ଜଗତସିଂହପୁର ଠାରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ଅନୁଷ୍ଠିତ

 ଜଗତସିଂହପୁର,୧୫/୯/୨୦୨୪(ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ସଦର ମହକୁମାଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ବଣ୍ଟନ ପୂର୍ବରୁ ସୁଭଦ୍ରା ସ୍ବାଗତ ପଦଯାତ୍ରା ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରୁ ଆରମ୍ଭ ହୋଇ ଟାଉନ୍ ହଲ୍ ଠାରେ ଶେଷ ହୋଇଥିଲା। ସୁଭଦ୍ରା ସ୍ବାଗତ ପଦଯାତ୍ରାକୁ ଜଗତସିଂହପୁର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ ଓ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ପୌରାଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ଅନ୍ୟାନ୍ୟ ଅଧିକାରୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସାମିଲ ଥିଲେ। ପଦଯାତ୍ରା ପରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ କହିଲେ ମହିଳା ମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି, ଯାହାର ଫଳ ସ୍ୱରୂପ ଆଜି ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ସାମିଲ କରାଯାଇଛି। ୫ ବର୍ଷରେ ପ୍ରତ୍ୟେକ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।ଆଗାମୀ ୧୭ ତାରିଖ ଦିନ ୧ ଲକ୍ଷ ମହିଳାଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ସେହିଦିନ ପ୍ରତି ବ୍ଲକ୍ ଓ ଜିଲ୍ଲା ସଦର ମହକୁମା ଠାରେ ମଧ୍ୟ ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହେବେ। ମହିଳା ମାନଙ୍କର ପ୍ରଗତି ନହେଲେ ଦେଶର ପ୍ରଗତି ହେବ ନାହିଁ। ଓଡ଼ିଶା ସରକାରଙ୍କ ମହିଳା ମାନଙ୍କ ପ୍ରତି ସୁଭଦ୍ରା ଯୋଜନା ଏକ ଉପହାର ବୋଲି ସାଂସଦ ମତବ୍ୟକ୍ତ କରିଥିଲେ। ଏହି ସଭାରେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଯୋଗଦେଇ କହିଲେ ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଯୋଜନା। ୨୧ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ ମହିଳା ମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ବର୍ତ୍ତମାନ ସୁଦ୍ଧା ଜଗତସିଂହପୁର ଜିଲ୍ଲାରେ ୨ ଲକ୍ଷ ମହିଳା ପଞ୍ଜିକରଣ ହୋଇଛନ୍ତି। ୧୭ ତାରିଖ ଦିନ ଏହାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ୧୭ ତାରିଖ ପରେ ବି ମହିଳା ମାନେ ନିଜର ନାମ ପଞ୍ଜିକରଣ କରି କିସ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ। ପଞ୍ଜିକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ସୁଭଦ୍ରା ଯୋଜନାରେ ମହିଳା ମାନେ ଯେଉଁ ଆର୍ଥିକ ପ୍ରୋତ୍ସାହନ ପାଇବେ ତାହାକୁ ରାଜ୍ୟ ସରକାର ଫେରସ୍ତ ନେବେ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ମହିଳା ମାନେ ଆଜି ବିଭିନ୍ନ କ୍ଷେତ୍ରରେ ଯଥା ବଡବଡ ପ୍ରଶାସନିକ ପଦରେ , ରାଜନୈତିକ କ୍ଷେତ୍ରରେ ଅଧିଷ୍ଠିତ ହୋଇ ବହୁ ସୁନାମ ଅର୍ଜନ କରି ପାରିଛନ୍ତି। ଏହି ସଭାରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ ଯୋଗଦେଇ କହିଲେ ମହିଳା ମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ସ୍ବାବଲମ୍ବୀ ହୋଇପାରୁଛନ୍ତି। ଗୋଟିଏ ପରିବାରରେ ଶିକ୍ଷା, ସଂସ୍କାର ଓ ଶୃଙ୍ଖଳା ପାଇଁ ମହିଳା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ମିଶନ ଶକ୍ତିର ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ମୋନାଲିସା ଭଞ୍ଜ ଧନ୍ୟବାଦ୍ ଅର୍ପଣ କରିଥିଲେ।ଜିଲ୍ଲା ମିଶନ ଶକ୍ତି ଫେଡେରେସନର ସଭାପତି ଶ୍ରୀମତୀ ସରୋଜିନୀ ବେହେରା ଓ ଶ୍ରୀମତୀ ରାଜଲକ୍ଷ୍ମୀ ସେନାପତି, ଶ୍ରୀମତୀ ମହେଶ୍ୱେତା ଜେନା ସୁଭଦ୍ରା ଯୋଜନା ଉପରେ ନିଜର ମତବ୍ୟକ୍ତ କରିଥିଲେ। ଏହି ସଭାରେ ପୌର ପରିଷଦର ନିର୍ବାହୀ ଅଧିକାରୀ ସୀମା ଜେନା,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ପୌର ପରିଷଦର କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଟାଉନ୍ ହଲ ଠାରେ ସୁଭଦ୍ରା ଯୋଜନା ସ୍ବାଗତ ପଦଯାତ୍ରା ଅବସରରେ କାନଭାସରେ ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ, ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଦସ୍ତଖତ କରିଥିଲେ।

Leave a Reply

Your email address will not be published. Required fields are marked *