ଡିଜିପିଙ୍କ ଭିଡିଓ କନଫରେନ୍ସିଂରେ ସମୀକ୍ଷା
କଟକ,୨୨/୦୮/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି/ ଡିଆଇଜି ଏବଂ ସମସ୍ତ ଜିଲାର ଏସପିମାନେ ବୈଠକରେ ଯୋଗଦେଇଥିଲେ । ବୈଠକରେ ରାଜ୍ୟର ବର୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ, ସମ୍ବେଦନଶୀଳ ଅଂଚଳ ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା, ଜନସାଧାରଣଙ୍କୁ ଉତମ ପୋଲିସ ସେବା ପ୍ରଦାନ ଏବଂ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଧୈର୍ଯ୍ୟର ସହ ଶୁଣିବା, ସମ୍ମାନଜନକ ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ବ୍ୟବହାର କରିବା ଏବଂ ଅଭିଯୋଗର ନିରପେକ୍ଷ ଓ ତ୍ୱରିତ ତଦନ୍ତ ନିଶ୍ଚିତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ । ପୋଲିସ ଅଧିକାରୀ ଓ କର୍ମଚାରୀମାନେ ନିୟମିତ ଭାବେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହି ଦାୟିତ୍ୱ ତୁଲାଇବା ସହ ଥାନାଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଜନସାଧାରଣଙ୍କୁ ମିଳୁଥିବା ପୋଲିସ ସେବାରେ ଅଧିକ ସୁଧାର ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏସଡିପିଓମାନେ ନିୟମିତ ଭାବେ ଅଧୀନସ୍ଥ ଥାନାଗୁଡ଼ିକ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଥିଲେ ।
ବୈଠକରେ ବର୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ସମ୍ବେଦନଶୀଳ ଅଂଚଳଗୁଡ଼ିକର ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ପରବର୍ତୀ ପଦକ୍ଷେପ ସମ୍ପର୍କରେ ଡିଜିପି ବିସ୍ତୃତ ଆଲୋଚନା କରିଥିଲେ । ଚଳିତ ମାସରୁ ନଭେମ୍ବର ମଧ୍ୟରେ ପ୍ରଫେଟ୍ ମହମ୍ମଦଙ୍କ ଜନ୍ମଦିନ, ଜନ୍ମାଷ୍ଟମୀ, ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି/ କାଳୀପୂଜା, ଅଁଳା ନବମୀ, ପଂଚୁକ ଓ ବାଲିଯାତ୍ରା ଭଳି ବିଭିନ୍ନ ପର୍ବପର୍ବାଣୀ ଅନୁଷ୍ଠିତ ହେବ । ଏହି ପର୍ବଗୁଡ଼ିକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ପାଳନ ପାଇଁ ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ । ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଶାନ୍ତି କମିଟି ବୈଠକ ଏବଂ ସ୍ଥାନୀୟ ଲୋକପ୍ରତିନିଧି ଓ ବିଭିନ୍ନ ଗୋଷ୍ଠୀଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ସେ ନିର୍ଦେଶ ଦେଇଥିଲେ ।
ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ, ଉତେଜନାମୂଳକ, ଆପତିିଜନକ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନିୟମିତ ଓ କଡ଼ା ନଜର ରଖିବା ସହ ଏଭଳି ପ୍ରଚାର ବିରୋଧରେ ତ୍ୱରିତ ଓ ଆଇନସମ୍ମତ ପଦକ୍ଷେପ ନେବାକୁ ଡିଜିପି ନିର୍ଦେଶ ଦେଇଥିଲେ । ଗୁଇନ୍ଦା ସୂଚନା ସଂଗ୍ରହକୁ ଆହୁରି ସୁଦୃଢ଼ କରିବା, ସମ୍ଭାବ୍ୟ ଅପରାଧ ଓ ଅପ୍ରୀତିକର ଘଟଣା ସମ୍ପର୍କରେ ଆଗୁଆ ସୂଚନା ହାସଲ କରିବା ଏବଂ ତଦନୁଯାୟୀ ପ୍ରତିଷେଧମୂଳକ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସାଇବର ଅପରାଧର ମୁକାବିଲା ପାଇଁ ସାଇବର ପୋଲିସ ଷ୍ଟେସନଗୁଡ଼ିକର କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ସହ ସାଇବର ଅପରାଧ ସମ୍ପର୍କିତ ମାମଲାର ତଦନ୍ତ ଓ ପଦକ୍ଷେପକୁ ଅଧିକ ଫଳପ୍ରଦ କରିବାକୁ ଡିଜିପି ନିର୍ଦେଶ ଦେଇଥିଲେ । ଏଥିସହ ଶାନ୍ତି କମିଟି ବୈଠକ ନିୟମିତ ଆୟୋଜନ, ସ୍ଥାନୀୟ ଅଂଚଳରେ ଲୋକ ସମ୍ପର୍କ ବୃଦ୍ଧି ଏବଂ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଆଗୁଆ ରୋକିବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ସମସ୍ତ ଜିଲା ଏସପିଙ୍କୁ ଡିଜିପି ନିର୍ଦେଶ ଦେଇଥିଲେ । ପୋଲିସର କାର୍ଯ୍ୟଦକ୍ଷତା, ଜନକଲ୍ୟାଣ ସେବାକୁ ଆହୁରି ବୃଦ୍ଧି କରିବା ପାଇଁ ସମସ୍ତ ସ୍ତରରେ ଉତମ ସମନ୍ୱୟ ଓ ଯୋଗାଯୋଗ ରଖି ଦାୟିତ୍ୱ ସମ୍ପାଦନ କରିବାକୁ ଡିଜିପି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ ।
ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଏଚ୍ଆରପିସି) ୟତୀନ୍ଦ୍ର କୋଏଲ, ଆଇଜିପି (ପର୍ସୋନେଲ) ଏସ୍. ପ୍ରବୀଣ କୁମାରଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ ଡିଆଇଜି ଏବଂ ସମସ୍ତ ଜିଲାର ଏସପି ମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ ।
