ଯାଜପୁର ରେ ଜନସମାବେଶ ଓ ବିକାଶ ମେଳା ।

ଯାଜପୁର,୧୭/୯/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ଫଳପ୍ରସୂ ପଦକ୍ଷେପ ଓ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସୂଚନା-ଶିକ୍ଷା- ସଂଚାର କାର୍ଯ୍ୟକ୍ରମ ଆଧାରରେ ଯାଜପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ କୁସୁମା ସମ୍ମୁଖ ପଡିଆରେ ଜନ ସମାବେଶ ଓ ବିକାଶ ମେଳା ଆୟୋଜିତ ହେବ। ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କ  ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଏହି କାର୍ଯ୍ୟକ୍ରମରେ ରୂପରେଖ ନିର୍ଦ୍ଧାରଣ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ଵାରା ସ୍ତିରିକୃତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା, ଯୁବସେବା ଓ କ୍ରିଡା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଦର୍ଶନୀ ଷ୍ଟଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଘାଟନୀ ଦିବସରେ ୬ ହଜାର ରୁ ଊର୍ଦ୍ଧ୍ଵ ଜନ ସମାଗମର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବିକାଶ ମେଳାରେ ପ୍ରତିଦିନ ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ବିକାଶ ମେଳା ପ୍ରଦର୍ଶନୀରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ମହିଳା ଓ ଶିଶୁ ବିକାଶ, ଶିକ୍ଷା, ପର୍ଯ୍ୟଟନ, ପଞ୍ଚାୟତିରାଜ, ଭିନ୍ନକ୍ଷମ ସଶକ୍ତିକରଣ, ଏମ. ଏସ. ଏମ. ଇ, ହାଣ୍ଡଲୁମ, ମିଶନ ଶକ୍ତି, ହାଣ୍ଡିକ୍ରାଫ୍ଟ ବିଭାଗ ଇତ୍ୟାଦି ଗୁଡିକର ୫୦ ଟି ଷ୍ଟଲ ଅଂଶ ଗ୍ରହଣ କରିବେ । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ବହୁବିଧ କଲ୍ୟାଣକାରୀ ଦିଗ ଗୁଡିକ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରି ରାଜ୍ୟ ସରକାରଙ୍କୁ ଲୋକଙ୍କ ନିକଟତର କରିବା ଦିଗରେ ଏହି ମେଳା ବିଶେଷ ସହାୟକ ହେବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ।, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *