୁବାଷ ଚନ୍ଦ୍ର ପରିଡା, ନିରାକାର ଦାସ, ସୈାମ୍ୟରଞ୍ଜନ କର, ଅକ୍ଷୟ ସାହୁ ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।
ଦଳିତବସ୍ତି ରାସ୍ତା ନିର୍ମାଣ ପାଇଁ ଜିଲାପାଳଙ୍କୁ ଦାବି
