ହେଲଥ କେଆର ନର୍ସିଂହୋମ ଉପରେ ଚଢାଉ କଲା ପୋଲିସ, ମାଲିକ ଫେରାର

ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲ ଘଟଣା

କେନ୍ଦ୍ରାପଡ଼ା,୦୬/୧୦/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରିବା ଘଟଣାରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ରବିବାର ଚଢାଉ କରିଛି । କେନ୍ଦ୍ରାପଡା ସହରର ପୁରୁଣା ମେଡିକାଲ ରୋଡସ୍ଥିତ ହେଲଥ କେଆର ନର୍ସିଂ ହୋମ ଓ ନର୍ସିଂହୋମ ମାଲିକ ଅନୱାର ଅଲ୍ଲୀ ଖାନ୍ ଙ୍କ ଜଇପୁରାସ୍ଥିତ ଘର ଉପରେ କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ସଦଳବଳେ ଚଢାଉ କରିଛନ୍ତି । କିନ୍ତୁ ଗିରଫ ହେବା ଭୟରେ ନର୍ସିଂହୋମର ମାଲିକ ଅନୱାର ଅଲ୍ଲୀ ଖାନ୍ ଫେରାର ହୋଇଯାଇଛନ୍ତି । ଫଳରେ ପୋଲିସ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି । ତେବେ ଜାଲ କାଗଜପତ୍ର ବଳରେ ନର୍ସିଂ ହୋମ ଚଳାଉଥିବା ପ୍ରଶାସନ ସ୍ପଷ୍ଟ ହେବା ପରେ ଏବଂ ଥାନାରେ ଏତଲା ଦିଆଯିବା ପରେ ମଧ୍ୟ ନର୍ସିଂହୋମକୁ କାହିଁକି ସିଲ କରାଯାଇ ନାହିଁ ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ହେଲଥ କେଆର ନର୍ସିଂହୋମ ବର୍ତମାନର ପୌର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ଦସ୍ତଖତକୁ ଜାଲିଆତି କରି ନର୍ସିଂହୋମ ବିଲଡିଂର ପ୍ଲାନ ଅନୁମୋଦନ ହୋଇଥିବା କଟକ ମଣ୍ଡଳ ଅଗ୍ନିଶମ ବିଭାଗକୁ ପଠାଇଥିଲା । ହେଲେ କାଗଜପତ୍ର ଯାଂଚ ବେଳେ ଅଗ୍ନିଶମ ବିଭାଗ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଯୋଗାଯୋଗ କରିବା ଓ ତାଙ୍କ ଦସ୍ତଖତ ଅସଲି କି ନକଲି ତାହା ଜାଣିବା ପାଇଁ ଚାହିଁବାରୁ ଏହା ଜାଲ ଥିବା ଜଣାପଡିଥିଲା । ନିର୍ବାହୀ ଅଧିକାରୀ କହିଥିଲେ ଯେ ଏହି ନର୍ସିଂହୋମ କୋଠାର ପ୍ଲାନ ସେ ଅନୁମୋଦେନ କରିନାହାନ୍ତି । କିନ୍ତୁ ତାଙ୍କ ଦସ୍ତଖତ ଥାଇ ପ୍ଲାନ ଅନୁମୋଦନ ହୋଇଥିବା ନିର୍ବାହୀ ଅଧିକାରୀ ଜାଣିବା ପରେ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତିକରି ଟାଉନ ଥାନା ଅଧିକାରୀ ଦିଲ୍ଲିପ ସାହୁ ଏକମାମଲା ନର୍ସିଂ ହୋମ ମାଲିକ ଅନୱାର ଅଲ୍ଲୀ ଖାନ୍ ଙ୍କ ନାମରେ ରୁଜୁ କରିଥିଲେ । ତାଙ୍କୁ ଗିରଫ କରିବା ପାଇଁ ଏହି ଚଢାଉ କରାଯାଇଥିଲା ।

Leave a Reply

Your email address will not be published. Required fields are marked *